ଶିକ୍ଷକମାନଙ୍କୁ ନିର୍ବାଚନୀ ମୋହରା ବନାଇବାର ଉଦ୍ୟମ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ। ବାରମ୍ବାର ତାଗିଦ୍ ପରେ ସୁଧୁରୁନାହିଁ ରାଜ୍ୟ ପ୍ରଶାସନ: ସତ୍ୟବ୍ରତ ପଣ୍ଡା

0
17

ଭୁବନେଶ୍ୱର,୧୨/୦୪/୨୦୨୪: ରାଜ୍ୟ ସରକାର ଲଜ୍ଜ୍ୟାର ସବୁ ସରହଦ ଡେଇଁ ଗଲେଣି । ନିର୍ଲ୍ଲଜ୍ ଯେତେବେଳେ ପ୍ରଶାସକ ହୋଇଯାଏ ତାକୁ ଯେତେ ଛାଟ ମାରିଲେ ବି ସେ ସହଜେ ସୁଧୁରେ ନାହିଁ । ଓଡ଼ିଆରେ ଗୋଟିଏ କଥା ଅଛି “ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ” । ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ୮ଜଣ ଅଫିସରଙ୍କୁ ବଦଳି କରାଇଲେ । ସମସ୍ତ ସରକାରୀ ପୋର୍ଟାଲରୁ ୫-ଟିର ଉଲ୍ଲେଖକୁ ଆଦର୍ଶ ଆଚରଣ ବିଧି ଉଲଘଂନ ଅଭିଯୋଗ ପରେ ରାଜ୍ୟ ସକରାର ବାଧ୍ୟ ହୋଇ ହଟାଇଥିଲେ । ତା ସତ୍ୱେ ପ୍ରଶାସନର ଚେତା ପଶିଲା ନାହିଁ । ଗତ ୧୦ତାରିଖ ଦିନ ଏ ପ୍ରଶାସନ ଏକ ଚିଠି ଲେଖିଥିଲା । ଏହି ଚିଠିରେ ୯୩ଟି ବ୍ଲକର ଯେତେସବୁ ମୋ ସ୍କୁଲର ୫-ଟି ରୂପାନ୍ତରୀକରଣ ହୋଇଛି ସେ ସ୍କୁଲ ଗୁଡିକର ତର୍ଜମା ପାଇଁ ୯୩ଜଣ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି କରାଯାଇଛି । ଏହି ୯୩ଜଣ ଚିଠି ପାଇବାର ଦିନକ ପରେ ଅର୍ଥାତ୍ ଆଜି ଏହି ତର୍ଜମା କରିବେ । ଆଶ୍ଚର୍ଯ୍ୟର ବିଷୟ ଏହି ୯୩ଜଣଙ୍କ ମଧ୍ୟରେ ଅଧିକାଂଶ ସ୍ୱଚ୍ଛାସେବୀ ବା ପରାମର୍ଶଦାତା ବୋଲି ଉଲ୍ଲେଖ ଅଛି । କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର କିଛି ସ୍ଥାନୀୟ କର୍ମୀ ତର୍ଜମା ଆଳରେ ପ୍ରଧାନଶିକ୍ଷକମାନଙ୍କୁ ବିଜୁ ଜନତା ଦଳ ସପକ୍ଷରେ କାମ କରିବାକୁ ଚାପ ପକାଇବା ପାଇଁ ଏହା ଏକ ହୀନ ଷଡଯନ୍ତ୍ର । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ଅନୁରୁପ ଚକ୍ରାନ୍ତକ କରିଥିବାର ଘଟଣା ସାରା ରାଜ୍ୟର ଚର୍ଚ୍ଚାର ବିଷୟ ହୋଇଥିଲା । ଦଳୀୟ କର୍ମୀଙ୍କ ଦ୍ୱାରା ପ୍ରଧାନଶିକ୍ଷକଙ୍କ କାର୍ଯ୍ୟର ତର୍ଜମା ସମଗ୍ର ରାଜ୍ୟର ଶିକ୍ଷକସମାଜ ପ୍ରତି ଅପମାନ ବ୍ୟତିତ ଭିନ୍ନ କିଛି ନୁହଁ । ଶିକ୍ଷକକୁଳ ପ୍ରତି ଏଭଳି ଅପମାନ ଓଡିଆ ଜାତି କେବେ ସହିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ପ୍ରଧାନଶିକ୍ଷକମାନେ ବିଭିନ୍ନ ବୁଥ୍‌ରେ ପ୍ରିଜାଇଡିଂଗ୍ ଅଫିସର ହେବେ, ତାଙ୍କର ନିର୍ବାଚନ ଦାୟିତ୍ୱ ଅଛି । ତାଙ୍କ ଦଳୀୟ କର୍ମୀଙ୍କ ଦ୍ୱାରା ସେମାନଙ୍କ କାର୍ଯ୍ୟକଳାପର ତର୍ଜମା ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆଦୌ ସମିଚିନ ନୁହେଁ । ତେଣୁ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆଜି ବିଜେପି ପ୍ରତିନିଧିମଣ୍ଡଳୀ ପ୍ରଶାସନକୁ ଏଭଳି ହୀନକାର୍ଯ୍ୟରୁ ନିବୃତ ରଖିବାକୁ ଅନୁରୋଧ କରିଛନ୍ତି ।
ବିଜୁ ଜନତା ଦଳ ନିର୍ବାଚନ ଜିତିବା ପାଇଁ ପୋଲିସ ଅଧିକାରୀମାନଙ୍କୁ କର୍ମୀ ଭଳି ଖଟାଉଛି । ଏଭଳି ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ । ସୁନ୍ଦରଗଡର ପୋଲିସ ଅଧିକାରୀମାନେ ବିଜେଡି ପାଇଁ କାର୍ଯ୍ୟ କରିବା ସହ ଭୋଟ ଦେବାକୁ ପ୍ରଚାର କରୁଛନ୍ତି । ଯଦି ଏଥିରୁ କିଏ ବିଚ୍ୟୁତ ହେଉଛି ତାହାଲେ ତାକୁ ମିଥ୍ୟା କେସ୍‌ରେ ଥାନାରେ ଅଟକ ରଖିବା ସହ ମାଡ ମରାଯାଉଛି, ଯାହା ଗଣତନ୍ତ୍ର ବିରୋଧୀ । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଜେପି ସର୍ବଦା ସଂକଳ୍ପବଦ୍ଧ । ବିଜେଡି ନିର୍ବାଚନ ବୈତରଣୀ ପାରହେବା ପାଇଁ ସବୁ ସୀମା ଉଲଘଂନ କରୁଛି ।
ଉଦାହରଣ ସ୍ୱରୂପ, ସୁନ୍ଦରଗଡ ଏସଡିପିଓ ହିଂମାଶୁ ଭୂଷଣ ବେହେରା ଓ ଭସମା ଥାନାର ଭାରାପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗ ବିଜେଡିର ସାଧାରଣ କର୍ମୀଙ୍କଠାରୁ ଅଧିକ ଉତ୍ସାହିତ ହୋଇ ନିର୍ବାଚନରେ ଦଳୀୟ କାର୍ଯ୍ୟ କରୁଛନ୍ତି । ଏହି ଦୁଇଜଣ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତାମାନଙ୍କୁ ଧମକ ଦେଉଛନ୍ତି । ବିଜେପି ସପକ୍ଷରେ କାମ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଉଛନ୍ତି । ଇତିମଧ୍ୟରେ ବିଜେପିର ୪୦ଜଣ କାର୍ଯ୍ୟକର୍ତାଙ୍କ ନାଁରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି । ଯାହାକି ଜନପ୍ରତିନିଧି ଆଇନ ୧୯୫୧ର ୧୨୯ ଧାରାର ବିରୋଧାଚରଣ କରୁଛି । ଏହାଦ୍ୱାରା ସରକାରୀ କର୍ମଚାରୀମାନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି । ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ ଆଇନର ୧୭୧(ସି)ରେ ମକଦ୍ଦମା ରୁଜୁ କରାଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here