ଗୋଳନ୍ଥରା ଥାନା ପରିସରରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ ଙ୍କ ମୃତ୍ୟୁ। କାରଣ ଅସ୍ପଷ୍ଟ । ତନାଘନାରେ ପୋଲିସ ।

0
335

ବ୍ରହ୍ମପୁର,୦୧/୦୨/୨୦୨୨ : ଗୋଲନ୍ଥରା ଥାନା ପରିସରରେ ଗତକାଲି ସନ୍ଧ୍ୟାରେ ରଣ୍ଡା ଗ୍ରାମ ବ୍ରାହ୍ମଣସାହିର ଲକ୍ଷ୍ମୀସାମନ୍ତରାଙ୍କ ଏକ ମାତ୍ର ପୁଅ ସନ୍ତୋଷ ସାମନ୍ତରାୟ ଓରଫ କାଳିଆ ରାତ୍ର ନଅଟା ବେଳେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଥାନା ଗେଟ୍ ବାହାରେ ନିଆଁ ଲାଗିବା ପରେ ଥାନା ମଧ୍ୟକୁ ସେ ପଶି ଯାଇଥିଲେ । ତୁରନ୍ତ ପୋଲିସ ତାଙ୍କୁ ଥାନା ମଧ୍ୟରୁ ନିଆଁ ଲାଗିଥିବା ଅବସ୍ଥାରେ ଅତି ସତର୍କତାର ସହ ଥାନା ଏସଆଇ ପବିତ୍ର କୁମାର ଦଳେଇ ଉଦ୍ଧାର କରିବା ସମୟରେ ନିଜର ପିନ୍ଧିଥିବା ଡ୍ରେସ୍ ନିଆଁ ଲାଗି ଯାଇଥିଲା ଓ ଏସ ଆଇ ଜ୍ଞାନରଞ୍ଜନ ସାହୁଙ୍କ ଉପରକୁ ଆତ୍ମଘାତୀ ଭଳିମାଡ଼ି ଆସିଥିଲା । ନିଜକୁ ବଞ୍ଚାଇବାକୁ ଯାଇ ଉଦ୍ଧାରକାରୀ ପୋଲିସଙ୍କ ହାତଗୋଡ଼ରେ ସାମାନ୍ୟ ଆହତ ଲାଗିଛି। ଘଟଣା ସ୍ଥଳରେ ଦୌଡ଼ି ଆସି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ନିଆଁ ଲିଭାଇବା ପାଇଁ ଟୱାଲ ପକାଇ ପ୍ରୟାସ କରିଥିଲେ। ସେତେବେଳକୁ ଥାନାର ଏକ ଲାପଟପ୍ , ପ୍ରିଣ୍ଟର ସହ ଥାନାର କିଛି ଦରକାରୀ ନଥିପତ୍ର ମଧ୍ୟ ପୋଡ଼ି ଯାଇଥିବା ଜଣାପଡ଼ିଛି। ଦେହରେ ନିଆଁ ଲଗେଇ ସଂପୃକ୍ତ ଯୁବକ ଥାନା ଭିତରକୁ ପଶିଲାବେଳେ ପାଖରେ ଶୋଇଥିବା ୱାରେଣ୍ଟି ଅଟକ ଜି. ଲାଛେୟା ସ୍ଵଚକ୍ଷୁରେ ଦେଖିଲା ପରେ ପାଖ ରୁମ୍ ରେ ଲୁଚି ପଡ଼ିଥିଲା। ସେଣ୍ଟ୍ରି ଦାୟିତ୍ୱରେ ଥିବା କନେଷ୍ଟବଳ ଫିଲିପ ସୋରେନ୍ ଘଟଣା ପାଖରୁ ଦୂରେଇ ଯାଇଥିଲେ । ଯୁବକକୁ ପୁଲିସ ଉଦ୍ଧାର କରି ନିଜଗାଡ଼ିରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଇଥିଲେ । କାଳିଆଙ୍କ ଶରୀରର ୯୦ ଭାଗ ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମଧ୍ୟରାତ୍ରରେ ଭୁବନେଶ୍ୱର ସୋମ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଆଜି ସକାଳ ୬ଟା ବେଳେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଏମସ ହସ୍ପିଟାଲରେ ଶବକୁ ବ୍ୟବଛେଦ କରାଯାଇ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ସତ୍କାର କରାଯାଇଥିବା ଜଣାପଡିଛି। ଆଜି ମଙ୍ଗଳବାର ଦିନ ସାଇଣ୍ଟଫିକ ଟିମ୍ ପହଞ୍ଚି କାଳିଆ ପିନ୍ଧିଥିବା ଚପଲ , ଦିଆସିଲି , ପୋଡ଼ି ଯାଇଥିବା ନଥିପତ୍ର ଯାଞ୍ଚ କରିଥିଲେ । ଘଟଣା ସ୍ଥଳରେ ବ୍ରହ୍ମପୁରଏସପି ପିନାକମିଶ୍ର , ଏସଡିପିଓ ଶିବଶଙ୍କର ମହାପାତ୍ର ପହଞ୍ଚି ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଘଟଣା ଦିନ ଡିସିଓ ଚାର୍ଜରେ ଥିବା ଅଭିଷେକ ପାଣ୍ଡବ , ସେଣ୍ଟ୍ରୀ ଦାୟିତ୍ୱରେ ଥିବା ଫୀଲିପ ସୋରେନଙ୍କୁ ପଚାରି ବୁଝିଥିଲେ । ଏ ନେଇ କାଳିଆର ପରିବାର ଲୋକେ ମୁଁହ ଖୋଲୁ ନଥିବା ଜଣାଯାଇଛି । କାଳିଆ କାହିଁକି ଏବଂ କେଉଁ ଅଭିଯୋଗ ନେଇ ଥାନାକୁ ଯାଇଥିଲେ , ତାଙ୍କର ଅଭିଯୋଗ କଣ ଥିଲା ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି । ସମ୍ଭବତଃ କାଳିଆ ଜନୈକ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିବାକୁ ଯାଇଥିଲେ ବୋଲି ସୂଚନା ମିଳୁଛି । ଏନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସୂଚନା ପ୍ରକାରେ ସନ୍ଧ୍ୟା ୬ଟା ବେଳେ କାଳିଆ କିଛି ଅଭିଯୋଗ କରିବା ପାଇଁ ଆସିଥିଲା । ସେ ତାଙ୍କୁ ଲିଖିତ ଅଭିଯୋଗ ଆଣିବାକୁ କହିଥିଲେ । ନିଜ ଚେମ୍ବର ଭିତରେ ବସି ଥାନା କାମରେ ଲାପଟପରେ କାମ କରିବା ବେଳେ ଏଭଳି ଘଟଣା ଘଟିଥିବା ଥାନା ଅଧିକାରୀ କହିଛନ୍ତି । ତେବେ ସେ ଲିଖିତ ଭାବେ ଅଭିଯୋଗ ନ କରି ମୌଖିକ ଅଭିଯୋଗ କରିଥିଲେ ବୋଲି କୁହାଯାଉଛି । ଅନ୍ୟ କ୍ରମରେ କାଳିଆ ଦୁଇ ନଂ ବ୍ୟବସାୟରେ ଲିପ୍ତଥିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଅଛି । କାଳିଆ ଥାନା ମଧ୍ୟକୁ ଯିବା ପୁର୍ବରୁ ଯୋଜନାବଦ୍ଧ ଭାବେ ପେଟ୍ରୋଲ ନେଇଥିଲେ । ଥାନାରେ ସନ୍ଧ୍ୟା ୬ଟା ବେଳେ ମୌଖିକ ଅଭିଯୋଗ ପରେ ପରେ ଘରକୁ ଆସି ପରିବାର ଲୋକେ ଖାଇବାକୁ କହିବାରୁ , ନଖାଇ ୯ଟା ବେଳେ ପୁଣି ଥାନା ବାହାରକୁ ଆସି ସେ ନିଆଁ ଲଗାଇ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହାକୁ ନେଇ ଆଜିଠାରୁ ପୋଲିସ ତଦନ୍ତ ଆରମ୍ଭ କରିବ । କାଳିଆ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିବା ନେଇ କିଛିବ୍ୟକ୍ତି କହିଛନ୍ତି । ବ୍ୟକ୍ତିଗତ ଶତ୍ରୁତା ଅଥବା ଅନ୍ୟ କଣ କାରଣ ରହିଛି ତାହା ତଦନ୍ତ ସାପେକ୍ଷ । ଥାନା ସିସିଟିଭି ଫୁଟେଜରୁ ଘଟଣାର ସ୍ପଷ୍ଠତା ନେଇ ଅନୁସଂଧାନ ଜାରି ରହିଥିବା ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here