ବ୍ରହ୍ମପୁର,୩୦/୦୪/୨୦୨୨: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧିନ ଚିକିଟି ତହସିଲ ଅଞ୍ଚଳରେ ବାହୁଦା ନଦୀ ପ୍ରବାହିତ ରାଜସ୍ବ ବିଭାଗର ଅଣ ଘୋଷିତ ବାଲି ସଇରାତ ଏବଂ ଅଣନୀଲାମି ବାଲି ସୈରାତରୁ ପ୍ରତ୍ୟହ ଅବୈଧ ଉପାୟରେ ସଂଖ୍ୟାଧିକ ଯେସିବି ଲଗାଇ , ଟିପ୍ପର ଦ୍ଵାରା ଆନ୍ଧ୍ରର ଡି ଡି ବିଲଡର ନାମକ ନିର୍ମାଣ ସଂସ୍ଥା ବେନିୟମ ଭାବରେ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ରହିଅଛି । କେ ନୂଆଗାଁ ଥାନା ଅଂଚଳରେ ଥିବା ଏହି ନଦୀପଠାରୁ ଆନ୍ଧ୍ର ମାଫିଆଙ୍କ ଗୋଟି ଚାଳନାକୁ ପ୍ରଶ୍ରୟ ଦେଇ ସ୍ଥାନୀୟ ପ୍ରଶାସନ ଭିତିରି କାରବାର ଭିତ୍ତିରେ କରାଯାଉଥିବା ମଧ୍ୟ ଅଭିଯୋଗ ରହିଅଛି । ଥାନା ଓ ତହସିଲ ପ୍ରଶାସନ ସହ ଶାସକଦଳର ମଧୂଚନ୍ଦ୍ରିକା କାରଣରୁ ପୂର୍ବଦିନରେ କୋଟିଲିଙ୍ଗି ରାଜସ୍ବ ସର୍କଲର ଖରଖରିଆରେ ଚାଲୁଥିବା ଅବୈଧ ବାଲି ବେପାରକୁ ଅତର୍କିତ ଚଢ଼ାଉ କରି ବନ୍ଦ କରିଥିଲା ବେଳେ ସମ୍ପ୍ରତି ଡି ଡି ବିଲଡର ଦ୍ଵାରା କାମ୍ପ ନୂଆଗାଁ ନିକଟ କୋଳିହଲାର ବାହୁଦା ନଦୀ ପଠାରୁ ଅବୈଧ ଭାବରେ ରାତ୍ରୀ ୭ ରୁ ରାତ୍ରି କାଳୀନ ବାଲି ଚାଲାଣ ହେଉଥିଲେ ମଧ୍ୟ ପୋଲିସ ଚୁପ୍ ରହୁଥିବା ସାଧାରଣରେ ସଂଶୟ ସୃଷ୍ଟି କରୁଛି । ସେହିପରି ଚିକିଟି ତହସିଲ ନୁଆଁପଡ଼ା ଆର୍ ଆଇ ସର୍କଲ ଅତାର୍ଗତ ପତ୍ରଚୁଡ଼ି ନିକଟ ସିରିପୁର ବାଲି ସଇରାତକୁ ମଧ୍ୟ ବିଭାଗୀୟ ଗୋଟି ଚାଳନାରେ ସଂପୃକ୍ତ ସଂସ୍ଥାକୁ ଦାନ କରାଯାଇଥିବା ଅନୁମାନ କରାଯାଉଛି । ଡି ଡି ବିଲଡର ସିରିପୁରରେ ଏହି ନଦୀର ସରକାରୀ ଘୋଷିତ ସୈରାତକୁ ବିନା ନିଲାମିରେ ସୁଚିନ୍ତିତ ଉପାୟରେ ସ୍ପଷ୍ଟ ଦିବାଲୋକରେ ଲୁଟୁଥିବା ଦେଖିବାକୁ ମିଳିଛି । ତହସିଲଦାରଙ୍କ ତଥ୍ୟ ପ୍ରକାରେ ଅପ୍ରେଲ ୨୧ ରୁ ଏହି ସଇରାତ ଟେଣ୍ଡର ପ୍ରକ୍ରିୟାରେ ଥାଇ ତିନି ତିନିଥର ବାତିଲ ହେବା କାରଣ ସାଧାରଣରେ ଅସ୍ପଷ୍ଟ ହୋଇଅଛି । ଶେଷ ନିଲାମିରେ ଉଚ୍ଚଦରରେ ଥିବା ବିଡ଼ରଙ୍କୁ ନିଲାମି ନଦେଇ ପ୍ରଶାସନ ବାହୁଡ଼ା ନଦୀରେ ଅତିଥି ଚର୍ଚ୍ଚା କରିଥିବା ଆଲୋଚନା ହେଉଅଛି ।ବିନା ପଲ୍ୟୁସନ୍ ପ୍ରମାଣପତ୍ର , ମାଇନିଙ୍ଗ ପ୍ଲାନ୍ , ଏନଜିଟି କ୍ଲିଅରେନ୍ସରେ ଜେସିବି ଦ୍ବାରା ନଦୀରେ ବାଲି ଉଠାଇବା ନେଇ ସ୍ଥାନୀୟ କୁଜି ମାଫିଆ ଛାତି ଫୁଲାଉଥିବା ବେଳେ ପରିବେଶ ସୁରକ୍ଷା ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି । ଅବୈଧଭାବେ ବାଲି ଉତ୍ତୋଳନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଥିନେଇ ପ୍ରଶ୍ନ କଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛନ୍ତି । ଗଣମାଧ୍ୟମରେ ଖବର ପରିବେଷଣ କଲେ ସେମାନଙ୍କ କୌଣସି କ୍ଷତି ହେବାର ନାହିଁ ବୋଲି ଓଲଟି ବିତଣ୍ଡା ଯୁକ୍ତି କରୁଥିବା ଜଣାଯାଇଛି । ବିନା ୱାଇ ଫର୍ମ , ଟ୍ରାନଜିଟ୍ ପାସରେ ଶହଶହ ଟ୍ରିପ ଟିପର ବାଲି ଚାଳନାରେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସଇରାତ ଗୁଡ଼ିକୁ ନିଲାମ କରାନଯିବା ପ୍ରଶାସନିକ ମଧୂଚନ୍ଦ୍ରିକା ଆଲୋଚନାକୁ ଖୋରାକି ଯୋଗାଇଛି ।






