ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ୧୫ରୁ ଅଧିକ ଆହତ ଜଣେ ଗୁରୁତର ।

0
130

 

ଗଞ୍ଜାମ, ୧୬/୦୮/୨୦୨୦(ଟୁକୁନା ପ୍ରଧାନ) ଘାଇରୁ ଜମିକୁ ପାଣି ନେବାକୁ ନେଇ ଗୋଷ୍ଠୀ ସଂଘର୍ଷ । ଗଞ୍ଜମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧୀନରେ ଯାଉଥିବା ଯାଉପାଣିଆ ଘାଇ ଉପରେ ଚିଲିଖମା ଏବଂ ଗୋଳାବନ୍ଧ ଗ୍ରାମବାସୀ ନିର୍ଭର କରନ୍ତି । ଚିଲିଖମାକୁ ଘାଇରୁ ପାଣି ନେବା ପାଇଁ କେନାଲ ବ୍ୟବସ୍ଥା ଥିବା ବେଳେ ଦୀର୍ଘ ଦିନର ଦାବି ସତ୍ତ୍ୱେ ଗୋଳାବନ୍ଧକୁ କେନାଲ ସୁବିଧା କରାଯାଉ ନାହିଁ । ସେମାନେ ନିଜସ୍ଵ ଉଦ୍ୟମରେ ପାଇପ ପକାଇ ଜମିକୁ ଜଳ ଯୋଗାଣ କରୁଥିଲେ । କିନ୍ତୁ ଏହାକୁ ଚିଲିଖମା ଗ୍ରାମବାସୀ ବିରୋଧ କରିବା ସହ ଜଳ ଯୋଗାଣ ପାଇଁ ପଡିଥିବା ପାଇପକୁ ଜାମ କରିଦେଇଥିଲେ । ଯାହା ଫଳରେ ଗୋଳାବନ୍ଧ ଗ୍ରାମକୁ ଜଳ ସେଚନ ବନ୍ଦ ହୋଇପଡିଥିଲା । ଏହାକୁ ନେଇ ଗତ ମଙ୍ଗଳବାର ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା । ପରେ ପୋଲିସ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆଜି ଅପୋଷ ଆଲୋଚନା କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ କୌଣସି କାରଣ ବଶତଃ ଗତକାଲି ରାତି ୯ ଟା ସମୟରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଏହା ଉଗ୍ର ସଂଘର୍ଷର ରୂପ ନେଇଥିଲା । ଠେଙ୍ଗା ଓ ଢେଲା ପଥର ଧରି ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ପକ୍ଷର ୧୫ରୁ ଅଧିକ ବ୍ୟକ୍ତି ଆହତ ହେବା ସହ । ଗୋଳାବନ୍ଧ ଗ୍ରାମର ନାରାୟଣ ସ୍ୱାଇଁ ନାମକ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବାମ ହାତ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ପୋଲିସ ପହଁଚି ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।

LEAVE A REPLY

Please enter your comment!
Please enter your name here