ଭୁବନେଶ୍ୱରରେ‘ରୋଜଗାର ମେଳା’ରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ।ନବନିଯୁକ୍ତ ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଦାୟିତ୍ୱ ଏବଂ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କଲେ ସମାଜରେ ପରିବର୍ତ୍ତନ ଆସିବ- ଧର୍ମେନ୍ଦ୍ର ପ୍ରଧାନ

0
167

ଭୁବନେଶ୍ୱର,୨୨/୧୧/୨୦୨୨:

ନୂତନ ଭାବେ ନିଯୁକ୍ତ ପାଇଥିବା ଯୁବକ ଯୁବତୀମାନେ କର୍ମକ୍ଷେତ୍ରରେ ଯୋଗ ଦେବା ସମୟରେ ନିଷ୍ଠାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରନ୍ତୁ । ଲୋକଙ୍କ ସେବା କରିବା ଦ୍ୱାରା ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ରୋଜଗାର ମେଳା ଅନ୍ତର୍ଗତ ନିଯୁକ୍ତିପତ୍ର ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ଥାନୀୟ ରେଳ ଅଡିଟୋରିୟମ ଠାରେ ରାଜ୍ୟରେ ରୋଜଗାର ମେଳାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ୩୮୪ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯୁବକ ଯୁବତୀମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଯିବା ବେଳେ ନିଜର ‘କର୍ତ୍ତବ୍ୟ ପଥ’କୁ ସବୁବେଳେ ମନେ ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ଏଠାରେ ଉପସ୍ଥିତ ଯୁବସାଥୀମାନେ ସର୍ବୋପରି ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଥେୟ କରନ୍ତୁ । ଶହୀଦ ଲକ୍ଷ୍ମଣ ନାଏକ ଦେଶସେବା ପାଇଁ ବଳିଦାନ ଦେଇଥିଲେ । ଉତ୍କଳ କେଶରୀ ଡା. ହରେକୃଷ୍ଣ ମହତାବ ଆମ ଓଡ଼ିଆ ଜାତିକୁ ନୂଆ ଦିଗଦର୍ଶନ ଦେଇଥିଲେ । ଏହି କାରଣରୁ ଆମେ ସାମ୍ପ୍ରତିକ ସମୟରେ ଉପନୀତ ହୋଇଛେ । ଅର୍ଥାତ୍ ଜଣେ କର୍ତ୍ତବ୍ୟ ନେଲେ ଅନେକ ଲୋକଙ୍କର ଅଧିକାର ସୁରକ୍ଷିତ ରୁହେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନିଯୁକ୍ତିପତ୍ର ପାଇଥିବା ଯୁବକ ଯୁବତୀମାନେ ଆସାମ ରାଇଫଲ୍ସ, ଏମ୍ସ ଭୁବନେଶ୍ୱର, ବିଏସଫ, ସିଆଇଏସଏଫ, ରେଳ, ଇଏସଆଇସି, ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ, ଆଇଆଇଟି ଭୁବନେଶ୍ୱର, ଇନକମ ଟ୍ୟାକ୍ସ, ଆଇଟିବିପି, ଡାକ ବିଭାଗ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସଶସ୍ତ୍ର ସୀମା ବଳ ଓ ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହରେ କାମ କରିବାର ସୁଯୋଗ ପାଇଛନ୍ତି । ଆଜିର ନିଯୁକ୍ତି ମାଧ୍ୟମରେ ୧୩୦ କୋଟି ଭାରତୀୟଙ୍କ ସେବା କରିବା ଭଳି ଗୁରୁ ଦାୟିତ୍ୱ ଯୁବସାଥୀଙ୍କ ହାତରେ ନ୍ୟସ୍ତ କରାଯାଇଛି । ଚାକିରି ନୁହେଁ ବରଂ ଭାରତୀୟଙ୍କ ସେବା କରିବାର ସୌଭାଗ୍ୟ ପାଇଛନ୍ତି । ରୋଜଗାର ମେଳା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅକ୍ଟୋବର ୨୨ ତାରିଖ ଦିନ ୧୦ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ଏହି ଦିନ ପ୍ରଥମ ପର୍ଯ୍ୟାୟରେ ଦେଶର କୋଣ ଅନୁକୋଣରେ ୭୫,୦୦୦ ଯୁବକଯୁବତୀଙ୍କୁ ଏକକାଳୀନ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଆଜି ମଧ୍ୟ ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୪୫ଟି ସ୍ଥାନରେ ୭୧,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହାସହ ନୂଆ ନିଯୁକ୍ତିଧାରୀଙ୍କୁ ଅନଲାଇନରେ ଓରିଏନଟେସନ କୋର୍ସ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ‘କର୍ମଯୋଗୀ ପ୍ରାରମ୍ଭ ମୋଡ୍ୟୁଲ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଦେଶରେ ଆତ୍ମନିଯୁକ୍ତି ସ୍ୱରୋଜଗାରର ନୀତିଗତ ନିଷ୍ପତି ମୋଦି ସରକାର ନେଇଥିବା କାରଣରୁ ଗବେଷଣା, ନବସୃଜନ ଓ ଉଦ୍ୟମିତାର ନୂଆ ବାତାବରଣ ତିଆରି ହୋଇଛି ।
ଦେଶ ସ୍ୱାଧୀନତାର ୭୫ ବର୍ଷର ଯାତ୍ରା ଅବସରରେ ଆମେ ‘ଅମୃତ ମହୋତ୍ସବ’ ପାଳନ କରୁଛୁ । ଏହି ସମୟରେ ଦେଶ ଓ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବା ଏବଂ ଆମର ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିବା ହେଉଛି ଆମର ଗୁରୁ ଦାୟିତ୍ୱ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ନୂଆ ଶିକ୍ଷା ନୀତି ଲାଗୁ ହୋଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ପାଠପଢା ସମେତ କାମ କରିବାର ଅନୁଭବକୁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଯୋଡାଯିବାର ବ୍ୟବସ୍ଥା ହୋଇଛି । ମାତୃଭାଷାକୁ ପ୍ରାଧାନ୍ୟ ସହ ଭାରତୀୟ ଡିଜିଟାଲ ବିଶ୍ୱବିଦ୍ୟାଳୟର କଳ୍ପନା ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ରୋଜଗାର ମେଳାର ପ୍ରଥମ ପର୍ଯ୍ୟାୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱରରେ ରାଜ୍ୟର ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।ସୂଚନାଯୋଗ୍ୟ, ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ବୀରତ୍ୱ, ନେତୃତ୍ୱ ଓ ତ୍ୟାଗ ମନୋବୃତ୍ତି ଭବିଷ୍ୟତ ଯୁବପିଢିଙ୍କ ପାଇଁ ପାଥେୟ ହେବ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here