ବିଜେଡି ଦଳର ହାତବାରିସ ସାଜିଥିବା ନିର୍ଦ୍ଧିଷ୍ଟ ପୋଲିସ ଅଧିକାରୀ ଅଭିଯୋଗ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

0
40

ଭୁବନେଶ୍ୱର,୧୮/୦୫/୨୦୨୪: ଓଡ଼ିଶାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ବିଜେଡି ନିର୍ବାଚନ ହାରିବା ଭୟରେ ହତାଶ ହୋଇ ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି । ନିର୍ବାଚନୀ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଦଳୀୟ ପ୍ରାର୍ଥୀ ଗୁରୁତର ହୋଇ ଚିକତ୍ସାଧୀନ ଅଛନ୍ତି । ଏହାସତ୍ୱେ ପୋଲିସ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏଣୁ ତୁରନ୍ତ ଡିଜିଙ୍କୁ ପରିବର୍ତନ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ନିକଟରେ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦାବି କରାଯାଇଛି ।
ନିର୍ବାଚନ ଆଚରଣ ବିଧି ଆଇନ୍‌ର ଉଲ୍ଲଂଘନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ସରକାରୀ କର୍ମଚାରୀମାନେ ଖୋଲାଖୋଲି ଭାବେ ବିଜେଡି ପାର୍ଟି ପାଇଁ ପ୍ରଚାର କରୁଛନ୍ତି । ଏପରିକି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଶଂଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଧମକ ଦେଉଛନ୍ତି । ବାଟୋ ପଂଚାୟତ ପତତିପାବନ ଏସ୍‌ଏଚ୍‌ଜି ଗ୍ରୁପ୍‌ର ରାସନ ସାମଗ୍ରୀ ବିତରକ ବିିନୟ କୁମାର ରାଓ ଅଟା ଗ୍ରାମରେ ବିଜେଡି ପାଇଁ ଏକ ବୈଠକ କରିଥିଲେ । ସେ ବିଜେଡି ପାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ଉପସ୍ଥିତିରେ ବିଜେଡିକୁ ସପକ୍ଷରେ ଭୋଟ ଦେବାକୁ ହିତାଧିକାରୀମାନଙ୍କୁ କହିଥିଲେ । ଏପରି ନ କଲେ ସେମାନଙ୍କ ରାସନ କାର୍ଡ ବନ୍ଦ କରିଦିଆଯିବା ସହ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନ ଦେବାକୁ ଚେତାବନୀ ଦେଇଛନ୍ତି । ବେଗୁନିଆପଡ଼ା ବ୍ଲକ ବ୍ରଜହରି ପଂଚାୟତ ଅନ୍ତର୍ଗତ କବିସୂର୍ଯ୍ୟ ନଗରରେ ଅନିଲ କୁମାର ପରିଡା ଶାସକ ବିଜେଡି ପାଇଁ ଖୁଲମାଖୁଲା ପ୍ରଚାର କରୁଛନ୍ତି । ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ତରି ଉଚ୍ଚ ପ୍ରାଥମିକ ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ଦାସ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଏହାର ଫଟୋ ଓ ଭିଡିଓ ପ୍ରମାଣ ସ୍ୱରୁପ ଭାରତ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି । ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ଦାବି କରିଛନ୍ତି ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଓ ପରେ ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲା ସମେତ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ବହୁ ହିଂସାକାଣ୍ଡ ହୋଇଛି । ପାଖାପାଖି ୮୦ ବୁଥ୍‌ରେ ନିର୍ବାଚନୀଜନିତ ହିଂସା ଦେଖିବାକୁ ମିଳିଛି । ବିଜେପି ପାର୍ଟିର ୨ ଜଣ ପ୍ରାର୍ଥୀଙ୍କୁ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ହୋଇଥିଲା । ଏସବୁ ପଛରେ ବିଜୁ ଜନତା ଦଳ ନେତାଙ୍କ ସଂପ୍ତୃକ୍ତି ଥିଲା । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ୨୦ରୁ ୩୦ ଜଣ ବିଜେଡି ଗୁଣ୍ଡା ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗାଁରେ ବ୍ୟାନର ମାରୁଥିବାବେଳେ ସମ୍ପୃକ୍ତ ଗୁଣ୍ଡାମାନଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଦଳୀୟ କର୍ମୀ ଆହତ ହୋଇଥିଲେ । ଏନେଇ ଖଲ୍ଲିକୋଟ ଥାନାରେ ମାମଲା ନଂ.୪୧୪/୨୪ ରୁଜୁ ହୋଇଛି ।
ସେହିପରି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଗୋଷାଣୀନୂଆଗାଁ ଥାନା ଆଗରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ ହୋଇଥଲା । ମାତ୍ର ପୋଲିସ କିଛି ନକରି କେବଳ ନୀରବଦ୍ରଷ୍ଟା ସାଜିଥିଲା । ଫଳରେ ଶ୍ରୀ ପାଣିଗ୍ରାହୀ ଗୁରତର ହୋଇ ଭୁବନେଶ୍ୱର ଏମ୍‌ସରେ ଭର୍ତି ହୋଇଥିଲେ । ଏନେଇ ଗୋଷାଣୀନୂଆଗାଁ ଥାନାରେ ମାମଲା ନଂ.୧୩୦/୨୪ ରୁଜୁ ହୋଇଛି । ଗତ ମେ’ ୧୫ରେ ଟିଟଲାଗଡ଼ ବିଜେପି ପ୍ରାର୍ଥୀ ଶ୍ରୀ ନବୀନ ଜୈନ ସମର୍ଥକମାନଙ୍କ ସହ ଶାନ୍ତଳ ବ୍ଲକ ଅନ୍ତର୍ଗତ ତେଣ୍ଡିପଲ୍ଲୀ ଗ୍ରାମରୁ ଏକ ସାମାଜିକ କାର୍ଯ୍ୟକ୍ରମ ଶେଷ କରି ଫେରୁଥିବାବେଳେ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ବିଜେଡି ଗୁଣ୍ଡାମାନେ ତାଙ୍କୁ ଓ ସମର୍ଥକମାନଙ୍କୁ ରାସ୍ତାରେ ଗୋଡାଇ ଗୋଡ଼ାଇ ରକ୍ତାକ୍ତ କରିଥିଲେ । ଏହି ସମୟରେ ଜୈନ ଘଟଣାସ୍ଥଳରୁ ଜୀବନ ବଂଚାଇ ଖସିଯିବାକୁ ସକ୍ଷମ ହୋଇଥିଲେ । ମାତ୍ର ତାଙ୍କ ସମର୍ଥକ ଦୋଳମଣି ବସ୍ତିଆ ଓ ଲବେନ୍ଦ୍ର ବେହେରାଙ୍କୁ ଗୁଣ୍ଡମାନେ ମାରଣାସ୍ତ୍ର ଦେଖାଇ ବଳପୂର୍ବକ ଅପହରଣ କରି ନେଇଥିଲେ । ଆଠଗଡ଼, ଭୁବନେଶ୍ୱର, ବରଗଡ଼ରେ ମଧ୍ୟ ହାରିବା ଭୟରେ ବିଜେଡି କର୍ମୀମାନେ ବିଜେପି କର୍ମୀମାନଙ୍କୁ ବାରମ୍ବାର ଆକ୍ରମଣ କରିଛନ୍ତି । ରାଜ୍ୟର ଅନେକ ସ୍ଥାନରେ ବିଜେପି କର୍ମୀମାନଙ୍କୁ ଏଭଳି ଆକ୍ରମଣର ଶୀକାର ହେଉଛନ୍ତି ସେମାନଙ୍କୁ ଡରାଇ ଧମକାଇ ଚୁପ କରିବାକୁ ବିଜେଡି ଗୁଣ୍ଡାମାନେ ଚେଷ୍ଟା କରୁଛନ୍ତି ।
ଏସବୁ ବିଷୟକୁନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି । ଆନ୍ଧ୍ରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ବିଫଳ ହେବାରୁ ଡିଜପିିଙ୍କୁ ପରିବର୍ତନ କରାଯାଇଥିଲା । ସେହିପରି ଓଡ଼ିଶାରେ ପ୍ରଥମ ପର୍ଯାୟ ନିର୍ବାଚନ ପରେ ଯେଉଁଭଳି ହିଂସାକାଣ୍ଡ ହୋଇଛି । ଏହାକୁ ରୋକିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦୋଷୀ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ । ଅପରପକ୍ଷେ ବିଜୁଜନତା ଦଳର ହାତବାରିସ ସାଜି ସେମାନଙ୍କ ସହଯୋଗୀ ଭଳି କାମ କରୁଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବିଷୟରେ ପୋଲିସ ମହାନିର୍ଦ୍ଦେଶକ ଗଣମାଧ୍ୟମ ଆଗରେ ସାର୍ବଜନୀନ କରନ୍ତୁ । ନଚେତ ଆନ୍ଧ୍ର ଭଳି ଏଠାରେ ମଧ୍ୟ ତାଙ୍କୁ ବଦଳି କରାଯାଉ । ପୋଲିସର ଅପରଗତା କାରଣରୁ ରାଜ୍ୟରେ ଆଇନଶୃଖଳା ପରିସ୍ଥିତ ବିଗିଡ଼ିଯାଇଥିବାରୁ ଏଠାରେ ଜଣେ ନୂତନ ଡିଜିଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବଚନ ଆୟୋଗଙ୍କ ନିକଟରେ ଦାବି କରାଯାଇଛି । ଏଥିସହ ଓଡ଼ିଶାରେ ଦ୍ୱିତୀୟ ଓ ଅନ୍ୟାନ୍ୟ ପର୍ଯାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଅବାଧ, ନିରେପକ୍ଷଭାବେ କରିବାକୁ ବିଜେପି ପ୍ରତିନିଧିମଣ୍ଡଳୀ ପକ୍ଷରୁ ଦାବି କରାଯାଇଛି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ୱଜିତ୍ ସ୍ୱାଇଁ, ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here