ପୋଲସରା, ୧୦/୦୧/୨୦୨୨: ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ମାରଦା ମନ୍ଦିର ଓ ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ ପରିଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ୍ତତ୍ରୟ ଭାଉସାହେବ ଜାନୁଆରୀ ୧୦ ତାରିଖ ଦିନ ଗସ୍ତରେ ଆସି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିବା ଜଣାପଡିଛି। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ସମୟରେ ଚତୁର୍ଦ୍ଧାମୂର୍ତ୍ତି ଆଠଗଡ଼ ରାଜାଙ୍କ ପ୍ରତ୍ୟକ୍ଷ ସହଯୋଗରେ ମଥୁରା ନିକଟସ୍ଥ ମାରଦା ମନ୍ଦିର ବା ଶରଣ ଶ୍ରୀକ୍ଷେତ୍ରରେ ଗୋପନରେ ରହି ପୂଜା ପାଉଥିଲେ। ଶ୍ରୀ ଜଗନ୍ନାଥଙ୍କ ଅଜ୍ଞାତବାସ ସ୍ଥାନ ଶରଣ ଶ୍ରୀକ୍ଷେତ୍ର, ବର୍ତ୍ତମାନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରଚେଷ୍ଟାରେ ମନ୍ଦିରର ଉନ୍ନତି କରଣ ସହ ନିର୍ମାଣ ହେଉଛି ଏକ ସୁନ୍ଦର ଶିଶୁ ଉଦ୍ୟାନ। ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଏହି ପାର୍କ ନିଶ୍ଚିତ ଭାବେ ଆକୃଷ୍ଟ କରିବ ସନ୍ଦେହ ନାହିଁ। ଏହି ନିର୍ମାଣାଧୀନ ପ୍ରାର୍କର ଅଗ୍ରଗତି ଓ ଭବିଷ୍ୟତ ରୂପରେଖ ନେଇ ଜିଲ୍ଲାପାଳ ମହୋଦୟ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ। ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଭବିଷ୍ୟତରେ କଣ ସବୁ କାର୍ଯ୍ୟ କରାଯିବ ଜିଲ୍ଲାପାଳ ମହୋଦୟଙ୍କୁ ଅବଗତ କରାଇଥିଲେ। ଶରଣ ଶ୍ରୀକ୍ଷେତ୍ର ଶିଶୁ ଉଦ୍ୟାନ କାର୍ଯ୍ୟର ଅଗ୍ରଗତିରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଓ ପିଡ଼ି ଶ୍ରୀ ଭାଉସାହେବ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।
ରିପୋର୍ଟ:ଅନିଲ କୁମାର ମହାରଣା