ଓଡ଼ିଶା ଦିବସ ଆମ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ : ବରିଷ୍ଠ କଳାକାର ସଂଘ

0
204

ବ୍ରହ୍ମପୁର,୦୧/୦୪/୨୦୨୧: ଉଭୟ କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ବାଲାଜୀ ପେଣ୍ଠ ଗୌଡ଼ ସାହି ରାଧାକୃଷ୍ଣ ମନ୍ଦିର ପରିସରରେ ପବିତ୍ର ‘ଓଡିଶା ଦିବସ’ ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ମାମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ମୁଖ୍ୟ ଅତିଥି, ନାଟ୍ୟବିଦ୍ୟାବୁଦ୍ଧ ପ୍ରଫୁଲ୍ଲ କୁମାର ବେହେରା ପ୍ରଧାନ ଆଲୋଚକ ଏବଂ ବରିଷ୍ଠ କଳାକାର ପ୍ରଦୀପ କୁମାର ସାହୁ ଓ କୋଷାଧ୍ୟକ୍ଷ ବଳଦେବ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଭାଷା ଭିତ୍ତିରେ ଗଠିତ ଓଡ଼ିଶା ପ୍ରଦେଶର ପ୍ରମୁଖ ରୂପକାରମାନଙ୍କୁ ସ୍ମରଣ କରିବା ସହିତ ‘ଓଡିଶା ଦିବସ’ ଆମ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ବୋଲି ମତ ପୋଷଣ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ କରୋନା ଆଳରେ କଳାକାରମାନଙ୍କ ବୃତ୍ତି ଛଡେଇ ନେଇ ସମ୍ପୂର୍ଣ୍ଣ ବେରୋଜଗାରୀ କରେଇ ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ଜାଣି ଶୁଣି ଠେଲି ଦେଇଥିବା ପରିସ୍ଥିତିକୁ ପ୍ରତିହତ କରିବା ନିମନ୍ତେ “ସବୁ କଳାକାର ଏକ ପରିବାର” ମହାମନ୍ତ୍ରରେ ଦୀକ୍ଷିତ ହେବାକୁ ଆହ୍ବାନ ଦେଇଥିଲେ । ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ କ୍ରମରେ ସଙ୍ଗୀତଜ୍ଞ ଲକ୍ଷ୍ମୀ ନାରାୟଣ ସାମଲ “ବନ୍ଦେ ଉତ୍କଳ ଜନନୀ” ଶୀର୍ଷକ ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଦେବେନ୍ଦ୍ର ପ୍ରସାଦ ଶର୍ମା, ମହେନ୍ଦ୍ର ସାହୁ, ଭଗବାନ ପାତ୍ର, ଟି. ତାରିଣୀ ରାଓ, ପ୍ରଫୁଲ୍ଲ ନାୟକ, ବଳରାମ ମହାପାତ୍ର, କୁନୁ ବେହେରା, ଗୀତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସଂଘ ସଦସ୍ୟ କିଶୋର କପୂର୍ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here