ପାର୍କିଂ ଜୋନ ପାଲଟିଛି ଓଭର ବ୍ରିଜ, ବଢୁଛି ଦୁର୍ଘଟଣା, ନିରବ ଦ୍ରଷ୍ଟା ସାଜିଛନ୍ତି ପରିବହନ ବିଭାଗ ଓ ପୋଲିସ ପ୍ରଶାସନ

0
230

ବ୍ରହ୍ମପୁର,୧୫/୦୫/୨୦୨୩:
ଜନସାଧାରଣଙ୍କ ଗମନା ଗମନ ସୁବିଧା ଓ ଦୁର୍ଘଟଣା ରୋକିବା ପାଇଁ ସରକାର ସଡ଼କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି ପରିବହନ ବିଭାଗର ଓ ପୋଲିସର ଟ୍ରାଫିକ ନିୟନ୍ତ୍ରଣ ଅବହେଳାରୁ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶ ଓ ଓଡିଶାକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ରାଜପଥ ହଳଦିଆ ପଦର ଓଭର ବ୍ରିଜ l ହଳଦିଆପଦର ଓଭର ବ୍ରିଜ ପାଲଟିଛି ଏକ ପ୍ରକାର ପାର୍କିଂ ଜୋନ । ହଳଦିଆପଦର ନୂଆ ବସଷ୍ଟାଣ୍ଡ ତଥା ଅସ୍ଥାୟୀ ତହସିଲ କାର୍ଯ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ଥିବା ଓଭର ବ୍ରିଜ ତଳେ ମଳମାଳ ଟ୍ରକ ଓ ବିଭିନ୍ନ ଯାନବାହାନ ବେଆଇନ ପାର୍କିଂ କରିବା ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି l ବେଆଇନ ପାର୍କିଂ ଯୋଗୁଁ ଧୂଳି ଧୂସର ଉଡି ପରିବେଶ ପ୍ରଦୂଷଣ ହେବା ସହ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପଥଚାରୀ l ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି l ଓଭର ବ୍ରିଜ ତଳ ଦେଇ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ,ପୋଲିସ, ପରିବହନ ବିଭାଗର ଅଧିକାରୀ ଯାତାୟାତ କରୁଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡିବା ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି l ଖୋଦ ହାଇୱେରେ ପେଟ୍ରୋଲଲିଙ୍ଗ କରୁଥିବା ପିସିଆର ଭେନ ଉକ୍ତ ସ୍ଥାନରେ ପର୍କିଙ୍ଗ କରିବା ଓ ଘଟଣାକୁ ଧ୍ୟାନ ନ ଦେବା ଚର୍ଚ୍ଚା ହେଉଛି l ପ୍ରତିଦିନ ଶତାଧିକ ଯାନବାହାନ ତହସିଲ କାର୍ଯ୍ୟାଳୟ, ଅଟୋ ନଗର, ମଦନମୋହନପୁର ଆଦିକୁ ଯିବା ଆସିବା କରୁଥିବା ବେଳେ ଏଭଳି ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଥିବା ବେଳେ ପରିବହନ ବିଭାଗ ପକ୍ଷରୁ ବେଆଇନ ପାର୍କିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି l ଅନ୍ୟପଟେ ନୂଆଁ ବସଷ୍ଟାଣ୍ଡ ରାସ୍ତାର ଦୁଇ ପାର୍ଶ୍ୱ ରାସ୍ତା କୁ କବ୍ଜା କରି ମାଳମାଳ ଟ୍ରକ ପର୍କିଙ୍ଗ କରୁଥିବା ବେଳେ ରାତି ହେଲେ ଅନ୍ଧାରର ସୁଯୋଗ ନେଇ ଟ୍ରକ ସାଇଡରେ ମଦ୍ୟପମାନଙ୍କ ଆଡ୍ଡା ଜମିବା ସହ ଦୌରାତ୍ମ୍ୟ ବୃଦ୍ଧି ପାଉଛି l ଏ ନେଇ ପରିବହନ ବିଭାଗର ଆର.ଟି.ଓ ମାନସ ରଞ୍ଜନ ସାହୁ ସହ ଯୋଗାଯୋଗ ବେଳେ ସେ ଫୋନ ରିସିଭ କରିନଥିଲେ l ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି ଯେ, ଖୁବ ଶୀଘ୍ର ଘଟଣାସ୍ଥଳକୁ ଯାଇ ଦେଖିବେ ଯଦି ବ୍ରିଜ ତଳେ ଓ ତହସିଲ କାର୍ଯ୍ୟାଳୟ ରାସ୍ତାରେ ବେଆଇନ ଭାବେ ପାର୍କିଂ କରିଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଭିଯୋଗ ପରେ ଯଦି ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଉକ୍ତ ସ୍ଥାନରୁ ପାର୍କିଂ ହଟା ନ ଯାଏ ଓ କିଛି ଦୁର୍ଘଟଣା ଘଟେ ତେବେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ହଳଦିଆପଦର ସମିତି ସଭ୍ୟ କେ. ପ୍ରବୀଣ କୁମାର ଚେତାବନୀ ଦେଇଛନ୍ତି । ଅନ୍ୟପଟେ ତୁରନ୍ତ ରାଜପଥରୁ ଯୁଦ୍ଧ କାଳୀନ ଭିତ୍ତିରେ ବେଆଇନ ପାର୍କିଂ ହଟେଇବାକୁ ସର୍ବସାଧାରଣରେ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here