ସାନଖେମୁଣ୍ଡି , ୨୭/୦୫/୨୦୨୩ : ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା କଂସାମାରୀ ଗ୍ରାମରେ ଗତ ୧୩ ତାରିଖ ମଧ୍ୟରାତ୍ରରେ ଘଟିଥିବା ସିରିଜ୍ ଚୋରୀ ଘଟଣା ନେଇ ଥାନାରେ କରାଯାଇଥିବା ଏତଲାକୁ ଭିତ୍ତିକରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଚାଲିଥିବା ତଦନ୍ତରେ ସୁଫଳ ମିଳିଛି । ଏହି ସିରିଜ ଚୋରି ଘଟଣାର ବ୍ୟାପକ ଅନୁସନ୍ଧାନ ସହ ଚୋରି ମୋବାଇଲ ଟ୍ରାକିଂ କରି ପାଟପୁର ପୋଲିସ ଏକ ପ୍ରମୁଖ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଠାବ କରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଅଟୋ ଚାଳକ ବାପ ପୁଅଙ୍କ ସହ ଡକାୟତ ବାପ ପୁଅ ଏବଂ ସଂପର୍କୀୟଙ୍କ ସହ ଚୋରି ସୁନାକୁ ନିୟମିତ କିଣୁଥିବା ଶେରଗଡ଼ ଥାନା ଶୋଳଶଳା ଗ୍ରାମର ସୁନା ବେପାରୀ ବି , ରମେଶ ପାତ୍ର ଥିବା ଜଣାଯାଇଛି । ଏହାସହ ପୋଲିସ ଏମାନଙ୍କ ଠାରୁ ପ୍ରାୟ ୭୦ ଗ୍ରାମର ବିଭିନ୍ନ ଚୋରି ସୁନା ଅଳଙ୍କାର , ବାସନ କୁସନ , ମୋବାଇଲ ଫୋନ ସହ ଚୋରିବୃତ୍ତିରେ ବ୍ୟବହୃତ ବଜାଜ ଅଟୋ ରେଜି ନଂ ଓଡ଼ି ୦୭ ସି ୦୪୯୩ କୁ ଜବତ କରିଛି ।
ସୂଚନା ପ୍ରକାରେ ଗତ ୧୩ ତାରିଖ ମଧ୍ୟରାତ୍ରରେ ଏହି କୁଖ୍ୟାତ ଗ୍ୟାଙ୍ଗ ପ୍ରଥମେ କଂସାମାରୀ ଗ୍ରାମର ଜି ରାଜେନ୍ଦ୍ର ପାତ୍ର ପରେ ଝୁନୁ ବାଡତ୍ୟାଙ୍କ କବାଟ ଭାଙ୍ଗି ଘରେ ପଶି ବିପୁଳ ପରିମାଣର ଚୋରି କରିବାରେ ସଫଳ ହୋଇଥିଲେ । ଏ ନେଇ ରବୀନ୍ଦ୍ର ପାଟପୁର ଥାନାରେ କରିଥିବା ଏତଲା ପ୍ରକାରେ ପାଟପୁର ପୋଲିସ ତାର ଅନୁସନ୍ଧାନ ଜାରି ରଖିଥିଲେ । ପୋଲିସ ଅଧିକାରୀ ଟୁନା ପିଡ଼ିକା ଏବଂ ମହିଳା ପୋଲିସ ଅଧିକାରୀ ମିଳନ ପ୍ରଧାନ ପୃଥକ୍ ଗୋଷ୍ଠୀରେ ସଦଳବଳେ ଅନୁସନ୍ଧାନ ଜାରୀ ରଖି ଚୋରୀ ମୋବାଇଲକୁ ନମ୍ବର ଟ୍ରାକିଂ କରି ପ୍ରଥମେ ପାଟପୁର ନିକଟ ଜୟନଗର ଏରେଗୋଲା ବସ୍ତିରେ ପହଞ୍ଚି ସ୍ତୁତି ଯାଂଚ କରି ସୁରାକ ପାଇବାରେ ସକ୍ଷମ ସହ ଏସ ସାହେବ ଏବଂ ପୁଅ ଏସ ବିକ୍ରମକୁ ହେପାଜତକୁ ଆଣିଥିଲେ । ପର ସମୟରେ ଶେରଗଡ଼ ଥାନା ସହାୟତାରେ ଧବଳପୁର ଗ୍ରାମର ଅଟୋ ମାଲିକ ହରି ଡାକୁଆ , କୃଷ୍ଣ ଡାକୁଆ ବାପପୁଅଙ୍କୁ ଧରିବାରେ ସକ୍ଷମ ପରେ ଗ୍ରାମର ତପଗୁଲୁ ଟୁନାକୁ ହେପାଜତକୁ ନେଇଥିଲା । ଏମାନଙ୍କ ମିଳିତ ସୂଚନା ପ୍ରକାରେ ଚୋରି ସୁନା କିଣିଥିବା ବି ରମେଶକୁ ଗିରଫ କରି ଚୋରି ସୁନା ଜବତ କରିବାରେ ପାଟପୁର ଥାନା ପୋଲିସ ସଫଳ ହୋଇଥିଲା । ସମସ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କେଶ ନଂ ୨୬୬/୧୪-୦୫-୨୦୨୩ ପ୍ରକାରେ ଧାରା ୟୁ ଏସ ୪୫୭/୩୮୦ ଆଇପିସିରେ ଆଜି କୋର୍ଟ ଚାଲାଣ କରିଥିବା ସହ ଉଦ୍ଧାର ଚୋରି ସାମଗ୍ରୀକୁ ଉପଯୁକ୍ତ ପ୍ରମାଣ ସହ ଏତଲାକାରୀଙ୍କୁ ପ୍ରଦାନ କରିଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଥାନା ପକ୍ଷରୁ ସୂଚିତ କରାଯାଇଛି ।