ପାତ୍ରପୁର,୦୧/୦୨/୨୦୨୩:ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ସରପଞ୍ଚ ଦୀର୍ଘ ଦେଢ଼ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି । ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ସରପଞ୍ଚ ପ୍ରତିମା ପ୍ରଧାନଙ୍କ ଅକସ୍ମାତ ପେଟ ଯନ୍ତ୍ରଣା ଅନୁଭବ ହୋଇଥିଲା । ଯନ୍ତ୍ରଣା ଅଧିକ ହେବାରୁ ପୁଅ ସଚିନ୍ ପ୍ରଧାନ ତାଙ୍କୁ ତୁରନ୍ତ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବ୍ରହ୍ମପୁର ହସ୍ପିଟାଲରେ ଡାକ୍ତର ପରିକ୍ଷା କରିବା ପରେ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଜଣାଯାଇଥିଲା । ପରଦିନ ଚିକିତ୍ସାଧୀନ ଅବସ୍ଥାରେ ପ୍ରତିମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ ତାଙ୍କୁ ଭୁବନେଶ୍ବର ସ୍ଥିତ ଉତ୍କଳ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ପ୍ରାୟ ୪୫ ଦିନ ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବାରୁ ଡାକ୍ତର ତାଙ୍କୁ ୨୭ ତାରିଖ ଦିନ ଘରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ଗତ ୨୮ ତାରିଖ ଦିନ ସେ ସୁସ୍ଥ ହୋଇ ସାମନ୍ତରାପୁର ସ୍ଥିତ ନିଜ ବାସ ଭବନରେ ପହଞ୍ଚିଛନ୍ତି । ଏଥି ନେଇ ସରପଞ୍ଚ ପ୍ରତିମା ପ୍ରଧାନଙ୍କ ସହ ଯୋଗାଯୋଗ ପ୍ରକାରେ ସେ ଦୀର୍ଘ ୪୫ ଦିନର ଚିକିତ୍ସାଗତ କାରଣରୁ ଅଞ୍ଚଳରେ ଅନୁପସ୍ଥିତ ଯୋଗୁଁ ପଞ୍ଚାୟତର ସେବା କରିବାରେ ବାଧାସୃଷ୍ଟି ହୋଇଥିବା ପ୍ରକାଶ କରିବା ସହ ରହିଥିବା ବିକାଶ ମୂଳକ କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ସଫଳ କରିବାକୁ ପ୍ରତିକ୍ରିୟା ରଖିଛନ୍ତି । ସାମନ୍ତରାପୁର ପଞ୍ଚାୟତବାସୀଙ୍କ ପୂର୍ଣ୍ଣ ଆଶୀର୍ବାଦରୁ ସେ ସୁସ୍ଥ ହୋଇ ଫେରିବା ସହ ସ୍ଥାନୀୟ ବିଧାୟିକା ଉଷା ଦେବୀ ଓ ତାଙ୍କ ସୁପୁତ୍ର ଶ୍ରୀରୁପ ଚିନ୍ମୟନନ୍ଦ ଦେବଙ୍କ ପୂର୍ଣ୍ଣ ସହଯୋଗିତାକୁ ଶ୍ରେୟ ଦେଇଛନ୍ତି ।