ବୁଗୁଡା, ୧୪/୦୪/୨୦୨୦: ଛାତ୍ରଛାତ୍ରୀ ମାନେ ପାଠ ବହିରେ ପଢିଥିଲେ,” ଚାଷ ଅଛି ଯାହାର କି ଆନନ୍ଦ ତାହାର “। ହଲେ ଆଜିର ଯୁଗରେ ତାହା ଆଉ ଆନନ୍ଦ ଦେବା ବଦଳରେ ଦେଉଛି ଦୁଃଖ ପରେ ଦୁଃଖ ।ଚାଷ ଅଛି ଯାହାର, ସେହି ଚାଷୀ ଆଜି କରୋନା ଛାଟ ମାଡରେ ଛଟପଟ ହୋଇ ପହଞ୍ଚୀଛି ଦୁଃଖର ଚରମସୀମାରେ। ଚାଷୀ ବାପୁଡା ମୁଣ୍ଡର ଝାଳ ତୁଣ୍ଡରେ ମାରି ଋଣ କରି ଖତ, ସାର କିଣି ଦିନରାତ୍ର ଲାଗିପଡି କ୍ଷେତରେ ପାଣି ମଡ଼ାଇ ଯେଉଁ ପନିପରିବା ଚାଷ କରି, ଦେଖିଥିଲା ସୁନେଲି ସ୍ୱପ୍ନ ତାହା ଚୁରାମାର କରିଦେଲା କରୋନା ମହାମାରୀ ପାଇଁ କାର୍ଯ୍ୟକାରୀ ହୋଇଥିବା ଲକ ଡାଉନ। ନାଅଛି ସାପ୍ତାହିକ ହାଟ, ନାଅଛି ବେପାରୀଙ୍କ ଭେଟ। ସହର ବଜାରକୁ ଗାଡି ଯିବାକୁ ନାରାଜ। ପାଖ ଗାଁ ଗଣ୍ଡାରେ ବା ସାଇକେଲରେ ନେଇ ନିକଟ ସହରୀ ବେପାରୀଙ୍କୁ ବିକ୍ରି କରୁଛନ୍ତି ଅତି କମ ମୂଲ୍ୟରେ ନିଜର ପନିପରିବା। ନିଜର ପରିଶ୍ରମ କଥା ଛାଡ,କ୍ଷେତରେ ଖତ, ସାର, ଜଳ ସେଚନ ପାଇଁ ଯାହା ଖର୍ଚ୍ଚ ହୋଇଛି ତାହାମଧ୍ୟ ମିଳିବ ନାହିଁ ପନିପରିବାର ଏହି ଅଭାବି ବିକ୍ରି ଯୋଗୁଁ।
ଯେଉଁ ଚାଷୀ ଦୁନିଆକୁ ଯୋଗାଉଛି ଖାଦ୍ୟ, ତାକୁ ଖାଦ୍ୟ ସାମଗ୍ରୀ ଦେବାକୁ ସରକାର କିପରି ଦେବେ ରାଶନ କାର୍ଡ଼ ? ଚାଷୀ ପାଖରେ ନା ଅଛି ରାସନ କାର୍ଡ଼, ନା ଅଭାବି ବିକ୍ରିପାଇଁ ମିଳିବ ସରକାରୀ ସାହାଯ୍ୟ,ଯେହେତୁ ଚାଷୀର ପନିପରିବା ଚାଷ ହୋଇଛି ଅତି ଉତ୍ତମ। ଖରିଫ ଫସଲ ବିକ୍ରି କରି ନତୁବା ଋଣବାଡ଼ି କରି ଯେଉଁ ରବି ଫସଲ କରି ଦିପଇସା ରୋଜଗାର କରିବା ଆଶା ରଖିଥିଲା, ତାହା ଧୂଳିସାତ୍ ହେବା ପରେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ପନିପରିବା ଚାଷୀ।
ରିପୋର୍ଟ : ଅନିଲ କୁମାର ମହାରଣା