ଜମାରାଶି ଫେରସ୍ତ ଦାବିରେ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0
123

ବ୍ରହ୍ମପୁର, ୦୯/୧୧/୨୦୨୨ : ଦୀର୍ଘ ୮ବର୍ଷ ଧରି ଜମାକାରୀ ମାନେ ସେମାନଙ୍କର ପରିପକ୍ବ ରାଶି ସାହାରା ଚିଟଫଣ୍ଡ କମ୍ପାନୀ କୁ ଦୌଡ଼ି ଦୌଡ଼ି ଫେରସ୍ତ ନ ପାଇ ସର୍ବସ୍ବାନ୍ତ ହୋଇଗଲେଣି । ବାରମ୍ବାର ପ୍ରତିଶ୍ରୁତି ଓ ତାରିଖ ପରେ ତାରିଖକୁ ଗଡ଼େଇ ସାହାରା କମ୍ପାନୀ ର ଶାଖା ପରିଚାଳକ, ଆଞ୍ଚଳିକ ପରିଚାଳକ ଓ ମଣ୍ଡଳ ପରିଚାଳକମାନେ ଜମାକାରୀଙ୍କୁ ଭୁଆଁ ବୁଲେଇ ଆସୁଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଜମାକାରୀଙ୍କୁ ପଇସା ଫେରାଇବା ପାଇଁ ପ୍ରତିଶ୍ରୁତିମାନ ଦେଇ ମଧ୍ୟ ସାହାରା କାହାକୁ ପଇସା ଫେରାଉନାହିଁ । ଏହାର ପ୍ରତିବାଦରେ ଆଜି ବ୍ରହ୍ମପୁର ଟାଟା ବେଞ୍ଜ ସ୍ଥିତ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ସାହାରା ଜମାକାରୀ ମଞ୍ଚର ଡ଼ାକରାରେ ଏକଦିବସୀୟ ଗଣଧାରଣା କାର୍ଯ୍ୟକ୍ରମ କରାଯାଇଅଛି । ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଛି କି ସାହାରା ଏକ ଚିଟଫଣ୍ଡ କମ୍ପାନୀ ଯିଏ ୨୦୧୨ ମସିହାରୁ ଜମାକାରୀମାନଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର ପ୍ରତିଶ୍ରୁତିଦେଇ ସେବି ପଇସା ରଖୁଛି ଓ କମ୍ପାନୀରେ ଥିବା ସ୍କିମକୁ କ୍ୟୁ ସପ୍ କମ୍ପାନୀ ନାମରେ ପରିବର୍ତନ କରି ଆଜିପର୍ଯ୍ୟନ୍ତ ଜମାକାରୀଙ୍କୁ ଠକି ଚାଲିଛି । କିନ୍ତୁ ଦୁର୍ଭାଗ୍ୟର କଥା ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁଯାଇ ସେବି ପାଖରେ ୨୪,୭୦୦ କୋଟି ବଦଳରେ ସାହାରା ମାତ୍ର ୧୫,୫୦୩ କୋଟି ଜମାକରିଛି, ଯାହା କେବଳ ହାଉସିଂ ଓ ରିୟଲ ଇଷ୍ଟେଟ କମ୍ପାନୀର ଜମାକାରୀଙ୍କ ପାଇଁ ଉଦ୍ଦିଷ୍ଟ । କିନ୍ତୁ ସାହାରା କମ୍ପାନୀ ଅନ୍ୟାନ୍ୟ ୩ଟି ସୋସାଇଟି ଏବଂ ୨ଟି କମ୍ପାନୀ ନାମରେ ଆମ ରାଜ୍ୟରୁ
୨୦,୦୦୦ କୋଟି ଟଙ୍କା ସଂଗ୍ରହ କରି ତାହାର ପରିପକ୍ବ ରାଶି ମଧ୍ୟ କାହାରିକୁ ଆଜି ସୁଦ୍ଧା ଫେରାଇ ନାହିଁ । ଏହି ପରିପ୍ରେକ୍ଷୀରେ ସାହାରା ଜମାକାରୀ ମଞ୍ଚ ଡାକରାରେ ବାରମ୍ବାର ସରକାରଙ୍କର ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କିମ୍ବା କମ୍ପାନୀ ସ୍ତରରେ ଜମାକାରୀଙ୍କୁ ଟଙ୍କା ଫେରାଇବାରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଯାହା ଫଳରେ ଆଜି ରାଜ୍ୟର ସମସ୍ତ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଆଗାମି ଦିନରେ ଯଦି ଜମାକାରୀମାନେ ଟଙ୍କା ଫେରିନପାଆନ୍ତି ଏଥୂପାଇଁ ଯେଉଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟିହେବ ସେଥି ପାଇଁ ସରକାର ଓ ସାହାରା କମ୍ପାନୀର କର୍ତ୍ତୃପକ୍ଷ ଦାୟୀ ରହିବେ । ଆଜିର ଧାରଣା କାର୍ଯ୍ୟକ୍ରମରେ ସାହାରା ଜମାକାରୀ ମଞ୍ଚର ଉପସଭାପତି ସୁନିଲ କୁମାର ଦାଶଙ୍କ ନେତୃତ୍ବରେ ସମ୍ପାଦକ ସଞ୍ଜୀବ କୁମାର ପଣ୍ଡା, ଦେବେନ୍ଦ୍ର ବେହେରା, ଚିତ୍ତରଞ୍ଜନ ପାଢ଼ୀ, ଶୈଳବାଳା ପଣ୍ଡା, ଶଙ୍କର୍ଷଣ ମହାନ୍ତି, ବି. ଦିଲ୍ଲୀପ ପାତ୍ର, ରବି ବାରିକ, ଦଣ୍ଡପାଣି ସେଠି, ବାବୁଲା ବେହେରା, ପ୍ରମୋଦ ଦାଶ, ଏ ଯମୁନା, ଲକ୍ଷ୍ମଣ ସାହୁ, ଲିଙ୍ଗରାଜ ଆଚାରି ପ୍ରମୁଖ ଯୋଗଦେଇ ତୁରନ୍ତ ଜମାରାଶି ଫେରସ୍ତ ନିମନ୍ତେ ଦାବି କରିବା ସହ ଧାରଣା ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here