ଗ୍ରାମୀଣ ଭାଇଚାରାର ପର୍ବ, ବାଲିପଦର ମକର ମିଳନ ଉତ୍ସବ ।

0
147

ବୁଗୁଡା: ୧୪/୦୧/୨୦୨୧: ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଗ୍ରାମରେ ପବିତ୍ର ମକର ସଂକ୍ରାନ୍ତି ଦିନ ଗ୍ରାମୀଣ ଭାଇଚାରାର ପର୍ବ ମକର ମିଳନ ଉତ୍ସବ ଜାନୁୟାରୀ ୧୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବହୁବର୍ଷ ଧରି ବାଲିପଦରର ଏକତା, ସଂହତି ବଜାୟ ରଖିବା ପାଇଁ ଆଧ୍ୟାତ୍ମିକ ଧାରାରେ ଗ୍ରାମବାସୀ ବୃନ୍ଦ ଏହି ଗ୍ରାମୀଣ ଭାଇଚାରାର ଗଣ ପର୍ବ ପାଳନ କରିଆସୁଛନ୍ତି । ଆଜି ଗୁରୁବାର ଦିନ ଗ୍ରାମର ତିନିଠାକୁର ଶ୍ରୀ ନୀଳକଣ୍ଠେଶ୍ୱର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ରଘୁନାଥ ସ୍ୱତନ୍ତ୍ର ଭାବେ ପୁଷ୍ପସଜ୍ଜିତ ବିମାନରେ ଭକ୍ତଙ୍କ ଗହଣରେ ଗ୍ରାମର କେନ୍ଦ୍ରସ୍ଥଳ ମକର ପଡିଆକୁ ଆସି ମିଳନ ହୋଇଥିଲେ । ତିନି ଠାକୁରଙ୍କ ଏହି ମିଳନକୁ ପାଥେୟ କରି ଗଢି ଉଠିଥିବା ପରମ୍ପରାରେ ଅଞ୍ଚଳର ବହୁ ଜନସାଧାରଣ, ଶ୍ରଦ୍ଧାଳୁ ଓ ଭକ୍ତମାନେ ଏକତ୍ରିତ ହୋଇ ପରସ୍ପରକୁ ମକର ଶୁଭେଚ୍ଛା ଜ୍ଞାପନ କରିଥିଲେ। ତିନି ମନ୍ଦିରର କର୍ମକର୍ତ୍ତା କୋକରାମ ଜେନା, ଭାସ୍କର ଗୁରୁ ଓ କେ.ଅଶୋକ ପାତ୍ରଙ୍କ ନେତୃତ୍ତ୍ୱରେ ମହାରଣା ସାହିର ଯୁବ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ଦର୍ଶକମାନଙ୍କୁ ଉତ୍ସାହିତ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ରତ୍ନାକର ମହାରଣା, ସମାଜସେବୀ ଖଲି ପରିଡା ଓ ଅବସରପ୍ରାପ୍ତ ଶିକ୍ଷକ ରାଜଗୋପାଳ ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଇ ଅବସରରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବାଲିପଦର ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ, ବାଲିପଦର ଉନ୍ନୟନ ପରିଷଦ ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, କଲେଜ ଅଧ୍ୟକ୍ଷ ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଜନସାଧରଣଙ୍କୁ ମକର ଶୁଭେଚ୍ଛା ଜଣାଇଥିଲେ । ଆଖପାଖ ଅଞ୍ଚଳର ଲୋକକଳା ସାଂସ୍କୃତିକ ସଂଗଠନର କଳାକାରମାନେ ତିନି ଠାକୁର ସମ୍ମୁଖରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହି ପର୍ବର ମୁଖ୍ୟ ଆକର୍ଷଣ ଥିଲା, ଭକ୍ତ ଓ ମାନସିକଧାରି ତିନିଠାକୁରଙ୍କ ମିଳନ ବେଳେ ମୁଆଁ ଫିଙ୍ଗିବାର ପରମ୍ପରିକ ଦୃଶ୍ୟ। ଓଡିଶାର ଏହା ଏକ ନିଆରା କାର୍ଯ୍ୟକ୍ରମ ହୋଇଥିବା ଜଣାପଡିଛି । ମେଳଣ ପରେ ତିନି ଠାକୁର ଏକତ୍ର ହୋଇ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ଓ ଅଞ୍ଚଳର ମଙ୍ଗଳ ପାଇଁ ଏହି ପାରମ୍ପରିକ ପର୍ବ ଉଦ୍ଦିଷ୍ଟ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here