ଭୁବନେଶ୍ୱର,୨୫/୦୫/୨୦୨୪: ବିଜେଡି ପରାଜୟ ଭୟରେ ହିଂସା ଆଚରଣ କରିବା ଆରମ୍ଭ କରିଛି । ୨୫ବର୍ଷ ପରେ ଓଡ଼ିଶା ପରିବର୍ତନ ମୁହାଁ ହୋଇଛି । ଏଥିରେ ବିଜେଡି ବିଧାୟକ ତଥା ନେତା ବିଚଳିତ ହେବାର ଦେଖିବାକୁ ମିଳୁଛି । ନିର୍ବାଚନ ବୁଥ୍ ବାହାରେ ଚିତ୍କାର କରିବା ସହ କୋଶଳା ପଂଚାୟତ ଶିମିଳିସାହି ବୁଥ୍ରେ ବିଜେପି କର୍ମୀଙ୍କୁ ଧକ୍କା ମାରୁଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା । ଜନପ୍ରତିନିଧି ଆଇନ ନିର୍ମାତା କିନ୍ତୁ ଭୋଟ୍ ପାଇଁ ଆଇନ ଭାଙ୍ଗିଛନ୍ତି ବିଧାୟକ ଶ୍ରୀ ବେହେରା । ଯେଉଁ ଦଳର ବିଧାୟକଙ୍କ ଆଚରଣ ଗୁଣ୍ଡାଙ୍କ ଭଳି ସେ ଦଳର ନେତା ଓ କର୍ମୀଙ୍କ ଆଚରଣ ବା କେମିତି ହେବ । ନିର୍ବାଚନ ସମୟରେ ଶାସକ ଦଳର ନେତାଙ୍କ ହିଂସାର ଏମିତି ମାଳ ମାଳ ଚିତ୍ର ସାମ୍ନାକୁ ଆସିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କ ଦାଦାଗିରି ଆଜି ପଦାରେ ପଡିଛି । ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିବା ସହ ଶ୍ରୀ ବେହେରାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।
ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ସମସ୍ତ କଳବଳ କୌଶଳ ଲଗାଇ ଦେଇଛି । ସରକାରୀ କର୍ମଚାରୀ, ମିଶନଶକ୍ତି ମହିଳା, ସରପଂଚ, ସମିତି ସଭ୍ୟଙ୍କୁ ବେଆଇନ କାର୍ଯ୍ୟରେ ନିୟୋଜିତ କରୁଛି ବିଜେଡି । ପୂର୍ବରୁ ବିଜେଡିର ଏଭଳି ହୀନକାର୍ଯ୍ୟ ପାଇଁ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ଦ୍ୱାରସ୍ଥ ହୋଇଥିଲା । ଏଥିଲାଗି ମଧ୍ୟ କିଛି ସରକାରୀ କର୍ମଚାରୀ ନିଜର ଚାକିରି ହରାଇଥିଲେ । କିନ୍ତୁ ବିଜେଡି ତାର ଚିରାଚରିତ ଢ଼ଙ୍ଗକୁ ନ ବଦଳାଇ ପୁଣି ନିର୍ବାଚନ ଜିତିବା ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି । ଯାହା ନିର୍ବାଚନ ଆଚରଣ ବିଧିର ଘୋର ଉଲଘଂନ । ବାଲେଶ୍ୱର ଜିଲ୍ଲା ଗୋଲାବାଇ ପଂଚାୟତ ଜଳେଶ୍ୱର ମନ୍ଦିରରେ ଭୋଟରଙ୍କୁ ଏକାଠି କରି ଟଙ୍କା ଦେବା ସହ ସେମାନଙ୍କୁ ଶପଥ କରାଉଛନ୍ତି ସମିତି ସଦସ୍ୟ ଗୌତମ ପ୍ରଧାନ ଓ ମଧୁସ୍ମିତା ପଲେଇର ସ୍ୱାମୀ ସୁଶାନ୍ତ ବେହେରା । ଯାହା ଭୋଟରଙ୍କ ବିଶ୍ୱାସ ଓ ଭାବାବେଗକୁ କଷ୍ଟ ହେଉଛି । ସେହିପରି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ମିଶନଶକ୍ତିର ରାଜ୍ୟ ଉପଦେଷ୍ଟା ଗୀତାଞ୍ଜଳୀ ବସ୍ତିଆ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ମା’ଭଉଣୀମାନଙ୍କୁ ପ୍ରଭାବିତ କରୁଛନ୍ତି । ଖୋଲମଖୋଲା ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ଏହି ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ କାର୍ଯ୍ୟରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଗୋପ ବ୍ଲକ ବିରିତୁଙ୍ଗ ଗ୍ରାମ ପଂଚାୟତ କାକଟପୁର ବିଧାନସଭା ମଣ୍ଡଳୀର କୃଷି ମିତ୍ର ଶ୍ରୀଧର ମହାନ୍ତି ଜଣେ ସରକାରୀ କର୍ମଚାରୀ ହୋଇ ବିଜେଡିର ଏଜେଂଟ ଭଳି କାମ କରୁଛନ୍ତି । ସରକାରୀ କାର୍ଯ୍ୟ ଛାଡି ବିଜେଡି ଦଳ ପାଇଁ ପ୍ରଚାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଘୋର ଉଲଘଂନ । ତୁରନ୍ତ ଶ୍ରୀ ମହାନ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବିଜେପି ସର୍ବଦା ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ବିଶ୍ୱାସ କରେ କିନ୍ତୁ ବିଜେଡି ହିଂସାକାଣ୍ଡ ଘଟାଇବାରେ ପାରଙ୍ଗମ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେଡି ଏଥିରୁ ଦୂରେଇ ରହୁ ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ଆସ୍କାର ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ବିଜେଡି ବିଧାୟକ ସୁଶାନ୍ତ ବେହେରାଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ...