ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

0
28

ବ୍ରହ୍ମପୁର, ୩୧/୦୩/୨୦୨୬ : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ଣରେ ଏକ ଭାବପୂର୍ଣ୍ଣ ବାତାବରଣ ମଧ୍ୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରାଯାଇଥିଲା l
ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ଚିତ୍ତରଞ୍ଜନ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷ ଡ. ଦେବରାଜ ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଦ୍ୟାର୍ଥୀଗଣଙ୍କ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବୁଝାଇବା ସହ ଅତୀତର ରାଜନୀତି ଆଜିର ଇତିହାସ ଏବଂ ଇତିହାସରୁ ଆଗାମୀ ରାଜନୀତି ଉପାଦାନ ସଂଗ୍ରହ କରିଥାଏ ବୋଲି କହିଥିଲେ lମୁଖ୍ୟବକ୍ତା ରୂପେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. କୁଳମଣି ଓଝା ବିଦାୟୀ ଓ ସମବେତ ଛାତ୍ରଛାତ୍ରୀଙ୍କୁ ସଂବୋଧିତ କରି ଛାତ୍ର ଜୀବନରେ ପ୍ରଥମେ ଶିକ୍ଷା, ତା’ପରେ ବିଦ୍ୟା, ଜ୍ଞାନ ଓ ପ୍ରଜ୍ଞାର ଗୋଟିଏ ଗୋଟିଏ ପାହାଚ ଅତିକ୍ରମ କରି ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଳି କହିଥିଲେ l ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ଏକ ଅସ୍ଥାୟୀ ଆନୁଷ୍ଠାନିକ ଅବକାଶ l ମାତ୍ର ଜନ୍ମଲଗ୍ନ ହଁ ପ୍ରକୃତ ସ୍ୱାଗତୋତ୍ସବ ଓ ମୃତ୍ୟୁକାଳୀନ ବିଦାୟୋତ୍ସବ ଜୀବନର ନିଚ୍ଛକ ବାସ୍ତବତା l ଏହି ପ୍ରେକ୍ଷାପଟରେ ନିଜ ଭିତରେ ଥିବା ଅମିତ ସମ୍ଭାବନାର ଉନ୍ମେଷ ଦିଗରେ କାର୍ଯ୍ୟ କରିବା ସହ ପ୍ରଥମେ ମଣିଷ ପରି ମଣିଷଟିଏ ହେବା ବିଦ୍ୟାର୍ଥୀମାନଙ୍କ ଧ୍ୟେୟ ହେବା ଉଚିତ୍ ବୋଲି ଡ. ଓଝା ଉଲ୍ଲେଖ କରିଥିଲେ l
ସମ୍ମାନିତ ଅତିଥି ରୂପେ ପ୍ରାଶାସନିକ ଅଧିକାରୀ ତଥା ଗଣିତ ବିଭାଗ ମୁଖ୍ୟ କୃଷ୍ଣଚନ୍ଦ୍ର ବେହେରା, ବାଣିଜ୍ୟ ବିଭାଗ ମୁଖ୍ୟ କମଳାକାନ୍ତ ନାୟକ +୩ ତୃତୀୟ ବର୍ଷ ରାଜନୀତି ବିଜ୍ଞାନ ସମ୍ମାନ ଓ ଦ୍ଵିତୀୟ ବର୍ଷ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଭାଗ ମୁଖ୍ୟ ଡ. ଚିତ୍ତରଞ୍ଜନ ମହାନ୍ତି ତାଙ୍କ ବକ୍ତବ୍ୟରେ ରାଜନୀତି ବିଜ୍ଞାନ ଅଧ୍ୟୟନର ଆବଶ୍ୟକତା ଓ ଉପଯୋଗିତା ବିଷୟରେ ସୂଚାଇବା ସହ ବିଦାୟୀ ବିଦ୍ୟାର୍ଥୀମାନଙ୍କୁ ସଫଳ ଜୀବନ ଗଠନର ଗୁରୁମନ୍ତ୍ର ପ୍ରଦାନ କରିଥିଲେ l
ବିଭାଗୀୟ ଅଧ୍ୟାପିକା ଡ. ଅନୀତା ପତି, ଅତିଥି ଅଧ୍ୟାପକ ରୁଦ୍ର ରାଉତ, ଅତିଥି ଅଧ୍ୟାପକ ଶିବ ଶଙ୍କର ପାଳ ଓ ଅତିଥି ଅଧ୍ୟାପିକା ରିଙ୍କି ଡାକୁଆ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ l ସୋନାଲି ଓ ଆଦିତ୍ୟ ଉତ୍ସବର ସଂଯୋଜନା କରିଥିଲେ l ଅଧ୍ୟାପିକା ଡ. ଅନୀତା ପତି ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here