ବ୍ରହ୍ମପୁର,୨୭/୧୨/୨୦୨୦(ବ୍ୟୁରୋ ରିପୋର୍ଟ) କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ଜୋନାଲ୍ କାର୍ଯ୍ୟାଳୟରେ ଉଦଘାଟିତ ହେଲା ଷ୍ଟୁଡିଓ । ଫାଉଣ୍ଡର୍ ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଆସିକା ସାଂସଦ ପ୍ରମୀଳା ବିଷୋୟୀ ରିବନ୍ କାଟି ଷ୍ଟୁଡିଓର ଉଦଘାଟନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ତଥା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ସହରର କିଛି ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ନୂତନ ଷ୍ଟୁଡିଓ ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ଏହାର ପରେ ସହରର ଟାଉନ୍ ହଲ୍ ଠାରେ କଳିଙ୍ଗ ଟିଭି ପକ୍ଷରୁ ଆୟୋଜିତ କରୋନା ନିୟନ୍ତ୍ରଣରେ ସାମ୍ବାଦିକଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ମାନେ ଯୋଗଦାନ କରିଥିଲେ । ଫାଉଣ୍ଡର୍ ତଥା କିଟ୍ କିସ୍ ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବ୍ରହ୍ମପୁର ସାଂସଦ ଙ୍କ ସମେତ ପ୍ରମିଳା ବିଷୋୟୀ, ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର, ବିଡିଏର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା, କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ପ୍ରଭୂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆଲୋଚନା ଚକ୍ରକୁ ଉଦଘାଟନ କରିଥିଲେ । କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମସ୍ତ ବକ୍ତା କୋଭିଡ୍ ସମୟରେ ସାମ୍ବାଦିକ ମାନଙ୍କର ଭୂମିକାକୁ ଭୂୟଂସୀ ପ୍ରଶଂସା କରିଥିଲେ । ନିସ୍ବାର୍ଥପର ଭାବେ ସାମ୍ବାଦିକ ମାନେ ସେବା କରି ଆସୁଥିବା କଥା କହିବା ବେଳେ କୋଭିଡ୍ ପରିଚାଳନାରେ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର କିଛି ଚିନ୍ତା କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାହା କାର୍ଯ୍ୟରେ ପରିଣତ କରୁଥିଲେ ବୋଲି ବ୍ରହ୍ମପୁର ସାଂସଦ କହିବା ସହ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଷଣ କରୁଥିବା କଥାକୁ ମନେ ପକାଇଥିଲେ।ସେହିପରି କଳିଙ୍ଗ ଟିଭିର ପ୍ରତିଷ୍ଠାତା ଗଠନମୂଳକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା କଥାକୁ ଦୋହରାଇବା ସହ କଳିଙ୍ଗଟିଭି ଠିକ୍ କହେ ଠିକ୍ ଦେଖାଏ ବୋଲି କହିବା ସହ ଦୀର୍ଘ ବର୍ଷ ଧରି ଆଦିବାସୀ ଗରିବଙ୍କ ସେବା କରି ଆସୁଥିବା କଥାକୁ ଭଗବାନ ବରଦାନ ବୋଲି କହିଥିଲେ ।ଅନ୍ୟପଟେ କଳିଙ୍ଗ ଟିଭି ବ୍ୟତିତ କିଛି ଗଣମାଧ୍ୟମ କୋଭିଡ୍ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଭୁଲ୍ ତଥ୍ୟ ପ୍ରଦାନ କରୁଥିବା କଥା ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର କହିଥିଲେ ।
ଏହା ପରେ ବିଭିନ୍ନ ସଂଗଠନର ବ୍ୟକ୍ତି ବିଶେଷ ଫାଉଣ୍ଡର୍ ଓ ପରିଚାଳନା ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଶେଷରେ ଅଭିଷେକ କ୍ରିଏସନ୍ ଓ ବ୍ରହ୍ମପୁର ନାଗରିକ ପକ୍ଷରୁ ସାଂସଦ ଡ. ସାମନ୍ତ ଓ ଏମ୍ ଡି ଶ୍ରୀ ଖଟୁଆଙ୍କୁ ଚନ୍ଦ୍ର ଶେଖର ସାହୁ, ପ୍ରମିଳା ବିଷୋୟୀ ପ୍ରମୁଖ ଉପଢୌକନ, ପୁଷ୍ପଗୁଚ୍ଛ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭ ରେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଜଗନ୍ନାଥ ଙ୍କ ଏକ ଭଜନ ପରିବେଷଣ କରିଥିଲେ ।ଶେଷରେ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଖଟୁଆ ଏପରି ଆଲୋଚନାଚକ୍ରର ଆୟୋଜନକୁ ନେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ କଳିଙ୍ଗ ଟିଭି ପକ୍ଷରୁ ” କରୋନା ନିୟନ୍ତ୍ରଣରେ ସାମ୍ବାଦିକଙ୍କ ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ





