ବିଶ୍ୱ ବନ୍ୟ ପ୍ରାଣୀ ଦିବସ ପାଳିତ

0
62

ବ୍ରହ୍ମପୁର,୦୩/୦୩/୨୦୨୪: ଓଲିଭ ରିଡ଼ଲେ କଇଁଛ ସୁରକ୍ଷା ନିମନ୍ତେ ପ୍ରସିଦ୍ଧ ଥିବା ଗଞ୍ଜାମ ଜିଲ୍ଲା ବଟେଶ୍ୱର ବେଳାଭୂମି ଠାରେ ସ୍ନେକ ହେଲ୍ପ ଲାଇନ, ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ ଓ ଇକୋ ୱାରୀୟର ଗଞ୍ଜାମର ମିଳିତ ସହଯୋଗରେ ବିଶ୍ୱ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ପରିବେଶବିତୀ ମାନେ ସାମୂହିକ ଭାବେ ଓଲିଭ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡା ଦାନ ସ୍ଥାନକୁ ସଫେଇ କରିଥିଲେ l
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଏ.ସି.ଏଫ ପ୍ରଭାକର ନାୟକ, ଖଲ୍ଲିକୋଟ ରେଞ୍ଜର ଦିବ୍ୟ ରଞ୍ଜନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ I
ପ୍ରତିବର୍ଷ ମାର୍ଚ୍ଚ ୩କୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ବିଶ୍ୱର ସମସ୍ତ ବନ୍ୟପ୍ରାଣୀ ଓ ଉଦ୍ଭିଦ ଜଗତ ସମ୍ବନ୍ଧରେ ସଚେତନ ସୃଷ୍ଟି କରାଯାଇଥାଏ। ବିଶ୍ୱରେ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା। ଏଥିସହ ବିଲୁପ୍ତପ୍ରାୟ ଉଦ୍ଭିଦଙ୍କ ପ୍ରଜାତିକୁ ଲୋକଲୋଚନକୁ ଆଣିବା । ୨୦୧୩ ଡିସେମ୍ବର ୨୦ରେ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ)ର ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୩ କୁ ବିଶ୍ୱବ୍ୟାପୀ ବନ୍ୟପ୍ରାଣୀ ଦିବସର ମାନ୍ୟତା ମିଳିଛି। ସେବେଠାରୁ ଆଜି ପର୍ଯ୍ୟନ୍ତ ମାର୍ଚ୍ଚ ୩ କୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବରେ ପାଳନ କରାଯାଉଛି। ବନ୍ୟ ପ୍ରାଣୀ ଏବଂ ଉଦ୍ଭିଦ ସମୂହର ଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଆନ୍ତର୍ଜାତୀୟ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗଠିତ CITES, ୧୯୭୩ ରେ ଏହି ଦିନ ସ୍ୱାକ୍ଷରିତ ହୋଇଥିଲା | ତେଣୁ ଏହି ତାରିଖକୁ ଚୟନ କରାଗଲା।
ଚଳିତ ବର୍ଷର ବିଷୟବସ୍ତୁ “ମାନବ ସମାଜ ଏବଂ ଗ୍ରହର ସଂଯୋଗ: ବନ୍ୟଜୀବ ସଂରକ୍ଷଣରେ ଡିଜିଟାଲ୍ ଜ୍ଞାନ କୌଶଳର ପ୍ରୟୋଗ”। ଏହି ଥିମ୍ ବନ୍ୟଜୀବ ତଥା ସେମାନଙ୍କ ପ୍ରାକୃତିକ ଆବାସ ସଂରକ୍ଷଣ ପ୍ରୟାସକୁ ଆଗକୁ ବଢାଇବା ପାଇଁ ଡିଜିଟାଲ ଜ୍ଞାନ କୌଶଳ ପ୍ରୟୋଗର ସମ୍ଭାବନାକୁ ଉନ୍ମୋଚନ କରେ | ଆଜିର ଡିଜିଟାଲ୍ ଯୁଗରେ ଏହି ଥିମ୍ ବିଶେଷ ଭାବରେ ପ୍ରାସଙ୍ଗିକ, ଯେଉଁଠାରେ ବୈଷୟିକ ଜ୍ଞାନ କୌଶଳ ଅଗ୍ରଗତି ଦୀର୍ଘ ଦିନର ସଂରକ୍ଷଣ ଆହ୍ୱାନକୁ ନୂତନ ସମାଧାନ ପ୍ରଦାନ କରିପାରିବ।ଏହି ସାମୂହିକ ସଫେଇ କାର୍ଯ୍ୟକ୍ରମରେ ସ୍ନେକ ହେଲ୍ପ ଲାଇନର ଦକ୍ଷିଣ ଓଡିଶା ସଂଯୋଜକ ସ୍ୱାଧୀନ କୁମାର ସାହୁ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ସମ୍ପାଦକ ବିଜେନ୍ଦ୍ର ମାଝୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ସମ୍ପାଦକ ଏ ପ୍ରକାଶ ଓ ଇକୋ ୱାରୀୟର ଗଞ୍ଜାମର ମୁଖ୍ୟ ଅଖିଳ ତାରାଇ,ଗୁରୁନାଥ ରେଡ୍ଡି , ସଙ୍ଗଠନର କର୍ମକର୍ତ୍ତା ଏବଂ ବନ କର୍ମଚାରୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here