ଶିବ ମନ୍ଦିରରେ ଜଳିଗଲେ ବିବାହିତ ମହିଳା

0
153

ବୁଗୁଡା, ୧୨/୦୨/୨୦୨୧: ବୁଗୁଡା ବ୍ଲକର ମୋଟାବାଡି ଗ୍ରାମ ଶିବ ମନ୍ଦିର ପରିସରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଫେବୃଆରୀ ୧୨ ତାରିଖ ସଂକ୍ରାନ୍ତି ହୋଇଥିବା ଯୋଗୁଁ ପ୍ରତ୍ୟେକ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି। ସେହିପରି ମୋଟାବାଡ଼ି ଶିବ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା ପାଇଁ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ଭିଡ। ଏହି ଭିଡ ମଧ୍ୟରେ ମୋଟାବାଡ଼ି ଗ୍ରାମର ଖଦାଳ ମହାରଣାଙ୍କ ଝିଅ ଗାୟତ୍ରୀ ମହାରଣା (୩୫) ମଧ୍ୟ ପୂଜାର୍ଚ୍ଚନା କରୁଥିଲେ। ହେଲେ ପୂଜାର୍ଚ୍ଚନା ସମୟରେ ଗାୟତ୍ରୀଙ୍କ ପିନ୍ଧିଥିବା ଶାଢୀରେ ଜଳୁଥିବା ଦୀପାଳିର ନିଆଁ ଲାଗିଯାଇଥିଲା। ପୂଜାରେ ସମସ୍ତେ ବ୍ୟସ୍ତ ଯୋଗୁଁ ଗାୟତ୍ରୀଙ୍କ ଶାଢ଼ୀରେ ନିଆଁ ଲାଗିଥିଲେ ମଧ୍ୟ କେହି ହଠାତ ଜାଣିପାରି ନଥିଲେ। ଫଳରେ ଗାଯାତ୍ରୀଙ୍କ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଶରୀର ପୋଡିଯାଇଥିଲା। ସଙ୍ଗେ ସଙ୍ଗେ ଗାୟତ୍ରୀଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଗାୟତ୍ରୀ ଗଞ୍ଜାମ ଜିଲ୍ଲାର ସୁରମଣି ଗ୍ରାମର ରାମଚନ୍ଦ୍ର ମହାରଣାଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ପାଞ୍ଚ ମାସର ଏକ ଶିଶୁ ସନ୍ତାନ ଥିବା ଜଣାପଡିଛି। ସେ ନିଜ ବାପ ଘରେ ଥିବାବେଳେ ଏହି ଦୁର୍ଘଟଣା ଘଟିଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here