ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ

0
208

ବ୍ରହ୍ମପୁର, ୨୧/୧୦/୨୦୨୩:
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଉତ୍ସବ ତଥା ବିଜୟା ଦଶମୀ ଉତ୍ସବ ଶନିବାର ପୂର୍ବାହ୍ନରେ ବ୍ରହ୍ମପୁର ମହାନଗରର ୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସ୍ଥାନରେ ଶହ ଶହ ଗଣବେଶଧାରୀ (ୟୁନିଫର୍ମ ପିନ୍ଧିଥିବା) ସ୍ବୟଂସେବକମାନେ ପଥ ସଞ୍ଚଳନ (ରୁଟ୍ ମାର୍ଚ୍ଚ)ରେ ନିଜ ନିଜ ଅଞ୍ଚଳ ପରିକ୍ରମା କରିଥିଲେ। ଘୋଷବାଦ୍ୟ (ବ୍ୟାଣ୍ଡ୍)ର ତାଳେ ତାଳେ ପବିତ୍ର ଗୈରିକ ଧ୍ଵଜ (ସଂଘ ପତାକା) ଧରି ସ୍ବୟଂସେବକମାନେ ସାହି ଗଳି ଓ ମୁଖ୍ୟ ରାସ୍ତା‌ ପରିକ୍ରମା କରିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ସେମାନଙ୍କୁ ଫୁଲ, ଦୀପ ଓ ହୁଳହୁଳି ତଥା ଶଙ୍ଖ ଧ୍ବନିରେ ସ୍ବାଗତ କରାଯାଇଥିଲା। ପରେ ସାଧାରଣ ସଭାରେ ଅତିଥି ଓ ବକ୍ତାମାନେ ସଂଘର ପ୍ରତିଷ୍ଠା, ଭାରତବର୍ଷକୁ ବୈଭବଶାଳୀ କରିବାର ପ୍ରୟାସ ଓ ଦେଶ ପ୍ରତି ସ୍ବୟଂସେବକମାନଙ୍କ ନିଷ୍ଠା ତଥା ସେବା ମନୋଭାବ ସମ୍ପର୍କରେ ଉଦବୋଧନ ଦେଇଥିଲେ। ବହୁ ବୁଦ୍ଧିଜୀବୀ, ସଂଘ ଶୁଭେଚ୍ଛୁ ଓ ସାଧାରଣ ନାଗରିକ ମଧ୍ୟ ଏଥିରେ ସାମିଲ ହୋଇଥିଲେ।ଜଗନ୍ନାଥ ଉପନଗରରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨୦୦ରୁ ଅଧିକ ସ୍ବୟଂସେବକଙ୍କ ପଥ ସଞ୍ଚଳନ ବାହାରି ଗୋସାଇଁନୂଆଗାଁ ଓ ବିଜିପୁର ଅଞ୍ଚଳ ପରିକ୍ରମା କରିବା ପରେ ବିଦ୍ୟାମନ୍ଦିର ଠାରେ ବୌଦ୍ଧିକ ସଭା ହୋଇଥିଲା। ଅସ୍ତ୍ରପୂଜନ ପରେ ମୁଖ୍ୟ ବକ୍ତା ଆରଏସଏସ ଗ୍ରାମ ବିକାଶ ବିଭାଗ କ୍ଷେତ୍ରୀୟ ବରିଷ୍ଠ ପ୍ରଚାରକ ଶ୍ରୀ ଅଶୋକ ପାଢ଼ୀ ବୌଦ୍ଧିକ ମାଧ୍ୟମରେ ବିଜୟା ଦଶମୀ ଉତ୍ସବର ମହତ୍ତ୍ୱ ସମ୍ପର୍କରେ କହିବା ସହ ଅନୁଶାସନ ଓ ଶୃଙ୍ଖଳା ଯୋଗୁଁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କିପରି ଆଜି ବିଶ୍ୱର ସର୍ବବୃହତ ସାମାଜିକ ତଥା ସେବା ସଂଗଠନ ହୋଇପାରିଛି ତାହା ବୁଝାଇଥିଲେ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ପଣ୍ଡା ସ୍ବୟଂସେବକଙ୍କ ପାଇଁ ରାଷ୍ଟ୍ର ହିଁ ସର୍ବୋପରି ବୋଲି ମତ ରଖିଥିଲେ। ସଭାରେ ଅଧ୍ୟକ୍ଷତା କରିଥିଲେ ସେବା ଭାରତୀ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଭଗବାନ ଚୌଧୁରୀ।ପ୍ରହଲ୍ଲାଦ ପାଣିଗ୍ରାହୀ, ପ୍ରଫୁଲ୍ଲ ପାତ୍ର, ନାରାୟଣ ପଣ୍ଡା, ପିଣ୍ଟୁ ସାହୁ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here