ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ ଜିଲ୍ଲାର ୨୦୫ କେନ୍ଦ୍ରରେ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ

0
95

ବ୍ରହ୍ମପୁର, ୧୭/୦୨/୨୦୨୪: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ପରିଚାଳିତ + ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଉଛି l ଆଗାମୀ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଏହି ପରୀକ୍ଷା ଚାଲିବ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସଂସ୍ଥାପିତ ୪୫ଟି ପରୀକ୍ଷା ପରିଚାଳନା ହବ୍ ଅନ୍ତର୍ଗତ ୨0୫ଟି ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛତାର ସାଢ଼େ ୩ ଲକ୍ଷ ବିଦ୍ୟାର୍ଥୀ / ବିଦ୍ୟାର୍ଥିନୀଙ୍କ ବହୁ ଅପେକ୍ଷିତ + ୨ ବିଜ୍ଞାନ ସ୍ରୋତର ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ଏବଂ ଶନିବାର କଳା ଓ ବାଣିଜ୍ୟ ସ୍ରୋତର ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ସୁରୁଖୁରୁରେ ସଂପନ୍ନ ହୋଇଛି l
ଶୁକ୍ରବାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଅଭ୍ୟନ୍ତରୀଣ ସ୍କ୍ୱାଡ୍ ହାତରେ ଧରା ପଡ଼ି କପି ଅଭିଯୁକ୍ତ ହୋଇଥିବା ବେଳେ ଆଜି କଳା ସ୍ରୋତରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଓ ଲାଇନ୍ ପଡ଼ା ସ୍ଥିତ କେ.ଆଇ.ଜି.ଏମ୍. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ ଜଣ ପରୀକ୍ଷାର୍ଥୀ ଜୋନାଲ୍ ସ୍କ୍ୱାଡ୍ ଦ୍ୱାରା କପି ଅଭିଯୋଗରେ ବୁକ୍ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l
ଶୁକ୍ରବାର ଉପସଚିବ ଡ. କୁଳମଣି ଓଝା, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁଶାନ୍ତ ଦାସ ପ୍ରମୁଖ ଗଞ୍ଜାମ ଜିଲ୍ଲାର ସାତଟି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ l
ଗତ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାଡରେ ଯୋଗଦାନ କରିଥିବା ଦକ୍ଷିଣାଞ୍ଚଳର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହକାରୀ ପ୍ରଫେସର୍, ରିଡର୍ ଓ ଅଧ୍ୟାପକମାନଙ୍କ ଏକ ପ୍ରଶିକ୍ଷଣ ବୈଠକ ବ୍ରହ୍ମପୁର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଉପସଚିବ ଡ. କୁଳମଣି ଓଝା ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାସ ସ୍ୱଚ୍ଛ, ଉତ୍ତରଦାୟୀ ଓ କପିମୁକ୍ତ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ସ୍କ୍ୱାଡ୍ ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରାଇଥିଲେ l ଏହି ବୈଠକରେ ୨୫ ଜଣ ଜୋନାଲ୍ ସ୍କ୍ୱାଡ୍ ସଦସ୍ୟ ଯୋଗଦେଇ +୨ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l

LEAVE A REPLY

Please enter your comment!
Please enter your name here