ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ କିଛିଟା ନିୟମ କୋହଳ କରିଲେ ରାଜ୍ୟ ସରକାର।

0
156

 

ଭୂବନେଶ୍ଵର,୧୩/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ଲକ୍ ଡାଉନ ବେଳେ କୃଷି କାର୍ଯ୍ୟ ଚାଲୁରହିବ ସମସ୍ତ ଶୀତଳ ଭଣ୍ଡାର ଓ ଗୋଦାମ ଘର ଖୋଲାରହିବ ମାଛଚାଷ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଚାଲୁରହିବ
ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଓ ପାଇଖାନା ନିର୍ମାଣ ଚାଲୁରହିବ
ସମସ୍ତ ପ୍ରକାର ହୋମ୍ ଡେଲିଭରି ବ୍ୟବସ୍ଥା ଲକଡାଉନ୍ ନିୟମରୁ ବାଦପଡ଼ିଲା କୃଷିକାର୍ଯ୍ୟ ପାଇଁ ଲକଡାଉନ ନିୟମ କୋହଳ କଲେ ରାଜ୍ୟ ସରକାର। ଆଗକୁ ରବି ଫସଲ ଅମଳ କରୁଥିବାର ବେଳ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଏପ୍ରିଲ୍ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଜାରି ହେବ। ତେବେ କୃଷିକାର୍ଯ୍ୟକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ନିୟମ କୁ କିଛିଟା ପରିବର୍ତ୍ତନ ଅଣାଯାଇଛି।
ଲକ୍ ଡାଉନ୍ ସମୟରେ କୃଷିକାର୍ଯ୍ୟ ଯେପରିକି ଧାନ ଅମଳ କରିବା, ତଳି ରୋଇବା, ବୁଣିବା ଆଦି କାମକୁ ଲକଡାଉନ୍ ନିୟମରୁ ବାଦ୍ ଦିଆଯାଇଛି। ଚାଷୀମାନେ ବିନା କୌଣସି ଅସୁବିଧାରେ ଏଣିକି ରବି ଧାନ ଅମଳ କରିପାରିବେ। ସେହିପରି କୃଷି କାର୍ଯ୍ୟରେ ଜଡ଼ିତ ଥିବା ପ୍ରତ୍ୟେକ ଅନୁଷ୍ଠାନ ଏହି ସମୟରେ ଖୋଲାରହିବ ବୋଲି ସେ କହିଛନ୍ତି।ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ କୃଷି କାର୍ଯ୍ୟ ସମ୍ବନ୍ଧୀୟ ଗମନାଗମନ, ସାର ବିକ୍ରୟ, ବିହନ ବିକ୍ରୟ, ଟ୍ରକ ଓ ଟ୍ରାକ୍ଟର ଆଦି ସୁରୁଖୁରୁରେ ଚଳାଚଳ କରିପାରିବ। ଏଥିସହିତ ଡାଲିଜାତୀୟ ସମସ୍ତ ଦୋକାନ ଓ ଗମନାଗମନ ମଧ୍ୟ ଚାଲୁ ରହିବ। ଏହିସବୁ କାମ ପାଇଁ ଲକଡାଉନ୍ ନିୟମ ପାଳନ କରାଯିବ ନାହିଁ । କୃଷି ଋଣ ପାଇଁ ଆବଶ୍ୟକୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଖୋଲାରହିବ ସେଠାରୁ କୃଷକ ଭାଇମାନେ କୃଷିଋଣ ପାଇପାରିବେ ବୋଲି ସେ କହିଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ଉଦ୍ୟାନ, ଫଳ ଓ ପନିପରିବା ସମ୍ବନ୍ଧୀୟ ସମସ୍ତ ଅନୁଷ୍ଠାନ ମଧ୍ୟ ଖୋଲାରହିବ। ଏହାସହ ଜଡ଼ିତ ଯନ୍ତ୍ରପାତି ଦୋକାନ, ଯନ୍ତ୍ରପାତି ମରାମତି ଦୋକାନ ଓ ଏସବୁର ବିକ୍ରୟ କେନ୍ଦ୍ରଗୁଡ଼ିକ ଖୋଲା ରହିବ। ସେହିଭଳି ଲକଡାଉନ୍ ସମୟରେ ରାଜ୍ୟର ସମସ୍ତ ଶୀତଳ ଭଣ୍ଡାର ଓ ଗୋଦାମ ଘର ମଧ୍ୟ ଖୋଲାରହିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କୃଷି କାର୍ଯ୍ୟ ସହିତ ଲକଡାଉନ୍ ସମୟରେ ମତ୍ସ୍ୟ ଚାଷକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଲକଡାଉନ୍ ସମୟରେ ସମସ୍ତ ପ୍ରକାର ମତ୍ସ୍ୟଚାଷ ଜନିତ କାର୍ଯ୍ୟ ଚାଲୁରହିବ। ମାଛଧରା ବନ୍ଦର, ମାଛର ନିଲାମ, ମାଛ ଜାଲ ବିକ୍ରୟ ଓ ମରାମତି କେନ୍ଦ୍ର ଆଦି ଖୋଲାରହିବ। ସେହିପରି ପଶୁପାଳନ କାର୍ଯ୍ୟ ମଧ୍ୟ ଚାଲୁରହିବ। ବାହାରେ ବୁଲୁଥିବା ଗାଇଗୋରୁ ମାନଙ୍କୁ ଖାଇବା ଯୋଗାଇ ଦିଆଯିବ।ଏଥିସହିତ ଲକଡାଉନ୍ ସମୟରେ ଗାଁ ମାନଙ୍କରେ ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଓ ସ୍ୱଚ୍ଛ ଭାରତ ଅଧିନରେ ପାଇଖାନା ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁରହିବ। ଏହି ସମସ୍ତ କାମ ପାଇଁ ଲକଡାଉନ୍ ନିୟମକୁ କୋହଳ କରାଯାଇଛି। ଏହାବାଦ୍ ବୋରୱେଲ୍ ନିର୍ମାଣ, ଟ୍ୟୁବୱେଲ ନିର୍ମାଣ କାର୍ଯ୍ୟ ମଧ୍ୟ ଯଥାସମ୍ଭବ ସୁରୁଖୁରୁରେ ଚାଲୁରହିବ। ଲକଡାଉନ୍ ସମୟରେ ଜଙ୍ଗଲମାନଙ୍କରେ ବନୀକରଣ କାର୍ଯ୍ୟ ଚାଲୁରହିବା ସହିତ ଜଙ୍ଗଲ ସଫେଇ କାର୍ଯ୍ୟ ମଧ୍ୟ ଆଗକୁ ବଢ଼ିପାରିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here