ବୁଗୁଡା,୨୮/୦୨/୨୦୨୧: ଆମେ ସମସ୍ତେ ଜାଣିଛନ୍ତି ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼ ବିଷୟ। ଆଖିକୁ ହାତରେ ବନ୍ଦ କରିବା ଅର୍ଥ ଖରାପ କାର୍ଯ୍ୟ ଦେଖିବା ନାହିଁ। ପାଟିକୁ ହାତରେ ବନ୍ଦ କରିବା ଅର୍ଥ ଖରାପ କଥା କହିବି ନାହିଁ। କାନକୁ ହାତ ଦେଇ ବନ୍ଦ କରିବା ଅର୍ଥ ଖରାପ କଥା ଶୁଣିବା ନାହିଁ। ଏହାକୁ ଆଦର୍ଶ ଭାବେ ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ତିନି ମାଙ୍କଡ଼ ମୂର୍ତ୍ତି ସ୍ଥାପନ କରିଥାନ୍ତି। ବୁଗୁଡା ଏନ.ଏ.ସି. ରେ ମଧ୍ୟ ନିର୍ମାଣ ହୋଇଛି ତିନି ମାଙ୍କଡ଼। ହେଲେ ଆମ ବୁଗୁଡାର ପ୍ରଶାସନ ଯେଉଁ ତିନି ମାଙ୍କଡ଼ ନିର୍ମାଣ କରିଛନ୍ତି ତାହା ଗାନ୍ଧିଜୀଙ୍କ ଆଦର୍ଶ ମାଙ୍କଡ଼ ଠାରୁ ଟିକେ ଭିନ୍ନ। ଏଠାରେ ପ୍ରଥମ ମାଙ୍କଡ଼ ଆଖିରେ ହାତ ଦେଇଛି ଓ ଦ୍ଵିତୀୟ ମାଙ୍କଡ଼ ପାଟିରେ ହାତ ଦେଇଛି, ମାତ୍ର ତୃତୀୟ ମାଙ୍କଡ଼ଟି ମୁଣ୍ଡରେ ହାତ ଦେଇଛି। ଅବଶ୍ୟ ଏନଏସି ପ୍ରଶାସନ ତୃତୀୟ ମାଙ୍କଡ଼ଟି କାନରେ ହାତ ଦେବା ବଦଳରେ ମୁଣ୍ଡରେ ହାତ ଦେଇ ଭୁଲ ହେବା ଜାଣି ତୃତୀୟ ମାଙ୍କଡ଼ଟିକୁ ଆଗକୁ ମୁହଁ ନକରି ତାହା ପାର୍ଶ୍ଵରେ ବସାଇ ଦେଇଛନ୍ତି। ତୃତୀୟ ମାଙ୍କଡ଼ ମୂର୍ତ୍ତି ଭୁଲ ଜାଣିଲେ ମଧ୍ୟ ପ୍ରଶାସନ ସଠିକ ମୂର୍ତ୍ତି ନିର୍ମାଣ ନକରି ପାର୍ଶ୍ଵରେ ବସାଇ ଥିବା ନେଇ ଯାହା ଶୁଣିଲୁ ଆଶ୍ଚର୍ଯ୍ୟ ହୋଇଗଲୁ। ଲୋକମାନେ କହିଲେ ଯେ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କ ଆଦର୍ଶ ପାଇଁ ଠିକ ବୋଲି ସେ ତୃତୀୟ ମାଙ୍କଡ଼କୁ ପରିବର୍ତ୍ତନ କରି ନାହାଁନ୍ତି। ମୂର୍ତ୍ତିର ଆଦର୍ଶ ନେଇ କହିଲେ ପ୍ରଥମ ମାଙ୍କଡର ଅର୍ଥ କିଛି ଅଭିଯୋଗ କଲେ କହିବେ, ମୁଁ କିଛି ଦେଖିନାହିଁ, ଦେଖିକରି ପଦକ୍ଷେପ ନେବି। ଦ୍ୱିତୀୟ ମାଙ୍କଡର ଅର୍ଥରେ ଅଭିଯୋଗ ନେଇ କଣ ପଦକ୍ଷେପ ନେଲେ ପଚାରିଲେ, ମୁଁ ଅନୁସନ୍ଧାନ କରି ନାହଁ, ବର୍ତ୍ତମାନ କିଛି କହିପାରିବି ନାହିଁ। ଆଉ ତୃତୀୟ ମାଙ୍କଡ଼ ଅର୍ଥରେ କିଏ କିଛି କହିଲେ ମୁଣ୍ଡରେ ହାତ ଦେଇ କହିବେ, ଓଃ ବିରକ୍ତି କରନି, ସରକାର ଦରମା ଗଣ୍ଡେ ଦେଉଛନ୍ତି ବୋଲି କେତେ ଅଭିଯୋଗ ଶୁଣିବୁ। ଆଉ ଜଣେ କହିଲେ ଏଠି ସବୁ ରାଧେ ରାଧେ ରେ କାର୍ଯ୍ୟ ହେଉଛି, ଆରଟିଆଇ ରେ ମାଗିଲା ପରେ ସବୁ ପଦାକୁ ଆସିବ। ଭବିଷ୍ୟତ ରେ କଣ ହେବ ଦେଖିବାକି ବାକି ରହିଲା।
ରିପୋର୍ଟ: ଅନିଲ କୁମାର ମହାରଣା