ଦିଗପହଣ୍ଡି,୨୨/୦୫/୨୦୨୦(ଗଦାଧର ଶୁକ୍ଳ)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବି . ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଜଣାପଡ଼ିଛି । ଗ୍ରାମର ପି. ସମେଶ୍ବର ରେଡ୍ଡୀ ନାମକ ଜଣେ ମାନସିକ ବିକୃତ ଯୁବକ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜର ହାତ ପାପୁଲି କାଟି ପଲିଥିନରେ ଧରି ଗ୍ରାମ ବୁଲୁଥିବା ବେଳେ ଗ୍ରାମବାସୀ କାବୁ କରି ସ୍ଥାନୀୟ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଖବରନୁଯାୟୀ , ଯୁବକ ଜଣକ ଶୁକ୍ରବାର ସନ୍ଧ୍ୟାରେ ନିଜ ବାରିପଟେ ବସିଥିବା ସମୟରେ ଯୁବକଙ୍କ ମାଆ ବାରଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ । କିନ୍ତୁ କିଛି ସମୟ ପରେ ଯୁବକ ଜଣକ ନିଜ କଟା ପାପୁଲିକୁ ଏକ ପଲିଥିନରେ ଧରି ବାହାରକୁ ଆସିବା ଦେଖି ମାଆ ଭୟଭୀତ ହୋଇ ବାହାରକୁ ଚାଲି ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଘଟଣାପରେ ଗ୍ରାମର କିଛି ଲୋକଙ୍କ ସହାୟତାରେ ଯୁବକକୁ କାବୁ କରିଥିଲେ । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।