କରୋନା କମାଇଲା ବିଜୁଳି ବ୍ୟବହାର ଲକଡ଼ାଉନ ସମୟରେ ହ୍ରାସ ପାଇଛି ବାୟୁ ପ୍ରଦୂଷଣ ଓ ପାର୍ଟିକୁଲେଟ ମ୍ୟାଟର

0
318

 

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୨/୦୪/୨୦୨୦(ବ୍ୟୁରୋ ରିପୋର୍ଟ)କରୋନା ମହାମାରୀ ପାଇଁ ବିଶ୍ୱର ଅନେକ ଦେଶ ଲକଡ଼ାଉନ ଓ ସଟଡ଼ାଉନ ଭଳି କଠିନ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଲାଗି ସବୁବେଳେ ଗହଳି ଲାଗୁଥିବା ମଲ, ଦୋକାନ, ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ଗୁଡିକ ବନ୍ଦ ରହିଛି। କେବଳ ସେତିକି ନୁହେଁ, ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଗୁଡିକରେ ମଧ୍ୟ ତାଲା ବନ୍ଦ ଜାରି ରହିଛି। ଏପରି ସମୟରେ କୌଣସି ଦେଶର ଅର୍ଥନୀତି ଓ ପରିବେଶ ସମ୍ପର୍କରେ ସଠିକ ସୂଚନା ପାଇବା ଏକ କଷ୍ଟସାଧ୍ୟ କାର୍ଯ୍ୟ। ପାରମ୍ପରିକ ଭାବେ ଗୋଟିଏ ଦେଶ କେତେ ପରିମାଣର ବିଜୁଳି ବ୍ୟବହାର କରୁଛି ତାହା ଉକ୍ତ ଦେଶର ଅର୍ଥନୈତିକ କାର୍ଯ୍ୟକଳାପର ଏକ ବଳିଷ୍ଠ ସୁଚକାଙ୍କ ଭାବେ ଗ୍ରହଣ କରା ଯାଇଥାଏ। କରୋନା ପରିପ୍ରେକ୍ଷୀରେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟ ଏଭଳି ଏକ ୱେବସାଇଟ ଟ୍ରାକର ତିଆରି କରିଛି ଯେଉଁଥିରେ ଆମେରିକା, ଭାରତ, ଚୀନ ଓ ଅନ୍ୟ କେତେକ ଦେଶରେ ବର୍ତ୍ତମାନ ହେଉଥିବା ବିଜୁଳି ବ୍ୟବହାର ଓ ପାର୍ଟିକୁଲେଟ ମ୍ୟାଟର(କଣିକା ତତ୍ତ୍ୱ)ଜନିତ ବାୟୁ ପ୍ରଦୂଷଣ ସମ୍ପର୍କିତ ତଥ୍ୟ ଉପଲବ୍ଧ ଅଛି। ଏହି ୱେବସାଇଟ ଟ୍ରାକର ଅନୁସାରେ ଜାନୁୟାରୀ ପରଠାରୁ ଭାରତରେ ଯେତେ ଯେତେ କରୋନାର ମାତ୍ରା ବଢିଛି, ବିଜୁଳି ବ୍ୟବହାର ଓ ପାର୍ଟିକୁଲେଟ ମ୍ୟାଟର(କଣିକା ତତ୍ତ୍ୱ)ଜନିତ ବାୟୁ ପ୍ରଦୂଷଣ ସେତେ ସେତେ ହ୍ରାସ ପାଇଛି। ଏହା ମୁଖ୍ୟତଃ ଲକଡ଼ାଉନ ଓ ସଟଡ଼ାଉନ ଭଳି ପଦକ୍ଷେପ ଦ୍ୱାରା ସମ୍ଭବ ହୋଇ ପାରିଛି।

ଡିସେମ୍ବର ୨୦୧୯ରୁ ୩ ଏପ୍ରିଲ ୨୦୨୦ ସମୟ ସୀମା ମଧ୍ୟରେ ଭାରତରେ ବିଦ୍ୟୁତ ଶକ୍ତିର ଚାହିଦା ୧୮.୭୨ପ୍ରତିଶତ ହ୍ରାସ ପାଇଥିବା ବେଳେ ସହରାଞ୍ଚଳରେ କଣିକାତତ୍ତ୍ୱ ଜନିତ ବାୟୁ ପ୍ରଦୂଷଣ୭ ପ୍ରତିଶତ ହ୍ରାସ ପାଇଛି। ଭାରତ, ଚୀନ, ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ପାଇଁ ଏହି ସୂଚନା ଚିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ୱେବସାଇଟ https://epic.uchicago.edu/area-of-focus/covid-19/ରେ ଉପଲବ୍ଧ ଅଛି।

ଏହି ସୂଚନା ପାଇବା ପାଇଁ ଉଭୟ ବିଜୁଳି ବ୍ୟବହାର ଓ ପାର୍ଟିକୁଲେଟ ମ୍ୟାଟର ଜନିତ ତଥ୍ୟ ବ୍ୟବହାର କରାଯାଇଛି। ବିଜୁଳି ବ୍ୟବହାର ସମ୍ପର୍କିତ ନିଷ୍କର୍ଷରେ ପହଂଚିବା ପାଇଁ ଭାରତୀୟ ପାୱାର ସିଷ୍ଟମ ଅପରେସନ କର୍ପୋରେସନ ଲିମିଟେଡ଼(ପୋସ୍କୋ)ର ତଥ୍ୟକୁ ଆଧାର ଭାବେ ନିଆଯାଇଛି। ଏହି ତଥ୍ୟ https://posoco.in/reports/daily-reports/ରେ ଉପଲବ୍ଧ ଅଛି। ଉଭୟ ତଥ୍ୟକୁ ସରଳ ଭାବେ ଅନୁଶୀଳନ କରି ଚିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ୱେବସାଇଟରେ ପ୍ରଦର୍ଶିତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଓ ଓଡିଶା ରାଜ୍ୟ ସରକାର ଲକ ଡାଉନକୁ ମେ ମାସ ତିନି ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ବା ଏପିକ ଇଣ୍ଡିଆ ଭାରତର ବିଭିନ୍ନ ରାଜ୍ୟ ସରକାରଙ୍କ ସହ ସହଯୋଗିତା ଭିତ୍ତିରେ ଉଭୟ ଶକ୍ତି ଓ ପାର୍ଟିକୁଲେଟ ମ୍ୟାଟର ସମ୍ବନ୍ଧିତ ବାୟୁ ପ୍ରଦୂଷଣ ସମ୍ପର୍କିତ ଗବେଷଣାମୂଳକ କାର୍ଯ୍ୟ କରୁଛି। ଓଡିଶା ସରକାରଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନମାନଙ୍କର ପରିବେଶ ପାରଦର୍ଶିତା ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗ କାର୍ଯ୍ୟକ୍ରମରେ ମଧ୍ୟ ଏହା ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରୁଛି।

LEAVE A REPLY

Please enter your comment!
Please enter your name here