ବୁଗୁଡା , ୩/୩/୨୫ : (ଅନିଲ କୁମାର ମହାରଣା) ଗୋଟିଏ ବ୍ୟକ୍ତିଙ୍କ ରକ୍ତ ଦାନ ତିନି ଜଣଙ୍କ ଜୀବନ ବଞ୍ଚେଇ ପାରେ, ଯାହାକି ରକ୍ତ କୋଷିକା ଉପାଦାନ ସଂଗ୍ରହ ଦ୍ଵାରା ସମ୍ଭବ ହୋଇପାରୁଛି। ତେବେ ରାଜ୍ୟର ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା ଏବଂ ମେଡିକାଲ କଲେଜ ରେ ଅବସ୍ଥିତ କ୍ୟାପିଟାଲ ରକ୍ତ କେନ୍ଦ୍ର ରେ ଏହି ସୁବିଧାରୁ ଅନେକ ଲୋକ ବଞ୍ଚିତ ହେଉଛନ୍ତି। ଆବଶ୍ୟକତା ସମୟରେ ରକ୍ତ ଯୋଗାଡ଼ କରିବାରେ ବର୍ତ୍ତମାନ ମଧ୍ୟ ଓଡ଼ିଶା ସ୍ଵୟଂ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ସରକାରୀ, ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରିବା, ଆବଶ୍ୟକ ସ୍ଥଳେ ସିଧାସଳଖ ରକ୍ତ ମଧ୍ୟ ଦାନ କରିଥାନ୍ତି। ତଥାପି ମଧ୍ୟ ଆବଶ୍ୟକ ସମୟରେ ରକ୍ତ ବଦଳ ରେ ରକ୍ତ ନ୍ୟାୟରେ ରୋଗୀଙ୍କ ସମ୍ପର୍କୀୟମାନେ ରକ୍ତ ଦାନ କରିଥାନ୍ତି।
ଓଡିଶା ରକ୍ତଦାତା ମହାସଂଘ (FBDOO) ତରଫରୁ ସଭାପତି ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ତ୍ରିଲୋଚନ ଦାଶ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି, କୋଷାଧ୍ୟକ୍ଷ ରାଜେଶ ନାୟକ ଓ ଅନ୍ୟ ସଦସ୍ୟ ମାନେ ତିନି ଦଫା ସମ୍ମିଳିତ ଏକ ଦାବି ପତ୍ର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ଓ ରାଜ୍ୟ ରକ୍ତଦାନ ପରିଷଦର ନିର୍ଦ୍ଦେଶକଙ୍କୁ ଭେଟି ପ୍ରଦାନ କରିଛନ୍ତି । ପ୍ରମୁଖ ଦାବି ମଧ୍ୟରେ କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କ ରେ ଶହେ ପ୍ରତିଶତ ରକ୍ତ କମ୍ପୋନେଣ୍ଟ କରିବା, ରକ୍ତ ଭଣ୍ଡାରରେ ସ୍ବେଛାକୃତ ଶିବିର ବଢେଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା, ଆଗାମୀ ଗ୍ରୀଷ୍ମ ପ୍ରବାହରେ କିପରି ରକ୍ତଦାନ ବୃଦ୍ଧି ହୋଇପାରିବ ।
ସାରା ରାଜ୍ୟରେ ଥିବା ବ୍ଲଡ଼ ସେଣ୍ଟର୍ ରେ ଯଦି ଶହେ ପ୍ରତିଶତ ରକ୍ତ କଣିକା ଉପାଦାନ ସଂଗୃହିତ ହୋଇ ପାରୁଛି ତାହେଲେ କ୍ୟାପିଟାଲ ହସ୍ପିଟାଲରେ କାହିଁକି ପ୍ରତିଦିନ ମାତ୍ର ୧୬ଟି ହେଉଛି ବୋଲି ସମ୍ପାଦକ ତ୍ରିଲୋଚନ ଦାଶ ପ୍ରଶ୍ନ କରି ଥିଲେ । ଏହା ଦ୍ବାରା ଅନେକ ଲୋକ ହଇରାଣ ହେବା ସହିତ ଆଗକୁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଆଗକୁ ଖରାର ପ୍ରକୋପ ବୃଦ୍ଧି ସମୟରେ କ୍ୟାପିଟାଲ ବ୍ଲଡ ସେଣ୍ଟର୍ ଯଦି କର୍ମଚାରୀ ଅଭାବରୁ ରକ୍ତଦାନ ଶିବିର ଆୟୋଜନରେ ସମସ୍ୟା ସୃଷ୍ଟି ହୁଏ ତାହେଲେ ଅନେକ ସମସ୍ୟା ଉପୁଜି ପାରେ ବୋଲି ସଭାପତି ଅକ୍ଷୟ କୁମାର ରାଉତ ଚିନ୍ତା ପ୍ରକଟ କରିଛନ୍ତି। କ୍ୟାପିଟାଲ ମେଡ଼ିକାଲ ନିର୍ଦ୍ଦେଶକ ଆଗାମୀ ଦିନରେ ଏହି ଦିଗରେ ପଦେକ୍ଷପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦାବି ପୂରଣ ନହେଲେ ଓଡ଼ିଶା ରକ୍ତଦାତା ମହାସଂଘ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ।





