ଆସିକା ଖାଲସା ତାଲୁକା ପନ୍ଦରା ସମାଜର ବାର୍ଷିକ ଉତ୍ସବ

0
358

ବ୍ରହ୍ମପୁର , ୧୯/୦୬/୨୦୨୩: ନିଖିଳ ଓଡ଼ିଶା ପନ୍ଦରା ସମାଜ ଅନ୍ତର୍ଗତ ଆସିକା ଖାଲସା ତାଳୁକା ପନ୍ଦରା ସମାଜର ବାର୍ଷିକ ଉତ୍ସବ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଢୁଙ୍କୁଣୀ ପଞ୍ଚାୟତର ଘଟକୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ତାଳୁକା ସଭାପତି ଶ୍ରୀ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅଶୋକ କୁମାର ବାଡତ୍ୟା ଯୋଗଦେଇଥିଲେ । ସ୍ଥାନୀୟ ସମିତି ସଭ୍ୟା ସୌଦାମିନୀ ନାୟକଙ୍କ ସହ ନାଏବ ସରପଞ୍ଚ ଦିଲୀପ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜର ସଫଳ କାମନା କରିଥିଲେ । ତାଳୁକା ଅନ୍ତର୍ଗତ ପନ୍ଦରା ସମାଜର ଢୁଙ୍କୁଣି , ବାବନପୁର ହରିଡ଼ାପଦର ଆଦି ପଞ୍ଚାୟତର ସଂଗଠନ କର୍ମକର୍ତ୍ତା ପ୍ରମୁଖ ବାର୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ । ମଞ୍ଚାସୀନ ମୁଖ୍ୟ ଅତିଥି ତଥା ଜିଲ୍ଲା ସଭାପତି ଶ୍ରୀ ଅଶୋକ କୁମାର ବାଡତ୍ୟା ନିଜ କୌଳିକ ଉଦବୋଧନରେ ସମସ୍ତ କୁଳ ସଦସ୍ୟଙ୍କୁ ଜାତିପ୍ରେମର ଉଦବୁଦ୍ଧ ରହିବାକୁ ଅନୁପ୍ରାଣିତ କରିଥିବା ବେଳେ ନିଜ କୌଳିକ ଅଭିବ୍ୟକ୍ତିର ବିକାଶ ନିମନ୍ତେ ବାଲ୍ୟ ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ବାରଣ କରିବା ,ନାରୀ ଶିକ୍ଷା ସହ ମହିଳା ସଶକ୍ତିକରଣ ଦିଗରେ ପନ୍ଦରା ସମାଜକୁ ନିର୍ଦ୍ଧିଷ୍ଟ ପଦକ୍ଷେପ ସହ ଆଗକୁ ଯିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହା ସହ ସମାଜରେ ଥିବା ଶିକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଉପସ୍ଥାପନାରେ ସେମାନଙ୍କୁ ଉନ୍ନତ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଇ ଦକ୍ଷତା ବୃଦ୍ଧି ଜନିତ କାର୍ଯ୍ୟକ୍ରମ ହାତକୁ ନେବାକୁ ସଂଗଠନ କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ଵାରା ସମାଜ ଅନ୍ତର୍ଗତରେ ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଶିକ୍ଷାର୍ଥୀଙ୍କୁ ପନ୍ଦରା ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରାଯାଇଥିଲା । ପରିଶେଷରେ କୁନିକୁନି କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ସମାଜ ସଂଗଠକ ଅଭିମନ୍ୟୁ ବାଡ଼ତ୍ୟା, ନିତ୍ୟାନନ୍ଦ ବାଡ଼ତ୍ୟା ପ୍ରମୁଖ ସମାଜର ମାଙ୍ଗଳିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିବା ବେଳେ ମଦନ ମୋହନ ବାଡ଼ତ୍ୟା ମଞ୍ଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here