ବ୍ରହ୍ମପୁର, ୨୦/୦୩/୨୦୨୫:ଛତ୍ରପୁର ସ୍ଥିତ ଭାରତୀୟ ବିରଳ ମୃତ୍ତିକା ସଂସ୍ଥାନ(ଆଇଆରଇଏଲ) ପକ୍ଷରୁ ଏମକେସିଜି ମେଡିକାଲକୁ ୧ କୋଟି ୨୦ ଲକ୍ଷ ଟଙ୍କାର ସରଞ୍ଜାମ ପ୍ରଦାନ କରାଯାଇଛି । ଆଇଆରଇଏଲର ସିଏସଆର ପାଣ୍ଠିରୁ ଏମକେସିଜିର ସିଟିଭିଏସ ବିଭାଗ ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ ପ୍ରଦାନ କରାଯାଇଥିଲା । ଆଜି ଆଇଆରଇଏଲର ଓସକମ୍ ମୁଖ୍ୟ ସିଭିଆର ମୂର୍ତ୍ତି, ମହା ପ୍ରବନ୍ଧକ ରବିଶଙ୍କର ସାବତ, ସିଏସଆର ଡିଜିଏମ ଏନକେ ନାୟକ ଓ ସିନିୟର ମ୍ୟାନେଜର ଦୀପକ ମିଶ୍ର ଏମକେସିଜିରେ ପହଞ୍ଚି ଏମକେସିଜିର ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ଡା. ସୁଚିତ୍ରା ଦାସଙ୍କୁ ଉପରୋକ୍ତ ଯନ୍ତ୍ରପାତି ପ୍ରଦାନ କରିଥିଲେ । ଏହି ସମୟରେ ଏମକେସିଜିର ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା, ସିଟିଭିଏସ ବିଭାଗ ମୁଖ୍ୟ ପ୍ରଫେସର ଡା. ସାରଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଏମକେସିଜିର ପିଏମଏସଏସୱାଇ କୋଠାରେ ସିଟିଭିଏସ ବିଭାଗ ରହିଛି ।ଏହି ବିଭାଗରେ ପୂର୍ବରୁ ଦାମୀ ମେସିନ ରହିଥିଲେ ମଧ୍ୟ ଅନ୍ୟାନ୍ୟ ମେସିନ ଓ ସରଞ୍ଜାମ ପାଇଁ ଏହି ବିଭାଗରେ ରୋଗୀଙ୍କ ଓପନ୍ ହାର୍ଟ ସର୍ଜରୀ ହୋଇପାରୁ ନଥିଲା । ବର୍ତ୍ତମାନ ଆଇଆରଇଏଲ ପକ୍ଷରୁ ବିଭାଗକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସରଞ୍ଜାମ ଓ ଯନ୍ତ୍ରପାତି ଯଥା ଏବିଜି ମେସିନ, ଅସ୍ତ୍ରପଚାର ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ପ୍ରଦାନ କରାଯାଇଥିବାରୁ ଏହି ବିଭାଗରେ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ମିଳିପାରିବ ବୋଲି କୁହାଯାଇଛି ।