ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନିର୍ବାଚନ କମିଶନ: ଗୋଲକ ମହାପାତ୍ର

0
17

ଭୁବନେଶ୍ୱର,୦୪/୦୫/୨୦୨୪: ଓଡ଼ିଶାର ଲୋକେ ପରିବର୍ତନ ଚାହୁଁଛନ୍ତି, ଏଥିଲାଗି ବିଜୁ ଜନତା ଦଳ ଛାନିଆ ହୋଇଗଲାଣି । ବିଜେଡି ନିର୍ବାଚନ ବୈତରଣୀ ପାର ହେବା ଲାଗି ସରକାରୀ ଅଧିକାରୀଙ୍କ ଉପରେ ଭରସା କରିଛି । କାହିିଁକି ନା ଓଡ଼ିଶାର ଜନତା ଏବେ ସଚେତନ । ମିଥ୍ୟା, ଭ୍ରଷ୍ଟାଚାରୀ ସରକାରକୁ ହଟାଇବା ପାଇଁ ଓଡ଼ିଶାବାସୀ ପଣ କରିଛନ୍ତି । ଓଡ଼ିଶାବାସୀଙ୍କ ଦୃଢ଼ ସଂକଳ୍ପରେ ବିତିବ୍ୟସ୍ତ ବିଜେଡି ସରକାର । ଏଥିଲାଗି ସରକାରୀ କଳ, ବଳର ଅପବ୍ୟବହାର କରୁଛି । ସରକାରୀ ଅଧିକାରୀଙ୍କୁ ବ୍ୟବହାର କରିବା ବିଜେଡିର ଚିରାଚରିତ ଅଭ୍ୟାସ । ଏନେଇ ଭାରତୀୟ ଜନତା ପାର୍ଟି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଛି । ସିଇଓ ମଧ୍ୟ ୮ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ ମଧ୍ୟ ପୁଣି ଜଣେ ସରକାରୀ କର୍ମଚାରୀ ବିଜୁ ଜନତା ଦଳ ପ୍ରଚାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ବ୍ୟମୋକେଶ ରାୟଙ୍କ ପାଇଁ ଜଣେ ହାଇସ୍କୁଲର କିରାଣୀ ସନାତନ ସାହୁ ମଂଚ ଉପରେ ବିଜୁ ଜନତା ଦଳର ଉତରୀୟ ପକାଇ ନିର୍ବାଚନ ପ୍ରଚାର କରୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଖୋଲଉଖୁଲା ଉଲଘଂନ । ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରି ସନାତନ ସାହୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାଙ୍କୁ ପଦବୀରୁ ବିହିସ୍କୃତ କରାଯାଉ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଇଛି ବିଜେପି ପ୍ରତିନିଧିମଣ୍ଡଳୀ ।
ସେହିପରି କିଛି ଦିନ ତଳେ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ସହ ଦୁଇ ପୋଲିସ ଅଫିସରଙ୍କ ଫଟୋ ଭାଇରାଲ ହୋଇଥିଲା । ଯାହା ଗତକାଲି ନିର୍ବାଚନ କମିଶନ “ମିଶନ ଶକ୍ତି ମୁଖ୍ୟ”ଙ୍କୁ ବଦଳି କରି ତାଙ୍କ ଜାଗାରେ ନୂଆ ଲୋକ ଅବସ୍ଥାପିତ କଲେ । ଯେଉଁ ସରକାରୀ କର୍ମଚାରୀମାନେ ବିଜେଡି ଭୋଟ ପାଇଁ ପ୍ରଚାର କରୁଛନ୍ତି ଓ ସେମାନଙ୍କ ପାଖରୁ ଲାଭ ନେଉଛନ୍ତି, ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ସାହାର୍ଯ୍ୟ କରିବା ସହ ମଂଚରେ ବି ଚଢିଯାଉଛନ୍ତି ଏହା ସମସ୍ତେ ସଜାଗ ହେବା ଉଚିତ । ସରକାରୀ ଅଧିକାରୀ ନିଜ କାମ ଛାଡି ବିଜେଡିର ମଂଚରେ ଚଢିବା ଓ ବିଜୁ ଜନତା ଦଳ ପାଇଁ ପ୍ରଚାର କରିବା ନିର୍ବାଚନ ଆଚରଣ ବିଧିର ଘୋର ଉଲଘଂନ । ଏଥିରୁ ସରକାରୀ କର୍ମଚାରୀମାନେ ବିଚ୍ୟୁତ ରୁହନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଯେଉଁ ଦଳୀୟ ସରକାରୀ କର୍ମଚାରୀମାନେ ବିଭିନ୍ନ ଦଳୀୟ କାର୍ଯ୍ୟ ପ୍ରଚାରରେ ଲାଗୁଛନ୍ତି ତାଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଏସବୁରୁ ନିବୃତ ରୁହନ୍ତୁ । ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଯେ, ପ୍ରତ୍ୟେକ ଦିନେ ଯେଉଁ ଦାବୀ ଆସୁଛି ତା ଉପରେ ସେ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ସରକାରୀ କର୍ମଚାରୀ ମାନେ ସରକାରଙ୍କ କାର୍ଯ୍ୟ କରନ୍ତୁ କୌଣସି ରାଜନୈତିକ ଦଳର ପ୍ରଚାର କାର୍ଯ୍ୟରେ ନଲାଗନ୍ତୁ ।
ବିଜେଡି ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଚାହୁଁନାହିଁ କିନ୍ତୁ ବିଜେପି ନିର୍ବାଚନରେ ଶାନ୍ତି ଚାହେଁ । ସିଇଓ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ପ୍ରବକ୍ତା ଶତରୂପା ମିଶ୍ର, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here