ବ୍ରହ୍ମପୁର ,୧୩/୦୩/୨୦୨୨ : ସମ୍ପ୍ରତି ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନ ବ୍ରହ୍ମପୁର ମହାନଗରରେ ବିଜେଡିର କାମ କରୁଅଛି । ପ୍ରଶାସନିକ କଳ ଓ ବିଜେଡିର ନିର୍ଦ୍ଦେଶରେ ଗୁଣ୍ଡା ଓ ଅସାମାଜିକ ବ୍ୟକ୍ତିମାନେ ବିଜେପି ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଭୟଭୀତ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରୁଛନ୍ତି।କିଛି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରେ ସଫଳ ମଧ୍ୟ ହୋଇଛନ୍ତି ।ଭାରତୀୟ ଜନତା ପାର୍ଟି ଏହିପରି ହୀନକାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ରାଜ୍ୟ ନିର୍ବାଚନ ଅଧିକାରୀ , ବ୍ରହ୍ମପୁର ଏସପିଙ୍କ ଦୃଷ୍ଟିକୁ ଆଣିବା ସହ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରହରା ଦେବାକୁ ବାଧ୍ୟ ହୋଇଥିଲେ । ଏ ପରିସ୍ଥିତିରେ ଆଜି ସ୍ଥାନୀୟ ଷ୍ଟେସନ ରୋଡସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେଡିର କାର୍ଯ୍ୟକୁ ନେଇ ଘୋର ନିନ୍ଦା କରିଛନ୍ତି। ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ବିଜେଡିର ହାତବାରିଶୀ ସାଜିଥିବାରୁ ପୌର ନିର୍ବାଚନର ନିରପେକ୍ଷତା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ପଛ ତାରିଖରେ ବକେୟା ଆଦାୟ ପାଇଁ ନୋଟିସ ଦିଆଯାଇ ଭୟଭୀତ କରାଯାଉଛି । ପ୍ରଶାସନ କଳକୁ ବ୍ୟବହାର କରି ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେଡି ଯେଉଁ ହୀନ ପ୍ରୟାସ କରୁଛି , ବିଜେପି ତାହାର ଦୃଢ଼ ନିନ୍ଦା କରିଛି । ଅବୈଧ ଭାବରେ ବର୍ତ୍ତମାନ ସହରର ସମସ୍ତ ସରକାରୀ କୋଠା , ବିଦ୍ୟୁତ ଖୁଣ୍ଟକୁ ବିଜୁ ଜନତା ଦଳ ତାହାର ପତାକା , ପୋଷ୍ଟରରେ ଦଖଲ କରି ସରକାରୀ ଯୋଜନାର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗୁଣ୍ଡା ଓ ଅସାମାଜିକ ତତ୍ତ୍ୱ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଦାବି କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା , ବିଜେପି ନେତା କାହ୍ନୁ ଚରଣ ପତି , ମେୟର ପ୍ରାର୍ଥନୀ ଡାଃ. ସବିତା ସୁଆର , ସରୋଜ ସାବତ , ସୁନୀଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।