ବ୍ରହ୍ମପୁର, ୦୧/୧୦/୨୦୨୨ (ଟୁକୁନା ପ୍ରଧାନ) ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଦସ୍ୟ, ଓଡ଼ିଶାରେ ଆର୍ଯ୍ୟ ସମାଜର ପ୍ରଥମ ବାର୍ତ୍ତାବହ, ଗଞ୍ଜାମ ଜିଲ୍ଲାର ପ୍ରଥମ ସ୍ନାତକ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ସଭାପତି, ‘ସଂସ୍କାରକ’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ, ଓଡ଼ିଶାରେ ନାରୀଶିକ୍ଷା ଓ ବିଧବା ବିବାହର ପ୍ରଥମ ପ୍ରୋତ୍ସାହକ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୨ତମ ଜୟନ୍ତୀ ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଶ୍ରୀ ଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ପୂର୍ବତନ ସାଂସଦ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରୁଥିବା ମାସିକ ଘଡ଼ଘଡ଼ିର ସମ୍ପାଦକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କୁ ମାନପତ୍ର, ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରି ‘ସଂସ୍କାରକ ଶ୍ରୀବତ୍ସ ପଣ୍ଡା’ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କେନ୍ଦ୍ରୀୟ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତ୍ତତ୍ରାଣ ମିଶ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ, ଡ଼ଃ ସୌରେନ୍ଦ୍ର କୁମାର ମହାପାତ୍ର, ପୂର୍ବ ପ୍ରଶାସକ ଗୋପାଳ ମହାପାତ୍ର, ସମାଜସେବୀ ସୀତାବଲ୍ଲଭ ମହାପାତ୍ର, ଡଃ ମନୋଜ ଲେଙ୍କା, ଜନ୍ମେଜୟ ନାୟକ, ନଳିନୀକାନ୍ତ ରାଉତ, ଭବାନୀକାନ୍ତ ରାଉତ, ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଭଜନ ପରିବେଷଣ କରିଥିଲେ ରଞ୍ଜନ କୁମାର ସାହୁ ଓ ତାଙ୍କ ସାଥୀମାନେ ।