ବ୍ରହ୍ମପୁର, ୨୮/୦୪/୨୦୨୨:
ମନ୍ଥର ଗତିରେ କାମ ଚାଲିଛି ଅଟୋନଗର ହଳଦିଆ ପଦର ଓଭର ବ୍ରିଜ କାର୍ଯ୍ୟ। ଦୀର୍ଘ ଦିନ ଧରି ଜାତୀୟ ରାଜପଥ ୧୬ରେ ମନ୍ଥର ଗତିରେ କାମ ଚାଲୁ ରହିଥିବା ହେତୁ ଅନେକେ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିବା ସହିତ ବହୁ ଆହତ ହୋଇ ଖଣ୍ଡିଆ ଖାବରା ହେଲେଣି। ଏହା ନେଇ କାହାର ଚେତା ପଶୁ ନଥିବା ସ୍ଥାନୀୟ ଲୋକଙ୍କ ମନରେ ଉଙ୍କି ମାରୁଛି। ଓଭର ବ୍ରିଜ ପାର୍ଶ୍ଵ ରାସ୍ତା ଦୁଇଟି ସଂକୀର୍ଣ୍ଣ ହୋଇ ଥିବାରୁ ଯିବା ଆସିବା କରିବାପାଇଁ ଲୋକେ ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଯଦ୍ଵାରା ବାରମ୍ବାର ଦୁର୍ଘଟଣା ଘଟୁଛି। ବହୁ ଧନଜୀବନ ନଷ୍ଟ ହେଉଛି।ଏଣୁ ଖୁବଶିଘ୍ର ବ୍ରିଜ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ କତୃପକ୍ଷ ଙ୍କୁ ନିବେଦନ କରିଛନ୍ତି। ସେପରି ଆଜି ମଧ୍ୟ ୧୬ନମ୍ବର ଜାତୀୟ ରାଜପଥ ହଳଦିଆ ପଦର ଅଟୋନଗର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ହଳଦିଆପଦର ଅଟୋନଗର ନିକଟରେ ପଛ ପଟୁ ଏକ ମାଲ ବୋଝେଇ ଟ୍ରକ ଯାହାର ନଂ (ଜେଏଚ ୦୯ ଏୱାଇ ଟିଇଉ ୭୬୯୨) ଆନ୍ଧ୍ରପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ସାମାନ୍ୟ ଅସାବଧାନତା ହେତୁ ଏକ ବାଇକକୁ ଯାହାର ନଂ (ଓଡ଼ି ୧୨ବି ୩୫୧୯)ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ଶେରଗଡ଼ ଥାନା କୁରୁଳା ଗ୍ରାମର ମଙ୍ଗୁଳୁ ବାଡ଼ତ୍ୟା (୨୮) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଗୋଳନ୍ଥରା ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଥିବାର ସୂଚନା ମିଳୁଛି । ପ୍ରାୟ ତିନି ଘଣ୍ଟା ଧରି ରାସ୍ତା ସମ୍ପୂର୍ଣ ଜାମ ହୋଇଯାଇ ଥିଲା।ଗୋଟିଏ ପଟେ କହିବାକୁ ଗଲେ ଦୀର୍ଘ ଦିନ ହେଲା ଜାତୀୟ ରାଜପଥକୁ ସମ୍ପ୍ରସାରଣ କରିବା ପାଇଁ କାର୍ଯ୍ୟ ଚାଲିଥିବା ସମୟରେ ସେଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି, ତଥାପି ମଧ୍ୟ ଦ୍ରୁତ ଗତିରେ ଗାଡି ଚଳାଇବା ଛାଡ଼ୁ ନାହାଁନ୍ତି। ଲୋକଙ୍କ ଟିକିଏ ଅସାବଧାନତା ଦ୍ଵାରା ଏପରି ଦୁର୍ଘଟଣା ମାନ ଘଟୁଛି ବୋଲି ବୁଦ୍ଧିଜୀବି ମାନଙ୍କ ମତ ପ୍ରକାଶ ପାଇଛି।