ଓଡିଶା ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ପ୍ରଦାନ ଉଦ୍ଦେଶ୍ୟରେ ୨୮୫ ଟି ନୂତନ ଯାନ ଲୋକାର୍ପଣ

0
54

କଟକ,୨୬/୦୨/୨୦୨୪:ଆଜି ସ୍ଥାନୀୟଷଷ୍ଠ ବାଟାଲିୟନ ପରିସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ୨୮୫ ଟି ନୂତନ ଯାନ (୭୧ଟି ବୋଲେରୋ, ୯୪ଟି ମଟର ସାଇକେଲ ଏବଂ ୧୨୦ଟି ସ୍କୁଟି) ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ଯାନ ଦ୍ବାରା ପୋଲିସର କାର୍ଯ୍ୟ ଦକ୍ଷତା ବୃଦ୍ଧି ହେବା ସହ ଅପରାଧ ତଦନ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ସାଧାରଣ ଜନତାଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଗଢିବା, ଅପରାଧର ସମାଧାନ, ନ୍ୟାୟ ସୁନିଶ୍ଚିତ କରିବା ଏବଂ ଜରୁରୀ ସମୟରେ ତ୍ଵରିତ ପଦକ୍ଷେପ ଆଦିରେ ଉନ୍ନତି ଆଣିବାରେ ଏହି ଯାନ ଗୁଡିକ ସହାୟକ ହେବ ବୋଲି ଡିଜିପି ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଥିଲେ । ରାଜ୍ୟରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ମହିଳା ଓ ଶିଶୁ ଡେସ୍କ କାର୍ଯ୍ୟ କରୁଛି । ଏହାକୁ ଆହୁରି ସୁଦୃଢ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ “ନିର୍ଭୟା ଯୋଜନା” ରେ ୧୨୦ଟି ସ୍କୁଟି ପ୍ରଦାନ କରାଯାଇଛି । ଯାହାଫଳରେ ମହିଳା ପୋଲିସମାନେ ଅଭିଯୋଗ ଶୁଣାଣି ଏବଂ ଅପରାଧର ତଦନ୍ତ ତୁଲାଇବାରେ ସକ୍ଷମ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହାସହ ରାଜ୍ୟ ପୋଲିସକୁ ଆଧୁନୀକିକରଣ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶର୍ମା .କେ .ଶ୍ରୀ ଆର (ମୁଖ୍ୟାଳୟ) ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ଶ୍ରୀ ଅରୁଣ କୁମାର ବୋଥ୍ରା ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇ.ଜି. ପି ଶ୍ରୀମତୀ ଏସ. ସାଇନି ଏହି ଯାନ ଗୁଡିକ ପୋଲିସ ବିଭାଗରେ ସାମିଲ ହେବା ଦ୍ବାରା କ୍ରିୟାଶୀଳ ହୋଇ କାର୍ଯ୍ୟ କରିବ ଏବଂ ଲୋକଙ୍କୁ ତ୍ଵରିତ ସେବା ପ୍ରଦାନ କରିବାରେ ସକ୍ଷମ ହେବ ବୋଲି ମତବ୍ୟକ୍ତ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଆଇ.ଜି (ପ୍ରୋଭିଜନିଙ୍ଗ) ଶ୍ରୀ ଯତୀନ୍ଦ୍ର କୋୟଲ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସେ ୮କୋଟି ୧୮ ଲକ୍ଷ ୩୨ ହଜାର ୪୨୧ ଟଙ୍କା ବ୍ୟୟରେ ୨୮୫ ଟି ନୂତନ ପୋଲିସ ଯାନ କ୍ରୟ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହାସହ ଆଗାମୀ ଦିନରେ ଓଡିଶା ପୋଲିସକୁ ଆହୁରି ଆଧୁନିକୀକରଣ କରାଯିବ ବୋଲି ମତପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here