ଛତ୍ରପୁର, ୦୨/୦୬/୨୦୨୬: ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ମହାଆଡମ୍ବରରେ ଚାଲିଛି। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସୁପ୍ରସିଦ୍ଧ ହାସ୍ୟକଳାକାର ପପୁ ପମପମଙ୍କ ମନମତାଣିଆ କମେଡି ଏବଂ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ‘ରାଣୀ ଗୁରୀ’, ‘ଦିଲ୍ କି ରାଣୀ’, ‘ରସିଆ’ ଓ ‘ହଇ ଗୋ’ ଗୀତରେ ଦର୍ଶକ ଓ ଶ୍ରୋତାମାନେ ବିଭୋର ହୋଇଥିଲେ।
ସାନ୍ଧ୍ୟ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଶ୍ରୀ ନାୟକ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା,ଛତ୍ରପୁର ବ୍ଲକ ଉପାଧ୍ୟାକ୍ଷା ଏସ. ଶାରଦା ରେଡ୍ଡୀ, ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ୧୯ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ସୁନୀଲ କେରକେଟା, ବ୍ରହ୍ମପୁର ମହାନଗର ନିଗମର କମିଶନର ଅକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଆଇ ଏ ଏସ ପ୍ରୋବାସେନର ସୁଶ୍ରୀ ସରନ୍ୟା, ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଅତିଥି ଭାବେ ଯୋଗଦେଇ ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କରିବା ସହିତ ସମସ୍ତ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ସହିତ ଅନ୍ୟମାନଙ୍କୁ ଏ ମହୋତ୍ସବର ବିଭିନ୍ନ ଆୟୋଜନ ବିଷୟରେ ଜଣାଇବା ପାଇଁ କହିଥିଲେ ।
ଛତ୍ରପୁର ବିଧାୟକ ଶ୍ରୀ ନାୟକ ଛତ୍ରପୁର ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜନ ପ୍ରତିନିଧି ଓ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ଛତ୍ରପୁର ପୌର ପରିଷଦ, ଗଞ୍ଜାମ ଓ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲର ଓ ଅନ୍ୟାନ୍ୟ ଜନପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ମା’ ବ୍ରାହ୍ମଣ ଦେବୀ ନାଟ୍ୟ, ଜାମୁଲାଇ, ଭଞ୍ଜନଗରର କଳାକାରଙ୍କ କୃଷ୍ଣଲୀଳା, ଉତ୍କଳିକା ନୃତ୍ୟ ଅନୁଷ୍ଠାନ, ବ୍ରହ୍ମପୁରର ଓଡ଼ିଶୀ, ଲକ୍ଷ୍ୟମଞ୍ଜରୀ କଳାକ୍ଷେତ୍ରର କୁଚିପୁଡ଼ି, ଡି.ଏସ୍. ଡାନ୍ସ ଏକାଡେମୀ, ଗଞ୍ଜାମର ଆଧୁନିକ ନୃତ୍ୟ, ଜେଡିସି ଆକ୍ଟିଂ ଷ୍ଟୁଡିଓ, ଛତ୍ରପୁରର ଲୋକନୃତ୍ୟ, ରୟାଲ ଡାନ୍ସ ଏକାଡେମୀର ଆଧୁନିକ ନୃତ୍ୟ ଏବଂ ଦି ପଲ୍ଲବୀ, କରଞ୍ଜିଆ, ମୟୂରଭଞ୍ଜର ମଲ୍ଲଖମ୍ବ ନୃତ୍ୟ ଦେଖଣାହାରୀଙ୍କୁ ବିମୋହିତ କରିଥିଲା।
ଛତ୍ରପୁର ମହୋତ୍ସବରେ ୧୫୦ଟି ଷ୍ଟଲ ରହିଛି। ତା’ମଧ୍ୟରୁ ୨୪ଟି ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗ ଗୋଷ୍ଠୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଅଂଶଗ୍ରହଣ କରିଛନ୍ତି। ଏହି ଦଳମାନଙ୍କ ମଧ୍ୟରେ ୫୦ ଜଣ ଲକ୍ଷପତି ଦିଦି ଅଛନ୍ତି। ସେହି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗ ଗୋଷ୍ଠୀର ମା’ମାନେ ନିଜ ଉଦ୍ୟମ, ପରିଶ୍ରମ ଓ ସଫଳତାର କାହାଣୀକୁ ସେମାନଙ୍କ ଉତ୍ପାଦ ମାଧ୍ୟମରେ ପ୍ରଦର୍ଶନ କରୁଛନ୍ତି।
ସେହିପରି ୨୨ଟି ଷ୍ଟଲରେ ବିଭିନ୍ନ କୃଷି ଯନ୍ତ୍ରପାତି, ସରକାରୀ ଯୋଜନା, ଡ୍ରୋନ୍ ଇତ୍ୟାଦିର ପ୍ରଦର୍ଶନ କରାଯାଉଛି। ପ୍ରତ୍ୟେକ ଦିନ ବିଭିନ୍ନ ବିଷୟ ଉପରେ ପାଠ୍ୟଚକ୍ର ଆୟୋଜନ କରାଯାଇ କୃଷକ ଓ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହି ପ୍ରଦର୍ଶନୀ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ କୃଷକ ଭାଇ ଓ ଭଉଣୀମାନେ ଲାଭାନ୍ୱିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ୧୦୦୦ରୁ ଅଧିକ ଗୋପାଳକଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସୁଫଳ ମିଳିପାରିଛି। ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ଜିଲ୍ଲାର ୧୨ଟି ଗୋଶାଳାକୁ ପାଖାପାଖି ୨.୨ କୋଟି ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି।
ଅନ୍ୟ ଷ୍ଟଲ ଗୁଡିକରେ ଖାଦ୍ୟ ମେଳା, ସୁଭଦ୍ରା ଶକ୍ତି ମେଳା,ପଲ୍ଲିଶ୍ରୀ ମେଳା , ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ପ୍ରଦର୍ଶିତ ହେଉଛି । ଗଞ୍ଜାମ ଜିଲ୍ଲାରେ ସୁଭଦ୍ରା ଯୋଜନାରେ ୯ ଲକ୍ଷରୁ ଅଧିକ ହିତାଧିକାରୀ ୧୮୪୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ଅଦ୍ୟାବଧି ପାଇସାରିଛନ୍ତି। ଏହି ଆର୍ଥିକ ସହାୟତା ଛୋଟ ଛୋଟ ବ୍ୟବସାୟର ବିକାଶ ଏବଂ ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରୁଛି। ଖାଦ୍ୟ ମେଳାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟପେୟ ଯଥା ପିଠା, ପଣା, ମିଷ୍ଟାନ୍ନ ଇତ୍ୟାଦି ସହିତ ବାଲେଶ୍ୱରର ପତ୍ରପୋଡ଼ା ମାଂସ, ବାରିପଦାର ମୁଢ଼ିମାଂସ ଇତ୍ୟାଦି ମିଳୁଛି ।
ଆସନ୍ତାକାଲି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ କୁଲଦୀପ ପଟ୍ଟନାୟକ ତାସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନମାନେ ଲୋକ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।






