ଯୁବ ସଙ୍ଗମ ଅଧୀନରେ ଓଡ଼ିଶା ଗସ୍ତରେ ହିମାଚଳ ପ୍ରଦେଶର ୪୫ ଜଣିଆ ଟିମ୍

0
25

ବ୍ରହ୍ମପୁର,୧୩/୦୩/୨୦୨୪: କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଶିକ୍ଷାନୀତି ପ୍ରଣୟନ ହେବା ପରଠାରୁ ପ୍ରତିବର୍ଷ ଯୁବ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହିପରି ଚଳିତ ବର୍ଷ ଚତୁର୍ଥ ତମ ଯୁବ ସମାଗମ ଜାରି ରହିଛି। ଚଳିତ ଥର ଓଡ଼ିଶା ରାଜ୍ୟ ପାଇଁ ନୋଡାଲ ଶିକ୍ଷାନୁଷ୍ଠାନ ଭାବେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର(ଆଇଜର) ବ୍ରହ୍ମପୁର କୁ ଚୟନ କରାଯାଇଥିବା ବେଳେ ଏହାର ସହଭାଗିତା ରାଜ୍ୟ ଭାବେ ହିମାଞ୍ଚଳ ପ୍ରଦେଶ କୁ ମନୋନୀତ କରାଯାଇଛି। ଏହି ଅବସରରେ ହିମାଚଳ ପ୍ରଦେଶରୁ ୪୫ ଜଣିଆ ଏକ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍ ଗତ ୯ ତାରିଖରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛନ୍ତି । ଏହି ଟିମ୍ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ଏହି ସମୟରେ ସେମାନେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ, ପ୍ରଗତି, ପ୍ରଯୁକ୍ତି ଓ ପରସ୍ପର ସମ୍ପର୍କ ର ଆଦାନ ପ୍ରଦାନ ବୁଲି ଦେଖିବା ସହ ଲୋକଙ୍କୁ ମିଶିବେ। ବର୍ତ୍ତମାନ ସେମାନେ ରଘୁରାଜପୁର ଐତିହାସିକ ଗ୍ରାମ, ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା, ମଙ୍ଗଳା ଯୋଡି, ଧଉଳି, ଖଣ୍ଡଗିରି, ଉଦୟଗିରି, ଏକାମ୍ର ହାଟ, ବାଲୁଗାଁ, କାଳିଜାଇ, ଜିରାଙ୍ଗ, ଆଦିବାସୀ ସଂଗ୍ରହାଳୟ, ଆଇ ଆଇ ଟି ଭୁବନେଶ୍ୱର, ସେଣ୍ଟ୍ରାଲ ରାଇସ ରିସର୍ଚ୍ଚ ପ୍ରତିଷ୍ଠାନ, ବ୍ରହ୍ମପୁର ଆଇଟିଆଇ, ଆଇଜର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଭ୍ରମଣ କରିବେ। ଏହି କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଅଧିନରେ ଆୟୋଜିତ ହେଉଅଛି। ସେହିପରି ବର୍ତ୍ତମାନ ହିମାଚଳ ପ୍ରଦେଶର ୧୦ ଗୋଟି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହି ଟିମ୍ ରେ ରହିଛନ୍ତି। ଏ ନେଇ ଆଜି ଆଇଜର ଅସ୍ଥାୟୀ କ୍ୟାମ୍ପସ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଛନ୍ତି କୁଳ ସଚିବ ପ୍ରଦୀପ କୁମାର ରାୟ। ଏହି ସମୟରେ ପରିଭ୍ରମଣ ଆସିଥିବା ଗାଇଡ ନିଜର ଅନୁଭୂତି ସାମ୍ବାଦିକଙ୍କ ସହ ଆଦାନ ପ୍ରଦାନ କରିଥିଲେ। ସେ କହିଥିଲେ ଓଡ଼ିଶା ରାଜ୍ୟ ନିଜର ପରମ୍ପରାକୁ ବଜାୟ ରଖିଛି, ଏଠିକାର ଐତିହ ଓ ଶିଳା ଲେଖନୀ ସବୁଠୁ ପ୍ରାଚୀନ ଓ ନିଆରା। ସେହିପରି ପୁରୀ ଜଗନ୍ନାଥ ମହାପ୍ରଭୁ ଏବଂ ତାଙ୍କ ରଥଯାତ୍ରା ର ନୀତି କାନ୍ତି ବି ବେଶ୍ ଭଲ ଲାଗିଲା। ସେହିପରି ପୁରୀ ପ୍ରସାଦ ର ଏକ ନିଆରା ସ୍ଵାଦ ରହିଛି । ପୁରୀ ରଥଯାତ୍ରା ପରି ହିମାଚଳ ପ୍ରଦେଶରେ ପ୍ରଭୁ ରଘୁନାଥ ସ୍ଵାମୀଙ୍କ ଯାତ୍ରା ମଧ୍ୟ ୨୦ ଦିନ ଧରି ଚାଲିଥାଏ। ଯାହାର ସାମଞ୍ଜସ୍ୟ ଆମେ ଏଠି ଦେଖିବାକୁ ପାଇ ଥାଉ। ସେହିପରି ସମ୍ରାଟ ଅଶୋକଙ୍କ ଇତିହାସ ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ସେହିପରି ସାଇବେରିଆ ରୁ ପକ୍ଷୀମାନେ ଯେଉଁ ସମୟରେ ଓଡ଼ିଶାର ମଙ୍ଗଲାଯୋଡ଼ି ଆସନ୍ତି ସେମାନେ ଫେରିବା ବାଟରେ ହିମାଚଳ ର ପଙ୍ଗ ଡେମ୍ ରେ କିଛି ଦିନ ରହି ସାଇବେରିଆ ଫେରି ଥାଆନ୍ତି। ଆଗାମୀ ଦିନରେ ଏହି ସମସ୍ତ ସ୍ମୃତି କୁ ନେଇ ଆମେ ଏକ ରିପୋର୍ଟ ପ୍ରସ୍ତୁତ କରି ଆମ ରାଜ୍ୟର ସମସ୍ତ ବିଭାଗ କୁ ପ୍ରଦାନ କରିବୁ ବୋଲି ସେଠାକାର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ପ୍ରଫେସର ତଥା ଏହି କାର୍ଯ୍ୟକ୍ରମର ସଂଯୋଜକ ଡ଼ା ହରିଶ୍ ଗୌତମ କହିଛନ୍ତି। ସେହିପରି ଆଗାମୀ ଦିନରେ ଉଭୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନେକ ଚୁକ୍ତିନାମା ବି ସ୍ୱାକ୍ଷର ହୋଇପାରେ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇଜର ଡିନ୍ ପ୍ରଫେସର ବିଶ୍ୱାସରାୟ ଚୌହାନ, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କେ ମଞ୍ଜୁନାଥ, ଡେପୁଟି ରେଜିଷ୍ଟର ନିହାର ରଞ୍ଜନ ପାତ୍ର, ଇଞ୍ଜିନିୟର ସଞ୍ଜୟ ମାଝୀ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ପ୍ରଫେସର ପୂଜା ଅବସ୍ତି, ଲାଇବେରି ସାଇନ୍ସ ର ମୁଖ୍ୟ ସୁଦାମ ଚରଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

LEAVE A REPLY

Please enter your comment!
Please enter your name here