ବ୍ରହ୍ମପୁର,୨୫/୧୧/୨୦୧୩:ବ୍ରହ୍ମପୁର ମ୍ୟୁନିସପାଲିଟି କର୍ପୋରେସନ ପରିଚାଳିତ ଟାଉନ୍ ହଲର ଭଡ଼ାଦେୟ ହ୍ରାସ୍ ଦାବିରେ ବ୍ରହ୍ମପୁର ପ୍ରଗତିଶୀଳ ଉତ୍କଳ ସମାଜ ଶୁକ୍ରବାର ଦିନ ବିକ୍ଷୋଭ ପ୍ରତିବାଦ କରି କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛି । ବ୍ରହ୍ମପୁରର ସଭା, ସମିତି, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହା ସହରବାସୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା ବେଳେ ବ୍ରହ୍ମପୁର ପୌର ପରିଷଦ ନିଗମ ପକ୍ଷରୁ ଏହାର ଭଡ଼ା ପନ୍ଦର ହଜାର ଟଙ୍କା ଧାର୍ଯ୍ୟ କରିଥିବାରୁ ଏଠାରେ କାର୍ଯ୍ୟକ୍ରମ କରିବା ସାଧାରଣରେ ବ୍ୟୟସାପେକ୍ଷ ହେଉଥିବା ନେଇ ସଙ୍ଗଠନ ଦାବି ରଖିଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ଥିବା ବିଭିନ୍ନ ସଭାମଣ୍ଡପର ଭଡ଼ା ପାଞ୍ଚ ହଜାର ଟଙ୍କା ରହିଥିବା ବେଳେ ବ୍ରହ୍ମପୁରରେ ଟାଉନ୍ ହଲ୍ର ଭଡ଼ାବାବଦକୁ ପନ୍ଦର ହଜାର ଟଙ୍କା ନିଆଯାଉଥିବାରୁ ଏହା ସାଧାରଣରେ ବ୍ୟୟ ସାପେକ୍ଷ ହେଉଛି ବୋଲି ସଙ୍ଗଠନ ଅଭିଯୋଗ କରିଛି । ନିଗମର ଏଭଳି ଅତର୍କିତ ଭଡା ବୃଦ୍ଧି ନିଗମ ଅଧିବାସୀଙ୍କୁ ଚିନ୍ତିତ କରୁଥିବାରୁ ଏହା ବ୍ରହ୍ମପୁର ସହରର ପାଞ୍ଚଲକ୍ଷ ଲୋକଙ୍କୁ ପ୍ରତାରଣା ବୋଲି ଅଭିଯୋଗ କରାଯାଇଛି ।ତେଣୁ ସାମାଜିକ, ସାହିତ୍ୟିକ, ସଂସ୍କୃତିକ ଓ ବିଭିନ୍ନ ଅନୁଷ୍ଠାନ ନିମନ୍ତେ ଭଡ଼ା ପାଞ୍ଚହଜାର ଟଙ୍କା ଧାର୍ଯ୍ୟ କରାଯାଉ ବୋଲି ଉତ୍କଳ ସମାଜର ରାଜ୍ୟ ସଂପାଦକ ସରୋଜ ପଟ୍ଟନାୟକ, ଶ୍ରମିକ ନେତା ତଥା ବରିଷ୍ଠ ସାମ୍ୱାଦିକ ରବି ରଥ, ଅଧିବକ୍ତା ଗୌରୀ ଶଙ୍କର ପଟ୍ଟନାୟକ, ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗୀତା ବାଚସ୍ପତି, ପଦ୍ମଚରଣ ଦାସ, ପରିବେଶବିତ୍ ସରିତା ପଣ୍ଡା, ଗଞ୍ଜାମ ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର ପଣ୍ଡା, ବରଗଛ ସୁରକ୍ଷା କର୍ମୀ ଲୋକନାଥ ପରିଡ଼ା, ଚିତ୍ତରଞ୍ଜନ ପଣ୍ଡା, ସାମ୍ୱାଦିକ ସୁବ୍ରତ ରଥ, ବାସୁଦେବ ସାହୁକାର, ପ୍ରମୋଦ ମିଶ୍ର, ସମାଜସେବୀ ଜଗଦାନନ୍ଦ ଦାଶ, ଡି. କେଶବ ରାଓ, ଅଜିତ ପଣ୍ଡା, ଉମା ନାୟକ, ବନମାଳି ପାତ୍ର, ଲକ୍ଷ୍ମୀ ଚରଣ ବେହେରା, ଡ଼ା. ରାମହରି ଖଣ୍ଡୁଆଳ, ଧନଞ୍ଜୟ ବିଷୋୟୀ, ଆଡ଼ଭୋକେଟ ଶିବ ପ୍ରସାଦ ମିଶ୍ର, ଜଗନ୍ନାଥ ସାହୁ, ସୁରେନ୍ଦ୍ର ନାଥ ରାଉତ, ଶିବ ପ୍ରସାଦ ମିଶ୍ର, ସ୍ନେହାଶୁ ପାଢ଼ୀ, ଶିକ୍ଷକ ନେତା ଅଶୋକ କୁମାର ଦଳେଇ ସମେତ ବହୁ ସଦସ୍ୟ କମିଶନରଙ୍କୁ ଭେଟି ଦାବି ଜଣାଇଛନ୍ତି ।ଏ ସମ୍ପର୍କରେ ଶ୍ରମିକ ନେତା ତଥା ସାମ୍ୱାଦିକ ଶ୍ରୀ ରଥ ତାଙ୍କ ବକ୍ତବ୍ୟରେ ବ୍ରହ୍ମପୁର ମହାନଗର ନିଗମ ସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଦିଗରେ ବିଫଳ ହୋଇଥିବା କହିଛନ୍ତି ।ତତ୍କାଳୀନ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଏହି ଟାଉନ ହଲ ନିର୍ମାଣ କରିଥିବା ଏବଂ ଟାଉନ ହଲ ସୌନ୍ଦର୍ଯ୍ୟକରଣ କରାଯିବା ପୂର୍ବରୁ ଏହି ହଲର ଭଡ଼ା ମାତ୍ର ତିନିଶହ ଟଙ୍କା ଥିଲା ବୋଲି ସେ କହିଛନ୍ତି। ଏ କଥା ମେୟର କିମ୍ୱା କମିଶନରଙ୍କ ଜ୍ଞାତସାରରେ ନଥିବା ସେ ସୂଚିତ କରିଛନ୍ତି ।
କିନ୍ତୁ ହଠାତ୍ ପନ୍ଦର ହଜାର ଟଙ୍କା ଭଡ଼ା ଧାର୍ଯ୍ୟ କରାଯିବା ଘଟଣା ବ୍ରହ୍ମପୁରବାସୀଙ୍କ ଉପରେ ଜିଜିଆ କର ବୋଲି ଶ୍ରୀ ରଥ କହିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ଟାଉନ୍ ହଲ୍ର ଭଡା ଦେୟ ହ୍ରାସ ଦାବିରେ ବିକ୍ଷୋଭ କଲା ପ୍ରଗତିଶୀଳ ଉତ୍କଳ ସମାଜ





