ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନ ବିକାଶ” କାର୍ଯ୍ୟକ୍ରମ ପାଳିତ

0
146

ବ୍ରହ୍ମପୁର,୨୭/୦୯/୨୦୨୩:ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମା ମହୁରୀ କାଳୁଆ ପୀଠରେ ବ୍ରହ୍ମପୁର ସବୁଜ ବାହିନୀ ସଙ୍ଗଠନ ତରଫରୁ “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସଙ୍ଗଠନ ଦ୍ୱାରା ଉକ୍ତ ଶକ୍ତି ପୀଠର ମୁଖ୍ୟ ରାସ୍ତାରୁ ପାହାଡ଼ ଉପରକୁ ସଂଯୋଗ କରୁଥିବା ରାସ୍ତାରୁ ପ୍ଲାଷ୍ଟିକ ବୋତଲ, ପଲିଥିନ ଏବଂ ସମୂହ ଆବର୍ଜନାକୁ ସଫା କରାଯାଇଥିଲା। ତାହାସହ କାର୍ଯ୍ୟକ୍ରମ ଶେଷରେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ମୁଖ୍ୟ ଅଧିକାରୀ ଶ୍ରୀ ବିନୋଦ କୁମାର ବେହେରାଙ୍କୁ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ସ୍ୱଚ୍ଛତା ସକାଶେ ଏକ ଦାବି ପତ୍ର ସଙ୍ଗଠନ ଦ୍ୱାରା ପ୍ରଦାନ କରାଯାଇଥିଲା। ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବିଗତ ଏକ ବର୍ଷ ଧରି “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନ ବିକାଶ” କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ପର୍ଯ୍ୟଟନ କ୍ଷେତ୍ର ଗୁଡିକରେ ପାଳନ କରିଆସୁଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଧେଶ୍ୟ ହେଉଛି ଗଞ୍ଜାମ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ମୁକ୍ତି କରିବା ସହ ବନ୍ୟ ପ୍ରାଣୀ ମାନଙ୍କ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା କରାଇବା। ଯେଉଁ ପର୍ଯ୍ୟଟକମାନେ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସନ୍ତି ସେଥି ମଧ୍ୟରୁ କିଛି ସେଠାକାର ପ୍ରକୃତିକୁ ଉପଭୋଗ କରିବା ବେଳେ ବିଭିନ୍ନ ଆବର୍ଜନା ଢ଼ାଳି ନିଆଁ ଲଗାଇ ପରିବେଶକୁ ନଷ୍ଟ କରିଦିଅନ୍ତି। ଯାହାଦ୍ୱାରା ଅନ୍ୟ ପର୍ଯ୍ୟଟକ ଉକ୍ତ ପରିବେଶକୁ ଆସିବା ପାଇଁ ଆଗ୍ରହ ଦେଖାନ୍ତି ନାହିଁ ଏବଂ ରାତିରେ ବନ୍ୟ ପ୍ରାଣୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଥିବା ସ୍ଥାନୀୟ କମିଟି ସହ ମିଶି ସଫେଇ କାର୍ଯ୍ୟକ୍ରମ କରିବା ,ବର୍ଜ୍ୟବସ୍ତୁ ମାନଙ୍କରେ ନିଆଁ ନ ଲଗେଇ କିଭଳି ତାକୁ ଜୈବିକ ପର୍ଦ୍ଧତିରେ ରୂପାନ୍ତରିତ କରାଯିବ ଏବଂ ପର୍ଯ୍ୟଟକଙ୍କୁ ସ୍ୱଚ୍ଛତା ଉପରେ ସଚେତନ କରାଇବା ପାଇଁ ସଙ୍ଗଠନ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାହାଦ୍ୱାରା ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକ ପର୍ଯ୍ୟଟକଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିପାରିବ ଏବଂ ବିଶ୍ୱ ଦରବାରରେ ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ । ଏହି ବାର୍ତ୍ତାକୁ ଯେଉଁଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଙ୍କ ସହ ମିଶି ସ୍ୱଚ୍ଛତା ଏବଂ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ପାଳିତ ହୋଇଆସୁଛି । ଏହି ସଚେତନତା ଏବଂ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ଵହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି ବିନୋଦ, ସୁଜିତ ଗୌଡ଼, ଆକାଶ ରାଉତ, ରବି ସାହାଣୀ, ସାଗର ପ୍ରସାଦ ପାତ୍ର, ମୁନ୍ନା ଶତପଥୀ,ପ୍ରବୀଣ ନାୟକ ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here