ବ୍ରହ୍ମପୁର,୦୮/୦୨/୨୦୨୧: ଆସନ୍ତା ୧୧ ତାରିଖରେ ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର ସରପଞ୍ଚ ପଦବୀ ପାଇଁ ହେଉଥିବା ଉପନିର୍ବାଚନ ନେଇ ଅଞ୍ଚଳରେ ରାଜନୈତିକ ଅବଗଣନା ସ୍ୱତନ୍ତ୍ର ମଙ୍ଗ ଧରିଥିବା ବେଳେ ପଞ୍ଚାୟତର ନିର୍ବାଚନୀ ପ୍ରଚାରରେ ଉଷ୍ମତା ଆସୁଥିବା ଜଣାଯାଇଛି । ପଞ୍ଚାୟତରେ ଥିବା ସାତ ଗୋଟି ଗ୍ରାମ ଅନ୍ତର୍ଗତ ୧୮ ୱାର୍ଡ଼ ବିଶିଷ୍ଟ ପ୍ରାୟ ସାଢେ଼ ସାତ ହଜାର ଭୋଟରଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି ଉପନିର୍ବାଚନରେ ତିନି ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ଉପନିର୍ବାଚନ ଫଳାଫଳ ଆସନ୍ତା ପଞ୍ଚାୟତ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ନେଇ ଆଶଙ୍କା କରି ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରମୁଖ ରାଜନୈତିକ ଦଳଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଅଛି । ସପ୍ତାହ ପୂର୍ବରୁ ଗତିଶୀଳ ଥିବା ନିର୍ବାଚନୀ ପ୍ରଚାରରେ ଉଷ୍ମତା ନଥିଲେ ମଧ୍ୟ ପ୍ରାର୍ଥୀନୀଙ୍କ ଫଟୋ , ନିର୍ବାଚନୀ ସଂକେତ , ଦଳୀୟ ସମର୍ଥନ ଜନିତ ଫ୍ଲେକ୍ସ , ପୋଷ୍ଟର ଗ୍ରାମ ବିଶେଷରେ ଶୋଭା ପାଉଥିବା ବେଳେ ବିଭିନ୍ନ ସମୟରେ ତିନି ପ୍ରାର୍ଥୀଙ୍କ ସମର୍ଥକ ନିଜ ନିଜ ଦଳୀୟ ବ୍ୟକ୍ତିତ୍ଵଙ୍କୁ ନେଇ ପଞ୍ଚାୟତ ପରିକ୍ରମା କରୁଥିବା ଜଣା ଯାଇଅଛି ।
ଏହି ପରିପ୍ରେକ୍ଷୀରେ ଆଜି ମାନ୍ୟବର ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ ଗସ୍ତ କରିବା ସହିତ କଂଗ୍ରେସ ସମର୍ଥିତ ପ୍ରାର୍ଥୀନୀ ଶ୍ରୀମତୀ ମମତା ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିବା ସହ ପଞ୍ଚାୟତ ପରିକ୍ରମା କରିଛନ୍ତି । ୫ ୱାର୍ଡ଼ ବିଶିଷ୍ଟ ପଞ୍ଚାୟତ ସଦର ପାଇକ ରାମଚନ୍ଦ୍ରପୁର , ୫ ୱାର୍ଡ଼ ବିଶିଷ୍ଟ ପାଇକ ଜଗନ୍ନାଥପୁର ଓ ସାମନ୍ତରାପୂର , ୪ ୱାର୍ଡ଼ ବିଶିଷ୍ଟ ଭାଲିଆଝୋଳା , ୨ ୱାର୍ଡ଼ ବିଶିଷ୍ଟ ଧର୍ମରାୟପୂର ଏବଂ ଏକ ୱାର୍ଡ଼ ବିଶିଷ୍ଟ ଶ୍ରୀଚନ୍ଦନପୁର ଓ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ନିର୍ବାଚନୀ ପ୍ରଚାର କରିଛନ୍ତି । ବ୍ଲକ ଓ ପଞ୍ଚାୟତ ସ୍ତରୀୟ ପ୍ରମୁଖ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାଙ୍କ ସମାବେଶପୂର୍ଣ ପ୍ରଚାର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନା ପ୍ରାର୍ଥୀନୀ ଶ୍ରୀମତୀ ମମତା ତ୍ରିପାଠୀଙ୍କ ସହ ପଞ୍ଚାୟତରେ ନିର୍ବାଚନୀ ଶୋଭାଯାତ୍ରାରେ ଗ୍ରାମ ମୁଖିଆ , ବିଶିଷ୍ଟ ବ୍ୟକ୍ତିତ୍ୱ ଓ ବୁଦ୍ଧିଜୀବି ଜନ ସାଧାରଣଙ୍କ ସହ ଔପଚାରିକତା ଭିତ୍ତିରେ ପ୍ରତ୍ୟକ୍ଷ ଯୋଗାଯୋଗ କରି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଅନୁପ୍ରାଣିତ କରିଛନ୍ତି ।








