ପାତ୍ରପୁର,୨୭/୦୮/୨୦୨୧: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭଇରୀପୁର ଗ୍ରାମରେ କାର୍ଯ୍ୟରତ ଆଶାକର୍ମୀ ବାସନ୍ତୀ ପ୍ରଧାନଙ୍କୁ ଉକ୍ତ ପଞ୍ଚାୟତ ତିନିଘରିଆ ଗ୍ରାମର ସୁଶାନ୍ତ ପ୍ରଧାନ ନାମକ ଜନୈକ ବ୍ୟକ୍ତି ଫୋନ ମାଧ୍ୟମରେ ଅଶ୍ଲୀଳ ଫୋଟ, ମେସେଜ ପଠାଇବା ସହ ଦୁର୍ବ୍ୟବହାର କରୁଥିବା ନେଇ ଜରଡା ଥାନାରେ ଅଭିଯୋଗ କରି ପ୍ରାୟ ୨୦ ଦିନ ବିତି ଯାଇଥିବା ପରେ ମଧ୍ୟ ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ଗିରଫ କରିନଥିବାରୁ ପୋଲିସର ବିଫଳତାକୁ ନେଇ ଆଶା କର୍ମୀ ସଂଘ ପକ୍ଷରୁ ଦୃଢ଼ ନିନ୍ଦା ପ୍ରକଟ କରାଯାଇଅଛି ।ଅଭିଯୋଗକାରିଣୀଙ୍କ ସୂଚନା ଅନୁସାରେ ଗତ ୦୨/୦୮/୨୧ ତାରିଖ ଦିନ ଏହି ବିଷୟକୁ ଆଶାକର୍ମୀ ବାସନ୍ତୀ ପ୍ରଧାନ ଜରଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଜରଡ଼ା ପୋଲିସ ପକ୍ଷରୁ କେଶ ନମ୍ବର ୧୭୮/୨୧ପ୍ରକାରେ ଏକ ମାମଲା ରୁଜୁ କରାଯାଇଥିଲା । ଅନ୍ୟ ପକ୍ଷରେ ବାସନ୍ତୀ ପ୍ରଧାନ ଥାନାରେ ଅଭିଯୋଗ କରିଥିବା କଥା ଶୁଣି ଅଭିଯୁକ୍ତ ସୁଶାନ୍ତ ପ୍ରଧାନ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ବାସନ୍ତୀଙ୍କୁ ଥାନାରେ କରିଥିବା ଏତଲା ଫେରସ୍ତ ନେବାକୁ ପ୍ରବର୍ତ୍ତାଇ ଥିଲା । ଥାନାରୁ କେଶ ନ ଫେତାଇଲେ ତାଙ୍କୁ ( ସଂପୃକ୍ତ ଆଶାକର୍ମୀ ) ପ୍ରାଣରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା ।ଏଣେ ମାମଲା ରୁଜୁ କରିବା ଆଠ ଦିନ ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅହେତୁକ ବିଳମ୍ବକୁ ନେଇ ପୁଣି ଦ୍ୱିତୀୟ ଥର ୧୦/୦୮/୨୧ ତାରିଖ ଦିନ ପାତ୍ରପୁର ଆଶାକର୍ମୀ ସଂଘ ପକ୍ଷରୁ ପ୍ରାୟ ଦଶ ଜଣ କାର୍ଯ୍ୟକାରୀ ସଦସ୍ୟ ଜରଡ଼ା ଥାନା ଅଧିକାରୀଙ୍କୁ ମିଶି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ l ଏଥି ସହିତ ଏକ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ ନକଲେ ଗଞ୍ଜାମ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ପ୍ରାୟ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ଜରଡ଼ା ପୋଲିସ ଅଭିଯୁକ୍ତକୁ ଗିରଫ କରି ନ ଥିବାରୁ ଅଭିଯୋଗକାରିଣୀ ବାସନ୍ତୀ ପ୍ରଧାନ ଅନୋନ୍ୟପାୟ ହୋଇ ଆଜି ବ୍ରହ୍ମପୁର ଅରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅରକ୍ଷୀ ଅଧିକ୍ଷକ ମହୋଦୟ ଉକ୍ତ ଘଟଣାକୁ ଅବଗତ କରି ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ଦୃଢ଼ ପ୍ରତିଶ୍ରୁତି ଦେଇଥିବା ନେଇ ପୀଡ଼ିତା ଆଶାକର୍ମୀ ବାସନ୍ତୀ ପ୍ରଧାନ ସୁଚନା ଦେଇଛନ୍ତି ।
ରିପୋର୍ଟ– ଆଲୁ. ଜୟ ପ୍ରକାଶ
Home ବ୍ରହ୍ମପୁର ସ୍ପେଶାଳ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ ଜରଡ଼ା ଥାନାର ନିଷ୍କ୍ରିୟତା ନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଅଭିଯୋଗ...