ବ୍ରହ୍ମପୁର ,୧୪/୦୩/୨୦୨୨ : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପ୍ରରୀପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କ୍ରିୟାଶୀଳ ହୋଇଅଛି । ଦଳର ଷ୍ଟାର ପ୍ରଚାରକ ଭାବେ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରଚାରର ମଙ୍ଗ ଧରି ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଜୁ ରଥ ଓ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ବିଧାୟକ ଶ୍ରୀ ଜେନା ନିଜ ସ୍ଵଭାବ ସୁଲଭ ଢ଼ଙ୍ଗରେ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ବିଭିନ୍ନ ୱାର୍ଡରେ କଂଗ୍ରେସର ନିର୍ବାଚନ କାର୍ଯ୍ୟାଳୟଗୁଡ଼ିକୁ ଉଦଘାଟନ କରିଥିଲେ । ସହରରେ ଦେଖାଯାଇଥିବା ବିପର୍ଯ୍ୟୟ ବ୍ୟବସ୍ଥାକୁ ନେଇ ବ୍ରହ୍ମପୁରବାସୀ ପରିବର୍ତ୍ତନ ଚାହୁଁଥିବାରୁ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବ୍ରହ୍ମପୁର ମହାନଗର ନିଗମ ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ମହାନଗର ନିଗମକୁ ଦୁର୍ନୀତିମୁକ୍ତ କରିବା ଏବଂ ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ମୁଖ୍ୟତଃ ରାସ୍ତା, ନାଳନର୍ଦ୍ଦମା , ପାନୀୟ ଜଳ ସମସ୍ୟା , ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା , ସ୍ୱାସ୍ଥ୍ୟସେବା ଓ ଗରିବଙ୍କ ପାଇଁ ବ୍ୟବସ୍ଥିତ ଯୋଜନାର କାର୍ଯ୍ୟକାରୀ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ଜନସାଧାରଣଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଶ୍ରୀ ଜେନା ଦୃଢୋକ୍ତି ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନ ପ୍ରଚାର ଅବସରରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ବିଭିନ୍ନ ସ୍ଥାନରେ ସାଧାରଣ ଜନତା ମଧ୍ୟ ସମ୍ବଦ୍ଧିତ କରୁଥିବା ଦେଖାଯାଇଥିଲା । ରବିବାର ସକାଳେ ମହାନଗର ନିଗମର ୧୩ଟି ୱାର୍ଡ ଯଥା ୬, ୮, ୧୬, ୧୭, ୨୩, ୨୫, ୩୦, ୩୪, ୩୬, ୩୭, ୩୮, ୩୯, ୪୦ରେ ନିର୍ବାଚନ ପ୍ରଚାର କରାଯାଇଥିଲା । ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ମେୟର ପ୍ରାର୍ଥୀ ଶ୍ରୀମତୀ ରଥ , ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା , କଂଗ୍ରେସର ମୁଖପାତ୍ର ରବି ରଥ , ଜିଲା କଂଗ୍ରେସ ଉପସଭାପତି ମହେଶ୍ଵର ପାତ୍ର , ସମ୍ପାଦକ ଦଣ୍ଡପାଣି ପାତ୍ର , ସେବାଦଳ ମୁଖ୍ୟ କିଶୋର କାପୁର , କର୍ପୋରେଟର ପ୍ରାର୍ଥୀ କଳ୍ପନା ମାଝି , ସିଦ୍ଧାନ୍ତ ସାହୁ , ରଶ୍ମିତା ପ୍ରଧାନ , କେ. ରବି , ସବିତା ନାୟକ , ସନ୍ତୋଷୀ ଦାସ , ରଶ୍ମିତା ପ୍ରଧାନ , ଦଣ୍ଡପାଣି ସାହୁ , ଲତା ଦାସ , ବବିତା ନାୟକ , ରୁବିନା ସାହୁ , ଶର୍ମିଲା ଚଢି , ରଞ୍ଜିତା କୁମାରୀ ପ୍ରଧାନଙ୍କ ସମେତ ଶହ ଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ପରିବର୍ତ୍ତନ ଚାହୁଁଛନ୍ତି ବ୍ରହ୍ମପୁରାବାସୀ , କଂଗ୍ରେସ ଅକ୍ତିଆର କରିବ ମହାନଗର ନିଗମ : ରମେଶ ଚନ୍ଦ୍ର...