ନିର୍ବାଚନରେ କାର୍ଯ୍ୟରତ, ଦୁର୍ଘଟଣାରେ ଅକର୍ମଣ୍ୟ ହୋଇଥିବା କର୍ମଚାରୀଙ୍କୁ କ୍ଷତିପୂରଣ ପ୍ରଦାନ ।

0
154

ଛତ୍ରପୁର,୧୦/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଗତ ସାଧାରଣ ନିର୍ବାଚନ ସମୟରେ ଛତ୍ରପୁର ସ୍ଥିତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ରେ କର୍ତ୍ତବ୍ୟରତ କର୍ମଚାରୀଙ୍କର ଦୁର୍ଘଟଣା ଜନିତ ଅକର୍ମଣ୍ୟତା ପାଇଁ କ୍ଷତିପୂରଣ ପ୍ରଦାନ କରାଯାଇଛି । ତତ୍କାଳୀନ ଗଂଜାମ ବ୍ଲକ୍ ର ଅତିରିକ୍ତ ବି.ଡି.ଓ. ସାହେବ ପାଣିଗ୍ରାହୀଙ୍କୁ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ୭ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି । ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରୁ ପ୍ରଦତ୍ତ ଏହି ଅର୍ଥକୁ ବ୍ୟାଙ୍କ ଡ୍ରାଫ୍ଟ କରି ଉକ୍ତ ବ୍ୟକ୍ତିଙ୍କୁ ଦିଆଯାଇଛି ।
ସାଧାରଣ ନିର୍ବାଚନ ସମୟରେ କୌଣସି କାର୍ଯ୍ୟରତ କର୍ମଚାରୀଙ୍କର କିଛି କ୍ଷତି ହେଲେ ତାଙ୍କୁ କ୍ଷତିପୂରଣ ଦେବାର ନିୟମ ରହିଛି । ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ବାରା ମୃତ୍ୟୁବରଣ କଲେ ୩୦ଲକ୍ଷ ଟଙ୍କା ଏବଂ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହେଲେ ୧୫ ଲକ୍ଷଟଙ୍କା ପ୍ରଦାନ କରାଯିବ । ଅନ୍ୟ କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୧୫ ଲକ୍ଷ ଟଙ୍କା ଓ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହେଲେ ୭ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଅତିରିକ୍ତ ବିଡିଓ ଶ୍ରୀ ପାଣିଗ୍ରାହୀ ଛତ୍ରପୁର ଠାରୁ ନିର୍ବାଚନ କାର୍ଯ୍ୟସାରି ଗଞ୍ଜାମ ଯିବା ସମୟରେ ରାସ୍ତାରେ ତାଙ୍କୁ ଟ୍ରକ୍ ଧକା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଏମ୍.କେ.ସି.ଜି. ମେଡିକାଲ କଲେଜ ଏବଂ ଶେଷରେ ବିଶାଖାପାଟଣା ସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏହି ଦୁର୍ଘଟଣାରେ ସେ ବାମ ଗୋଡଟିକୁ ହରାଇଛନ୍ତି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ କ୍ଷତିପୂରଣ ପ୍ରଦାନ କରିବାପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିଶ୍ କରିଥିଲେ । ଜିଲ୍ଲାପାଳଙ୍କ ସୁପାରିଶ୍ କୁ ଭିତ୍ତିକରି ରାଜ୍ୟ ନିର୍ବାଚନ ଅଧିକାରୀ ଉକ୍ତ ଅର୍ଥ ମଞ୍ଜୁର କରିଥିଲେ ।
ଡ୍ରାଫ୍ଟ ପ୍ରଦାନ ସମୟରେ ନିର୍ବାଚନ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ବିଜୟାନନ୍ଦ ସେଠୀ, ଉପ ବିଭାଗ ଅଧିକାରୀ ସୁରେନ୍ଦ୍ର ନାଥ ପଣ୍ଡା ଏବଂ ରାଜସ୍ବ ସହାୟକ କେ. ସୁରେଶ କୁମାର ରେଡ୍ଡୀ, ଶିବାନନ୍ଦ ତ୍ରିପାଠୀ, ବଚନ କୁମାର ମହାପାତ୍ର ପ୍ରଭୃତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here