ଯାଜପୁର, ୩୦/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ସଚେତନତା ଦ୍ୱାରା ହିଁ କରୋନାକୁ ବିନାଶ କରାଯାଇ ପାଇବ। ଏହାକୁ ହୃଦୟଙ୍ଗମ କରି ମାର୍ଚ୍ଚ ୨୨ ତାରିଖରୁ ଅଦ୍ୟାବଧି ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରୀରହିଛି।ସାରା ରାଜ୍ୟରେ ରିଲିଫ ବଣ୍ଟନ ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିଥିବା ବେଳେ,ଆଜି କରୋନା ସଚେତନତା ଓ ରିଲିଫ ବଣ୍ଟନର ଶତ ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାରା ରୋପଣ ଓ ବଣ୍ଟନ ସହ ଗାଁ ଗହଳି ଓ ଛକ ବଜାରର ବୁଲା ଜୀବଜନ୍ତୁ ମାନଙ୍କୁ ଖାଦ୍ୟ ଦିଆ ଯାଇଥିଲା। ସମସ୍ତ ଚାରାକୁ ସ୍ଥାନୀୟ ମଙ୍ଗଳପୁରସ୍ଥିତ ବାବା ମଣୀ ନର୍ସରି ପକ୍ଷରୁ ସୁରେଶ ଦାସ ବିନା ମୂଲ୍ୟରେ ଯୋଗାଇ ଦେଇଥିଲେ ।ଦ୍ଵିତୀୟ ପର୍ଯ୍ୟାୟରେ ଶତ ଦିବସ ପାଳନ ସହ ଶହେ ଦିନର ସଚେତନତା ରିଲିଫ ବଣ୍ଟନ ଆଦିର ସମୀକ୍ଷା ସହ ସାମାଜିକ ଦୂରତା ରକ୍ଷା କରି ନିରାଡ଼ମ୍ବର ଭାବେ ସଭାକାର୍ଯ୍ୟ ଅଧ୍ୟାପକ ଭରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏଥିରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସାଧୁ ନିଲୁବାବା, ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମିହିର କୁମାର ମଲ୍ଲିକ,ଅଭିନେତା ଶଶିକାନ୍ତ ପଣ୍ଡା,ବଣ୍ଟି ମଲ୍ଲିକ,ମାନସ ସେଠ,ଗୋଲକ ବିହାରୀ ଦାସଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରିଥିଲେ।