ବ୍ରହ୍ମପୁର, ୦୧/୦୪/୨୦୨୬:ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ ଅଡିଟୋରିଅମ ରେ ୯୧ତମ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଏମ୍ସି କମିଶନର ଆକବରମ ସସ୍ୟ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ବିଏମ୍ସି ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ସୂଚନା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିଙ୍କ ଦ୍ବାରା ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖୁବା ସହିତ ଉତ୍କଳର ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆସନ୍ତା ୧୪ ଦିନ ଧରି ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯିବ। ଏଥିରେ ରାଜ୍ୟର ଐତିହ୍ୟ, କଳା, ସଂସ୍କୃତି ଓ ପ୍ରେରଣାକୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମ ରହିବ। ଏଥିରେ ସାମିଲ ହେବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ବାନ କରିଛନ୍ତି । ଗଞ୍ଜାମର ବରପୁତ୍ରଙ୍କ ଅବଦାନ ଆମକୁ ପ୍ରେରଣା ଦେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି ଅବସରରେ ପୂର୍ବରୁ ସ୍କୁଲ ଓ କଲେଜ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ତାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉତ୍କଳ ପରିଷଦର ସମ୍ପାଦକ ପ୍ରମୋଦ ପଣ୍ଡାଙ୍କ ସଭାପତିତ୍ୱରେ ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଗବେଷକ ଡ. ବାୟାମନୁ ଚର୍ଛି ଯୋଗ ଦେଇଥିବା ବେଳେ ଜିଲ୍ଲାର ବହୁ ବିଶିଷ୍ଠ ସାହିତ୍ୟିକ ଏଥିରେ ସାମିଲ ହୋଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ଶିବାନନ୍ଦ ବାରିକ ମଞ୍ଚ ସଂଯୋଜନା କରିଥିବା ବେଳେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ।





