ବୁଗୁଡା ୨୨/୧/୨୩ ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମ ପଞ୍ଚାୟତର ଅରଖପୁର ଗ୍ରାମର ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଜାନୁଆରୀ ୨୨ ତାରିଖ ଦିନ “ଆମ ଓଡ଼ିଶା, ନବୀନ ଓଡିଶା” ଆନୁକୂଲ୍ୟରେ ବିଭିନ୍ନ ବିଭାଗର ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦାନ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ବିଧାୟକ ଶ୍ରୀ ସାହୁ ଓ ବିଡ଼ିଓ ଶ୍ରୀ ଜେନା ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେବା ସହ ସମସ୍ତ ଯୋଜନାର ସୁଯୋଗ ନେବାପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସରପଞ୍ଚ ମିନତି ମଳିକ, ସମିତିସଭ୍ୟା ଶାନ୍ତିଲତା ସ୍ବାଇଁ, ଆଇପିଓ ପୁଷ୍ପାପ୍ରିୟା ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବାଲିପଦର ଷ୍ଟେଟ ବ୍ୟାଙ୍କ ଶାଖାପରିଚାଳକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଜିପିଓ ମନୋଜ କୁମାର ସାହୁ ସଂଯୋଜନା କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧୋବା ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଷ୍ଟଲ ଖୋଲାଯାଇ ନିଜ ବିଭାଗର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରି ଆସୁଥିବା ପଞ୍ଚାୟତର ବ୍ୟାଙ୍କ ମିତ୍ର, ଏମବିକେ,ସିଆରପି ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ତିନି ଗୋଟି ମହିଳା ଗୋଷ୍ଠୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରିବା ସହିତ “ଆମ ଓଡ଼ିଶା ନବୀନ ଓଡିଶା” ପୁସ୍ତିକା ଉନ୍ମୋଚନ କରିଥିଲେ।