ସେପ୍ଟେମ୍ବର ୧ରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ସ୍କୁଲକୁ ଆସିବେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟ ଉପରେ ଛାଡି ପାରନ୍ତି ଚୂଡାନ୍ତ ନିଷ୍ପତ୍ତି । ସେପ୍ଟେମ୍ବର ଗାଇଡଲାଇନ ପରେ ନିଆଯିବ ନିଷ୍ପତ୍ତି: ମନ୍ତୀ ସମୀର ଦାଶ

0
142

 

ଭୂବନେଶ୍ୱର,୧୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ସେପ୍ଟେମ୍ବର ୧ରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ସ୍କୁଲକୁ ଆସିବେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟ ଉପରେ ଛାଡି ପାରନ୍ତି ଚୂଡାନ୍ତ ନିଷ୍ପତ୍ତି । ମନ୍ତ୍ରୀ ସମୀର ଦାଶ କହିଲେ, ସେପ୍ଟେମ୍ବର ଗାଇଡଲାଇନ ପରେ ନିଆଯିବ ନିଷ୍ପତ୍ତି। କରୋନା ମହାମାରୀ କାରଣରୁ ବନ୍ଦ ହୋଇଯାଇଥିବା ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୧୪ ମଧ୍ୟରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା ଚାଲିଛି । ତେବେ କିଭଳି ସ୍କୁଲ ଖୋଲିବ ଏବଂ କରୋନାର ସଂକ୍ରମଣକୁ କିଭଳି ଏଡାଯାଇ ପାରିବ ସେନେଇ ବିଚାର ବିମର୍ଶ ଚାଲିଛି । କୋଭିଡ ପରିଚାଳନା ପାଇଁ ଦେଶରେ ଗଠିତ ମନ୍ତ୍ରୀ ସ୍ତରୀୟ ଓ ସଚିବ ସ୍ତରୀୟ କମିଟି ବୈଠକରେ ଏନେଇ ଆଲୋଚନା ହୋଇଛି । ଅଗଷ୍ଟ ୩୧ରେ ଦେଶରେ ଚୂଡାନ୍ତ ଅନଲକ ପ୍ରକ୍ରିୟା ଆରମ୍ଭ କରିବା ସହ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କେବେ ଓ କିଭଳି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫେରାଇ ଅଣାଯିବ, ସେନେଇ ରାଜ୍ୟ ସରକାର ଗୁଡିକ ହିଁ ଚୂଡାନ୍ତ ନିଷ୍ପତି କରିବେ । ଦେଶରେ ସ୍କୁଲ, କଲେଜ ଖୋଲିବା ସହ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ ଗତ ଜୁଲାଇରେ ଏକ ସର୍ଭେ ହୋଇଥିଲା । ଏଥିରୁ ଜଣାପଡିଛି ଯେ, ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ନୁହନ୍ତି । ହେଲେ କରୋନା କଟକଣାରୁ ସ୍କୁଲ ବନ୍ଦ ହୋଇଯିବା ଫଳରେ ଅର୍ଥନୈତିକ ଅନଗ୍ରସର ଲୋକମାନେ ଅଧିକ ହଇରାଣ ହେଉଥିବା ରାଜ୍ୟ ସରକାରଗୁଡିକ ମତ ଦେଇଛନ୍ତି । ତେଣୁ ଯଦି ସ୍କୁଲ ଖୋଲେ, ତେବେ କିଭଳି ବ୍ୟବସ୍ଥାବଳୀ ରହିବ ସେନେଇ ମଧ୍ୟ ଚର୍ଚ୍ଚା କରାଯାଉଛି।
ସେପ୍ଟେମ୍ବର ୧ରୁ ପ୍ରଥମେ ଦଶମରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲ ଆସିବା ପାଇଁ କୁହାଯିବା ସହ
ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦିଷ୍ଟ ସେକ୍ସନର ପିଲାଙ୍କୁ ଅଲଗା ଅଲଗା ଦିନରେ ସ୍କୁଲ ଡକାଯିବ।

ଅର୍ଥାତ ‘ସେକ୍ସନ-ଏ’ ଓ ‘ସେକ୍ସନ-ସି’ର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଦିନ ଓ ଅନ୍ୟ ସେକ୍ସନ ପିଲାଙ୍କୁ ଆନ୍ୟଦିନ ଡକାଯିବ।

ସେହିପରି ସ୍କୁଲର ଅବଧୀ ୫ରୁ ୬ ଘଂଟା ପରିବର୍ତ୍ତେ, ୨ରୁ ୩ ଘଂଟା ମଧ୍ୟରେ ସୀମିତ ରଖାଯିବ।
ସକାଳ ୮ଟାରୁ ୧୧ଟା ଓ ପୁଣି ମଧ୍ୟାହ୍ନ ୧୨ରୁ ଅପରାହ୍ନ ୩ଟା ଦୁଇଟି ସିଫ୍ଟରେ ସ୍କୁଲ ଚାଲିପାରେ।
ମଝିରେ ୧ ଘଂଟାର ବିରତି ରଖି ସ୍କୁଲକୁ ସାନିଟାଇଜ୍ କରିବାକୁ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ।
ପର୍ଯ୍ୟାୟକ୍ରମେ ଷଷ୍ଠରୁ ନବମ ଶ୍ରେଣୀ ଯାଏଁ କ୍ଲାସ ମଧ୍ୟ ଏହିଭଳି ଆରମ୍ଭ କରିପାରନ୍ତି ସରକାର।
ତେବେ ରାଜ୍ୟରେ କରୋନାର ସଂକ୍ରମଣକୁ ଦେଖି ସେପ୍ଟେମ୍ବରରେ ସ୍କୁଲ ଖୋଲିବା ପାଇଁ ସରକାର କୌଣସି ନିଷ୍ପତି କରିନଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ଅକ୍ଟୋବର ମାସରେ ଅନେକ ପର୍ବ ପର୍ବାଣୀ ରହିଛି । ତେଣୁ ଅକ୍ଟୋବର ପୂର୍ବରୁ ରାଜ୍ୟରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲାଯିବା ସମ୍ଭବ ନେୁହେଁ । କେନ୍ଦ୍ର ସରକାରଙ୍କ ସେପ୍ଟେମ୍ୱର ମାସର ଗାଇଡଲାଇନ୍ ଅନୁସାରେ ପରବର୍ତି କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରିପୋର୍ଟ: ସ୍ନିଧା ସାହୁ

LEAVE A REPLY

Please enter your comment!
Please enter your name here