ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଗୁହାରି ସତ୍ତ୍ଵେ ହରିଜନ ଲୋକ ଉପେକ୍ଷିତ- ସରକାରୀ ଅଧିକାରୀ ବେପରବାୟ

0
249

ବ୍ରହ୍ମପୁର,୧୮/୦୬/୨୦୨୩:
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ବିଭିନ୍ନ ଆଞ୍ଚଳରେ ବିକାଶର ଚିତ୍ର ଅତି ସୁନ୍ଦର ହୋଇଛି। ଗତ ଦୁଇ ଦଶନ୍ଧିରେ ହିଞ୍ଜିଳି ଏକ ବୃହତ ସହରର ରୂପ ନେଇପାରିଛି। ଆକର୍ଷଣୀୟ ଅଫିସ କୋଠା, ହସପିଟାଲ,ସରକାରୀ ଅନୁଷ୍ଠାନ ଗୁଡିକ ବେଶ ସଜେଇହୋଇଛି। ଏତେ ବିକାଶ କରାଯାଉଥିବା ହିଞ୍ଜିଳି ଅଞ୍ଚଳରେ ଦୀପ ତଳ ଅନ୍ଧାର ଭଳି ପରିସ୍ଥିତି ହରିଜନ ପରିବାର ଗୁଡିକ ଜୀବନ ଜୀବିକା ସମସ୍ୟାରେ ସନ୍ତୁଳିତ ହୋଇରହିଛନ୍ତି।
ଏହି ନିର୍ବାଚନ ମଣ୍ଡଳୀ ର ଭାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଶିଖରପୁର ଗ୍ରାମରେ ହରିଜନ ପରିବାର ଗୁଡିକର ଅବସ୍ଥା ଶୋଚନୀୟ ହୋଇଛି। ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଶିଖରପୁର ଗ୍ରାମରେ ଥିବା ଅନେକ ହରିଜନ ପରିବାରର ଘର ଏବଂ ଜୀବିକା ବୋଲି କିଛିନାହିଁ। ଶ୍ରମଜୀବୀ ଭାବେ ଯେଉଁଠି କାମ ପାଇଁ ସୁଯୋଗ ମିଳିଲା ସେଠାରେ ଖଟି ଗୁଜରାଣ କରୁଛନ୍ତି। ସେପରି ପରିବାର ଗୁଡିକ ମଧ୍ୟରୁ ପ୍ରାୟ ୧୨ଟି ପରିବାର ଗ୍ରାମ ନିକଟସ୍ଥ ଏକ ପାହାଡ଼ ନିକଟରେ ଆସି ବସତି କରିରହିଛନ୍ତି। ପାହାଡ଼ ନିକଟରେ ଏକ କ୍ରସର ସଂସ୍ଥା ଥିବାରୁ ସେଠାରେ ପଥର ଓ ଗୁଡି ବାଡେଇ ସେମାନେ ଜୀବିକା ଉପର୍ଜ୍ଜନ କରୁଛନ୍ତି। ଝାଟିମାଟି ଘର ଓ ପଲିଥିନ ଛାତ କରି ଜୀବନ ସଂଗ୍ରାମ କରୁଥିବା ଏହି ପରିବାର ଗୁଡିକ ପାଇଁ ସେଠାରେ ଗୋଟିଏ ସୋଲାର ଲାଇଟ ଓ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯାଇ ସେହି ବସତିକୁ ନୂଆ ଶିଖରପୁର ଭାବେ ଚିହ୍ନଟ କରାଯାଇଛି।ସେହି ପରିବାରଗୁଡିକୁ ଘରବାରି ଜମି ଓ ଘର ପଟ୍ଟା ଯୋଗାଇବାର ଅଵଶ୍ୟକତା ସେହି ଅଞ୍ଚଳର ସରକାରୀ ଅଧିକାରୀ, ରାଜନେତା ଜାଣିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇନାହାନ୍ତି। ବର୍ତ୍ତମାନ ସରକାରଙ୍କ ମୋ ଘର ଯୋଜନାର ଋଣ ସୁବିଧା ସେହି ପରିବାର ଗୁଡିକ ପାଇବାରୁ ବଞ୍ଚିତ ହୋଇଛନ୍ତି। ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଠାରୁ ଆରମ୍ଭ କରି ବି.ଡ଼ି.ଓ , ତହସିଲଦାରଙ୍କ ଠାରେ ଏହି ହରିଜନ ପରିବାର ଗୁଡିକ ବାରମ୍ବାର ଗୁହାରି କଲେ ମଧ୍ୟ କେହି ସମ୍ବେଦନଶୀଳ ଅବଭାବ ଟିକିଏ ମଧ୍ୟ ପ୍ରଦର୍ଶନ କରିନଥିବା ଅଭିଯୋଗ ହୋଇଛି। ଦଲାଲ ବହୁଳ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଅଫିସରେ ଅବସ୍ଥାପିତ ସରକାରୀ ଅଧିକାରୀମାନେ ନିଜ ଦାୟିତ୍ୱ, କର୍ତ୍ତବ୍ୟ ତୁଲାଇବା ପରିବର୍ତ୍ତେ ଲୋକଙ୍କ ଗୁହାରି ପ୍ରତି ଉଦାସୀନ ରହୁଥିବା ଅଭିଯୋଗ ହୋଇଛି।ନୂଆ ଶିଖରପୁର ଗ୍ରାମର ହରିଜନ ପରିବାର ସଦସ୍ୟମାନେ ପୂର୍ବତନ ମନ୍ତ୍ରୀ କର୍ମବୀର ସ୍ବର୍ଗତ ବୃନ୍ଦାବନ ନାୟକଙ୍କ ପୁତ୍ର ତଥା ହିଞ୍ଜିଳି ର ପୂର୍ବତନ ବିଧାୟକ ଶ୍ରୀ ଉଦୟ ନାୟକଙ୍କୁ ସେମାନଙ୍କ ଦୁର୍ଦ୍ଦଶା ଜଣାଇଥିଲେ। ଶ୍ରୀ ନାୟକ ଶୁକ୍ରବାର ଦିନ ସେହି ଗ୍ରାମରେ ପହଞ୍ଚି ଲୋକଙ୍କ ଦୁରାବସ୍ଥା ଓ ପାରିପାର୍ଶିକ ଉନ୍ନୟନ କାର୍ଯ୍ୟଗୁଡିକ ଅନୁଧ୍ୟାନ କରିଥିଲେ। ପ୍ରତ୍ୟେକ ସ୍ତରରୁ ନିରାଶ ଓ ହତାଶ ହୋଇଥିବା ହରିଜନ ପରିବାର ଗୁଡିକର ଅସୁବିଧା ଓ ଦାବି ଘେନି ସେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆଶ୍ୱାସନା ଦେଇଥିଲେ।ନୂଆଶିଖରପୁର ବସତିର ଶ୍ରୀମତୀ ଉମା ଦାସ, ଭାରତୀ ଦାସ, ରାଜୁ ଦାସ, ବାବୁଲା ଦାସ,ନରେନ୍ଦ୍ର ଦାସ,ବିଚିତ୍ର ଦାସ,ସନ୍ତୋଷ ଦାସ ପ୍ରମୁଖ ବସତି ବାସିନ୍ଦା ଶ୍ରୀ ନାୟକଙ୍କ ସହ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here