ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

0
513

ପାରଳାଖେମୁଣ୍ଡି,୦୪/୦୩/୨୦୨୧: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ବିଭିନ୍ନ ବିଭାଗ’ର ବିକାଶ ଦିଗରେ ମଞ୍ଜୁର ପାଇଁ ମୋଟ ୧୧ ଶହ ୫୫ କୋଟି ୪୬ ଲକ୍ଷ ୨୪ ହଜାର ଟଙ୍କାର ବ୍ୟୟ ଅଟକଳ ପାଇଁ ପ୍ରସ୍ତାବିତ ହୋଇଥିଲା । ଏହି ବୈଠକରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ଯୋଜନା କମିଟି’ର ମେମ୍ବର ସେକ୍ରେଟାରୀ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟ ଏସଟି-ଏସସି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନେ ଉତ୍ତମ ସମନ୍ୱୟ ରକ୍ଷାକରି କାର୍ଯ୍ୟ କଲେ ଉନ୍ନୟନ ଯୋଜନା କାର୍ଯ୍ୟର ସଫଳତା ଅଞ୍ଚଳ ବାସୀଙ୍କ ଠାରେ ପହଞ୍ଚି ପାରିବ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ।
ଅନ୍ୟପକ୍ଷରେ ଜିଲ୍ଲାଞ୍ଚଳର ବିକାଶମୂଳକ ଯୋଜନା ଗୁଡିକ ମଞ୍ଜୁର ପାଇବା ଓ କାର୍ଯ୍ୟକାରୀ ହେବା ପୂର୍ବରୁ ପ୍ରଶାସନ , ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି କାର୍ଯ୍ୟ କଲେ ଯୋଜନା କାର୍ଯ୍ୟର ସୁଫଳ ଅଞ୍ଚଳବାସୀ ପାଇପାରିବେ ବୋଲି ଜନପ୍ରତିନିଧି ମାନେ କହିଥିଲେ ।
ଜିଲ୍ଲାର ପ୍ରାୟ ୧୮ ଗୋଟି ବିଭାଗ କ୍ଷେତ୍ରର ବିକାଶ ପାଇଁ ଚଳିତ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ମୋଟ ୧୧ଶହ ୫୫ କୋଟି ୪୬ଲକ୍ଷ ୨୪ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇ ମଞ୍ଜୁର ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ପ୍ରସ୍ତାବିତ ବ୍ୟୟ ଅଟକଳ ଟଙ୍କା ଗୃହରେ ଅନୁମୋଦନ ପାଇଲେ ମୁଖ୍ୟତଃ କୃଷି , ଗ୍ରାମୀଣ ବିକାଶ , ସ୍ୱତନ୍ତ୍ର ଅଂଚଳ କାର୍ଯ୍ୟକ୍ରମ , ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ , ଶକ୍ତି , ପରିବହନ ଭିତ୍ତିଭୂମି , ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଓ ପରିବେଶ , ସ୍କୁଲ ଓ ଗଣଶିକ୍ଷା , ସ୍ୱାସ୍ଥ୍ୟକେନ୍ଦ୍ର ଓ ଜନସ୍ୱାସ୍ଥ୍ୟ , ଜଳସମ୍ପଦ , ସାମାଜିକ ସୁରକ୍ଷା ଓ ସାମାଜିକ କଲ୍ୟାଣ , ମହିଳା ଓ ଶିଶୁ ବିକାଶ ଏବଂ ସହରାଞ୍ଚଳ ବିକାଶ ପ୍ରଭୃତି କ୍ଷେତ୍ରର ବିକାଶ ଦିଗରେ ଖର୍ଚ୍ଚ କରାଯିବ । ଉପରୋକ୍ତ ଏହି ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ବୈଠକରେ ଉପସ୍ଥିତ ରହି ନିଜ ବିଭାଗର ଆଗାମୀ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ବ୍ୟୟ ଅଟକଳ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀ କୂଳମଣୀ ରାଉତ ଉପସ୍ଥିତ ରହି ଏଜେଣ୍ଡା ପ୍ରକାରେ ବୈଠକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆଗେଇ ନେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ’ରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅନିତାରାଣୀ ବେହେରାଙ୍କ ସମେତ ଉପାଧ୍ୟକ୍ଷ ଶ୍ରୀ ଆର: ବିଜୟ କୁମାର , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ଡ଼ିଆରଡିଏ: ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ଚୌଧୁରୀ ପ୍ରମୁଖ ମଞ୍ଚଆସିନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here