ନୂଆଦିଲ୍ଲୀ,୨୯/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ଲଦାଖ ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ମହଙ୍ଗା ପଡ଼ିଛି। ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଆଜି ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଛନ୍ତି। ଏହାବାଦ ଶେୟାର ଇଟ୍, ଲଇକି, ଭାଇରସ କ୍ଲିନର, ଜେଣ୍ଡର ଓ ବିୟୁଟି ପ୍ଲସ ଭଳି ଆପ୍ ମଧ୍ୟ ବ୍ୟାନ୍ ହୋଇଛି।ଏହି ଆପ୍ ଜରିଆରେ ଚାଇନିଜ କମ୍ପାନୀଗୁଡ଼ିକ ଭାରତୀୟଙ୍କ ତଥ୍ୟ ଚୋରି କରୁଥିବାରୁ ଭାରତ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ଟିକଟକରେ ଚାଇନିଜ ଆପ୍ ହୋଇଥିଲେ ହେଁ ଭାରତରେ ସର୍ବାଧିକ ଲୋକ ଏହାକୁ ଡାଉନଲୋଡ କରିଥିଲେ। ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା।ଆପଗୁଡ଼ିକ ଜରିଆରେ ଚାଇନା କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା। ବିଶେଷ କରି ଯୁବଗୋଷ୍ଠୀ ଟିକଟକ ପ୍ରେମରେ ପଡ଼ିଥିଲେ। ଛୋଟ ପିଲାଠାରୁ ବୁଡ଼ା ପର୍ଯ୍ୟନ୍ତ ଟିକଟକ ବ୍ୟବହାର କରୁଥିଲେ।୨୦୨୦ର ପ୍ରଥମ କ୍ୱାର୍ଟରରେ ଚାଇନାର ଟିକଟକ ବ୍ୟବହାରକାରୀଙ୍କ ସଂଖ୍ୟା ୧.୫ ବିଲିୟନ ଅତିକ୍ରମ କରିଥିଲା। ଏହା ମଧ୍ୟରୁ ୬୧୧ ମିଲିୟନ ଟିକଟକ ବ୍ୟବହାରକାରୀ ଭାରତରେ ରହିଥିଲେ। କରୋନା ଭାଇରସ ବିଶ୍ୱରେ ବ୍ୟାପିବା ପରେ ଟିକଟକର ଚାହିଦା ଅଧିକ ବଢ଼ିଥିଲା। ଏବେ କିନ୍ତୁ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି।