ପୋଲସରା ପଞ୍ଚାୟତ ସମିତିର ୧୭ ତମ ବୈଠକ ଅନୁଷ୍ଠିତ

0
420

ପୋଲସରା, ୧୫/୧୨/୨୦୨୧ : ପୋଲସରା ପଞ୍ଚାୟତ ସମିତିର ୧୭ ତମ ତଥା ଯେତେଦୂର ସମ୍ଭବ ଅନ୍ତିମ ବୈଠକ ଡିସେମ୍ବର ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ପ୍ରସ୍ତାବ କ୍ରମେ ବୈଠକ ପ୍ରାରମ୍ଭରେ ରୁମାଗଡ଼ ସରପଞ୍ଚ ବନିତା ଖଟୁଆଙ୍କ ଅକାଳ ବିୟୋଗ ପାଇଁ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ହୋଇଥିଲା। ପୋଲସରା ବ୍ଲକ ଓ ବିଭିନ୍ନ ପଞ୍ଚାୟତରେ ରହିଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅତିରିକ୍ତ ବ୍ୟୟ ବରାଦ ଚିଠା ବିଡ଼ିଓ ଶ୍ରୀ ସାହୁ ଆଗତ କରିବା ପରେ ତାହା ଗୃହିତ ହୋଇଥିଲା। ଏଥିସହ ଫସଲ କ୍ଷୟକ୍ଷତି, ପାନୀୟ ଜଳ ଯୋଗାଣ, ଜଳସେଚନ, ବିଦ୍ୟୁତ୍, କୃଷି ଓ ଉଦ୍ୟାନ ବିଭାଗ ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା । ଗତ ଅକ୍ଟୋବର ମାସରେ ପ୍ରତି ପଞ୍ଚାୟତରେ ହୋଇଥିବା ପଲ୍ଲୀସଭାରେ ଆଗତ ପ୍ରକଳ୍ପର ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ରହିଥିବା ବିଡ଼ିଓ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଆସନ୍ତା ଆର୍ଥିକ ବର୍ଷରେ ୧୮୫୪୬୧୭ ଶ୍ରମଦିବସ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଧନେଇ ଜଳସେଚନ ବିଭାଗ ତରଫରୁ ୪୭୨୧ ହେକ୍ଟର ଓ ବାଘୁଆ ତରଫରୁ ୮୩୦୦ ଜମିରେ ଜଳସେଚିତ ହେଉଥିବା, ସାନ ବରଗାଁ ନିକଟରେ ଧନେଇ ନଦୀରେ ଅନ୍ତଃନଦୀ ଜଳାଶୟ ଯୋଜନାରେ ଏକ ବ୍ୟରେଜ୍ ନିର୍ମାଣ ପ୍ରକ୍ରିୟା ଚୁଡାନ୍ତ ପର୍ଯ୍ୟାୟରେ ରହିଥିବା ଓ ଚାଷୀଙ୍କ ନିମନ୍ତେ ଆବଶ୍ୟକ ପାଣି ଗଛିତ ଥିବା ନେଇ ଜଳସେଚନ ବିଭାଗର ଅଧିକାରୀ ବିଷ୍ଣୁ ସାହୁ ସୂଚନା ଦେଇଥିଲେ । ବର୍ତ୍ତମାନ ବିଦ୍ୟୁତ୍ ବିଭାଗର ଭିତ୍ତିଭୂମିକୁ ସୁଦୃଢ କରାଯାଇଥିବା ବେଳେ ଜନସାଧାରଣଙ୍କ ସହଯୋଗ ପାଇଁ ବିଦ୍ୟୁତ ବିଭାଗର ଏସଡିଓ ବିଶ୍ଵରଞ୍ଜନ ମହାପାତ୍ର ପ୍ରକାଶ କରିଥିଲେ । ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତିକୁ ନେଇ କୃଷି, ଉଦ୍ୟାନ ଓ ରାଜସ୍ବ ବିଭାଗ ତରଫରୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପୋଲସରା ବ୍ଲକରେ ୫୭୨୮ ହେକ୍ଟର ଜମିରେ ଫସଲ କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଛି । ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ ଅନୁମୋଦନ ପୁର୍ବକ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ତହସିଲଦାର ଦିଲ୍ଲୀପ କୁମାର ନାୟକ, ଏବିଡ଼ିଓ ଧର୍ମରାଜ ପରିଡା, ସିଡ଼ିପିଓ କୁନ୍ତଳା କୁମାରୀ ନାୟକ, କ୍ଷୁଦ୍ର ଜଳସେଚନ ବିଭାଗର ଏସଡିଓ ଗୁଣନିଧି ପରିଗା, ଉଦ୍ୟାନ ବିଭାଗ ଅଧିକାରୀ ଦିପ୍ତିମୟୀ ବାସନ୍ତୀଆ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ସ୍ୱରୂପ କୁମାର ତ୍ରିପାଠୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here