ବ୍ରହ୍ମପୁର, ୦୫/୦୪/୨୦୨୬ : ଉଚ୍ଚଶିକ୍ଷା ବିଭାଗ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଚଳିତ ଅପ୍ରେଲ୍ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ ପରିପ୍ରେକ୍ଷୀ ରେ ଆଜି ସକାଳେ ସହର ଉପକଣ୍ଠ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଏବଂ ମଧ୍ୟାହ୍ନରେ ଓଡ଼ିଆ ଭାଷା-ସାହିତ୍ୟ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଏକ ଭାବପୂର୍ଣ୍ଣ ବର୍ଣ୍ଣାଢ୍ୟ ବାତାବରଣ ମଧ୍ୟରେ ଚତୁର୍ଦ୍ଧାମୂରତିଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭାଷା-ସାହିତ୍ୟ ପରିଚର୍ଚ୍ଚାର ଶୁଭାରମ୍ଭ କରାଯାଇଥିଲା l
ଅଧ୍ୟକ୍ଷ ଡ. ଦେବରାଜ ସ୍ୱାଇଁ ଏହି ଆଲୋଚନା ଚକ୍ରରେ ପୌରୋହିତ୍ୟ କରିବା ସଂଗେ ସଂଗେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଆମ ସାହିତ୍ୟର ସ୍ବାତନ୍ତ୍ର୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ‘ଓଡ଼ିଆ ଭାଷା ଓ ସାହିତ୍ୟ : ଆରମ୍ଭ, ଉତ୍ତରଣ ଓ ଉତ୍କର୍ଷ’ ଶୀର୍ଷକ ଆଲୋଚନା ଚକ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରଫେସର୍ ଡକ୍ଟର୍ ସଦାନନ୍ଦ ନାୟକ ମୁଖ୍ୟଅତିଥି ଓ ପ୍ରାକ୍ତନ ଆଞ୍ଚଳିକ ଉଚ୍ଚଶିକ୍ଷା ଉପ-ନିର୍ଦ୍ଦେଶକ ଡକ୍ଟର୍ କୈଳାସ ଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ମୁଖ୍ୟ ଡ. କୁଳମଣି ଓଝା ଭିତ୍ତି-ବକ୍ତବ୍ୟ ଉପସ୍ଥାପନ ପୂର୍ବକ ଏହି ଆଲୋଚନା ଚକ୍ରର ସଂଯୋଜନା କରିଥିଲେ lମୁଖ୍ୟଅତିଥି ପ୍ରଫେସର୍ ନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷା ସଂସ୍କୃତରୁ ନୁହେଁ ; ବରଂ ଉଡ୍ର-ପ୍ରାକୃତ ଭାଷାରୁ ବ୍ୟୁତ୍ପତ୍ତି ଲାଭ କରିଛି ବୋଲି କହିଥିଲେ l ଋଗ୍-ବେଦ ଓ ରାମାୟଣରୁ ଦୃଷ୍ଟାନ୍ତ ପ୍ରଦାନ ସହ ଉଡ୍ରଭାଷାର ସଂସ୍କାରିତ ରୂପ ସଂସ୍କୃତ ବୋଲି ସପ୍ରମାଣ ଉଲ୍ଲେଖ କରିଥିଲେ l ଏହି ଅବସରରେ ପ୍ରଫେସର୍ ନାୟକ ପଚିଶ ଶହ ବର୍ଷ ପୁରୁଣା ଓଡ଼ିଆ ଭାଷାର ମୌଳିକତା ଓ ଓଡ଼ିଆ ସାହିତ୍ୟର ଉତ୍କର୍ଷତା ପ୍ରତିପାଦକ କେତେକ ତଥ୍ୟ ଓ ସିଦ୍ଧାନ୍ତ ସଂପର୍କରେ ଆଲୋଚନା କରିଥିଲେ lସମ୍ମାନିତ ଅତିଥି ଡ. ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାର ମହତ୍ତ୍ୱ ବିଷୟ ଉଲ୍ଲେଖ ପୂର୍ବକ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆକୁ ଭଲ ପାଇବା ସହ ଭାଷା-ସାହିତ୍ୟର ପୃଷ୍ଠଭୂମି ଓ ପରମ୍ପରା ସଂପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ l ଏହି ଆଲୋଚନାରେ ଇଂରାଜୀ ବିଭାଗ ମୁଖ୍ୟ ଡ. ଆନନ୍ଦ ସେଠୀ, ହିନ୍ଦୀ ବିଭାଗ ମୁଖ୍ୟ ଗଙ୍ଗାଧର ବେହେରା, ବାଣିଜ୍ୟ ବିଭାଗ ମୁଖ୍ୟ କମଳାକାନ୍ତ ନାୟକ, ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ରବୀନ୍ଦ୍ର କୁମାର ପଣ୍ଡା, ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ସୁଶାନ୍ତ କୁମାର ପରିଡ଼ା, ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର୍ ଡ. ଅଚ୍ୟୁତ ବିଶ୍ୱାଳ, ବାଣିଜ୍ୟ ବିଭାଗ ସହକାରୀ ପ୍ରଫେସର୍ ଡ. ମଧୁମିତା ନାୟକ, ଡ. ଶାରଦା ପ୍ରସାଦ ଦାସ, ବାଲ୍ମୀକି ସାହୁ, ମହେଶ୍ବର ମହାନ୍ତି, ଅଧ୍ୟାପକ ଟି. ସୀମାଞ୍ଚଳ ପାତ୍ର, ଅଧ୍ୟାପିକା ରୋଜାଲିନ୍ ତ୍ରିପାଠୀ, ଅଧ୍ୟାପକ ଶ୍ୱେତକ ପଲକ, ଅଧ୍ୟାପକ ଶିବଶଙ୍କର ପାଳ, ଅଧ୍ୟାପିକା ରିଙ୍କି ଡାକୁଆ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଶେଷରେ ଡ. ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ lପୂର୍ବାହ୍ନରେ ଅନୁଷ୍ଠିତ କ୍ୟାମ୍ପସ୍ ସଫେଇ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ l ଅଧ୍ୟକ୍ଷ ଡ. ଦେବରାଜ ସ୍ୱାଇଁ, ଆମନ୍ତ୍ରିତ ଅତିଥି ଡ. କୈଳାସ ଚନ୍ଦ୍ର ତ୍ରିପାଠୀ, ଓଡ଼ିଆ ବିଭାଗ ମୁଖ୍ୟ ଡ. କୁଳମଣି ଓଝା, ଗଣିତ ବିଭାଗ ମୁଖ୍ୟ କୃଷ୍ଣଚନ୍ଦ୍ର ବେହେରା, ଡ. ଆନନ୍ଦ ସେଠୀ, ହିନ୍ଦୀ ବିଭାଗ ମୁଖ୍ୟ ଗଙ୍ଗାଧର ବେହେରା, ବାଣିଜ୍ୟ ବିଭାଗ ମୁଖ୍ୟ କମଳାକାନ୍ତ ନାୟକ, ପ୍ରାଣୀବିଜ୍ଞାନ ସହକାରୀ ପ୍ରଫେସର୍ ସୁଶାନ୍ତ କୁମାର ପ୍ରଧାନ, ରସାୟନବିଜ୍ଞାନ ଅଧ୍ୟାପକ ରତ୍ନାକର ମିଶ୍ର ଓ ଓଡ଼ିଆ ଅଧ୍ୟାପକ ଟି. ସୀମାଞ୍ଚଳ ପାତ୍ର ପ୍ରମୁଖ ସ୍ୱଚ୍ଛତା ଅଭିଯାନରେ ସାମିଲ୍ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l
Home ବ୍ରହ୍ମପୁର ସ୍ପେଶାଳ ଓଡ଼ିଆ ପକ୍ଷ ପାଳନ : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା-ସାହିତ୍ୟ ପରିଚର୍ଚ୍ଚା...





